ଆଧ୍ୟାତ୍ମିକ ବକ୍ତା ତଥା ଭକ୍ତିଗୀତ ଗାୟିକା ଜୟା କିଶୋରୀଙ୍କୁ ଅବା କିଏ ନ ଜାଣେ । ମୁଖମଣ୍ଡଳରେ ସରଳତା ଏବଂ ବୈରାଗ୍ୟ ଭାବକୁ ନେଇ ନିଜ ଭକ୍ତିମୟ କାର୍ଯ୍ୟକ୍ରମରେ ଉଚ୍ଚକୋଟିର ପ୍ରବଚନ ଦେଉଥିବା ଜୟା କିଶୋରୀଙ୍କ ପ୍ରବଚନ ଶୁଣିବାକୁ ଲୋକଙ୍କ ମନରେ ସବୁବେଳେ ଉତ୍କଣ୍ଠା ଲାଗିରହିଥାଏ । କିନ୍ତୁ ଏବେ ଜୟା କିଶୋରୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆଉ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛି ଗୋଟିଏ ଫଟୋ ।
୨୯ ବର୍ଷୀୟ ଜୟା କିଶୋରୀ ନିକଟରେ ବିମାନ ବନ୍ଦରରେ ସ୍ପଟ୍ ହୋଇଥିଲେ । ହାତରେ ଡିଓରର କଷ୍ଟମ୍ ଡିଜାଇନ୍ ବ୍ୟାଗ୍ ଧରି ଯାଉଥିବା ବେଳେ ମିଡିଆର କ୍ୟାମେରା ଲେନ୍ସ ନଜରକୁ ଆସିଥିଲେ ଜୟା । ତାପରେ ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଆଉ ଟ୍ରୋଲର ଶିକାର ହେଲେ ଜୟା କିଶୋରୀ । ତେବେ ଏଇଠି ଆପଣ ପ୍ରଶ୍ନ କରିପାରିବେ , ଏଥିରେ ଟ୍ରୋଲ୍ କରିବାର କ’ଣ ଅଛି । ଆପଣଙ୍କୁ ଏଠାରେ କହିରଖୁଛୁ ଜୟା ଯେଉଁ ବ୍ୟାଗ୍ ଟି ଧରିଥିଲେ ତାହାର ଦାମ୍ ୨ ଲକ୍ଷ ଟଙ୍କାରୁ ଅଧିକ ହେବ । ଭୌତିକବାଦ ବିରୋଧରେ ଲୋକଙ୍କୁ ପ୍ରବଚନ ଦେଉଥିôବା କଥାବାଚକ ନିଜେ ଏତେ ଦାମିକିଆ ବ୍ୟାଗ୍ ବ୍ୟବହାର କରୁଥିବା ଦେଖି ଲୋକ ଏବେ ତାଙ୍କୁ ଟ୍ରୋଲ୍ କରିଛନ୍ତି ।
ତେବେ ଏ ତ ଗଲା ଫଟୋ କଥା । ଡିଓର୍ କମ୍ପାନୀର ୱେବସାଇଟ୍ ଅନୁସାରେ , ଉକ୍ତ ଦାମୀ ବ୍ୟାଗଟି କଟନ୍ ଏବଂ ବାଛୁରୀର ଚମଡ଼ା ମିଶି ତିଆରି ହୋଇଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜଣେ ୟୁଜର୍ ଲେଖିଲେ , ଆଧ୍ୟାତ୍ମିକ କଥାବାଚକ ଜୟା କିଶୋରୀ ସେହି ଭିଡିଓଟିକୁ ହଟାଇ ଦେଇଛନ୍ତି ଯେଉଁଥିରେ ସେ ୨ ଲକ୍ଷ ୧୦ ହଜାର ଟଙ୍କାର ଡିଓର୍ ବ୍ୟାଗ୍ ଧରିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ କହୁଥିବା ଜୟା ଜୀ ବାଛୁରୀ ଚମଡାରେ ତିଆରି ବ୍ୟାଗ୍ ଧରିଛନ୍ତି । ଜୟାଙ୍କ ଫଟୋ ଭାଇରାଲ୍ ହେବା ପରେ ଏବେ ତାଙ୍କ ଦାମୀ ରୋଲେକ୍ସ ଘଣ୍ଟା , ଦାମୀ ପୋଷାକ ଉପରେ ମଧ୍ୟ ଲୋକ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ତେବେ କିଛି ୟୁଜର୍ ଜୟାଙ୍କ ସପକ୍ଷରେ ଆସି କହିଛନ୍ତି ଜୟା ଜଣେ କଥାବାଚକ ସନ୍ନ୍ୟାସୀ ନୁହଁ ।
୧୯୯୫ ମସିହା ଜୁଲାଇ ୧୩ ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ଜୟା ପିଲାଟିବେଳୁ ଡ୍ୟାନ୍ସର ହେବାକୁ ସ୍ୱପ୍ନ ଦେଖିଥିଲେ । ସେ ‘ବୁଗି ୱିଗି’ ଡ୍ୟାନ୍ସିଂ ରିୟଲିଟି ସୋ’ ରେ ଅଂଶଗ୍ରହଣ ମଧ୍ୟ କରିଥିଲେ । କିନ୍ତୁ ୭ ବର୍ଷ ବୟସରେ ଆଧ୍ୟାତ୍ମିକ ଦିଗ ପ୍ରତି ତାଙ୍କର ରୁଚି ବଢିଲା । ଏହାପରେ ଶ୍ରୀମଦ୍ ଭଗବତ୍ ଗୀତା କଥା ଏବଂ କଥା ନାନୀବାଇରୋ ମାୟରୋ ଜରିଆରେ ସେ ପ୍ରସିଦ୍ଧ କଥାବାଚକ ରୂପେ ଲୋକଙ୍କ ନଜରକୁ ଆସିଲେ । ଶ୍ରୀକୃଷ୍ଣଙ୍କ ଭଜନ ଗାଉଥିବା ଜୟା ୟୁଟ୍ୟୁବରେ ଖୁବ୍ ଲୋକପ୍ରିୟ । ୟୁଟ୍ୟୁବରେ ତାଙ୍କର ୩.୬୧ ମିଲିୟନ୍ ସବଷ୍କ୍ରାଇବର୍ ରହିଥିବା ବେଳେ ଜୟାଙ୍କ ଫଲୋଅର୍ସ ତାଙ୍କୁ ଶ୍ରଦ୍ଧାରେ ‘ମୀରା ବାଇ’ ଏବଂ ‘କିଶୋରୀ ଜୀ’ ବୋଲି ସମ୍ବୋଧନ କରୁଛନ୍ତି । ଆପଣଙ୍କୁ ଏଠାରେ କହିରଖୁଛୁ ଜୟା କିଶୋରୀ ନିଜର ଗୋଟିଏ ପ୍ରବଚନ ପାଇଁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି । ଯେଉଁଥିରେ ୪ ଲକ୍ଷ ୫୦ ହଜାର ଟଙ୍କା ଆଡଭାନ୍ସ ନେଇଥାନ୍ତି । ଏହି ପ୍ରଶ୍ନରେ ଜୟା କୁହନ୍ତି , ମୋ ଟିମରେ ଅନେକ ଲୋକ ରହିଛନ୍ତି ଯାହାଙ୍କୁ ମତେ ଦରମା ଦେବାକୁ ପଡ଼ିଥାଏ । ମିଡିଆ ରିପୋର୍ଟ ମୁତାବକ , ଜୟା କିଶୋରୀଙ୍କ ସଂପତ୍ତି ଦେଢ କୋଟିରୁ ୨ କୋଟି ଭିତରେ ହେବ । ଜୟା କିଶୋରୀଙ୍କ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ , ସେ ନିଜ ଫିସରୁ ଅଧା ନାରାୟଣ ସେବା ସଂସ୍ଥାକୁ ଦାନ କରନ୍ତି । ଯେଉଁ ସଂସ୍ଥା ଅସହାୟ , ଦିବ୍ୟାଙ୍ଗ ପିଲାଙ୍କ ସେବା ପାଇଁ ସମର୍ପିତ ।