କନକ ବ୍ୟୁରୋ: ସକାଳ ହେଲେ ନିଜ ପ୍ରିୟ ଗୁରୁଙ୍କ ବାଟ ଚାହିଁ ରହିଥାନ୍ତି ପ୍ରେମାନନ୍ଦଜୀ ମହାରାଜ। ସମସ୍ତଙ୍କ ପାଇଁ ଆଶିଷର ବରଦ ହସ୍ତ ଟେକି ଦିଅନ୍ତି ଗୁରୁଜୀ । ହେଲେ ଏବେ ସେ ବାଟ ଶୂନଶାନ୍  । ଗୁରୁଙ୍କର ବାଟ ଚାହିଁ ଚାହିଁ ଭକ୍ତଙ୍କ ଆଖିରୁ ଝରୁଛି ଲୁହ । ତାଙ୍କ ଭିତରୁ ଅନେକ କହୁଛନ୍ତି ଆମେ ଦେବୁ ଗୁରୁଜୀଙ୍କୁ କିଡନି । ଅନ୍ୟପଟେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ପ୍ରେମାନନ୍ଦଜୀ ।

Advertisment

ବୃନ୍ଦାବନର ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କ ସ୍ବାସ୍ଥାବସ୍ଥାରେ ଏବେ ସୁଧାର ହେଉଛି । ତାଙ୍କର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜେ ନିଜର ସ୍ବାସ୍ଥ୍ୟରେ ସୁଧାର କଥା କହିଛନ୍ତି । ଏବେ ତାଙ୍କର ପ୍ରତି ଦିନ ଡାଏଲିସିସ୍ ଚାଲିଛି । ହାତର ଫୁଲା କମିଛି, ହାତରେ ଏବେବି ପଟି ଥିଲେ ବି ସେ ଆଖି ଖୋଲି କଥା ହେଲେଣି ।

କିଡନି ସମସ୍ୟାରେ ପୀଡ଼ିତ ପ୍ରେମାନନ୍ଦଜୀ ମହାରାଜ । ପ୍ରତି ମାସରେ ତାଙ୍କୁ ଡାଏଲିସିସର ସାହାଯ୍ୟ ନେବାକୁ ପଡ଼େ । କିଡନି ସମସ୍ୟା ଥାଇ ବି ସେ ସବୁବେଳେ ଭଗବତ୍ ଚିନ୍ତନରେ ମଗ୍ନ ରୁହନ୍ତି । ଶ୍ରଦ୍ଧାଳୁଙ୍କ ମାର୍ଗଦର୍ଶନ କରନ୍ତି । ସମସ୍ୟା ନେଇ ଆସୁଥିବା ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକତାର ବାଟ ଦେଖାନ୍ତି । କିନ୍ତୁ ତାଙ୍କ ମାର୍ଗଦର୍ଶନରୁ ଏବେ ବଞ୍ଚିତ ଶ୍ରଦ୍ଧାଳୁ । କାରଣ କିଛି ଦିନ ହେବ  ସେ ଅସୁସ୍ଥ ଅଛନ୍ତି । ସକାଳୁ ସକାଳୁ ଆଉ ତାଙ୍କ ପଦଯାତ୍ରା ବାହାରୁନି । ତାଙ୍କୁ ଭେଟିବାକୁ ବିଚଳିତ ହେଲେଣି ଶ୍ରଦ୍ଧାଳୁ । କିନ୍ତୁ ଏବେ ଲୋକଙ୍କ ପାଖକୁ ଆସିବା ସ୍ଥିତିରେ ନାହାଁନ୍ତି ପ୍ରେମାନନ୍ଦଜୀ । ଏବେ ତାଙ୍କୁ କିଛି ଦିନ ବିଶ୍ରାମରେ ରହିବାକୁ ପଡ଼ିବ । ତେଣୁ ତାଙ୍କୁ ଅପେକ୍ଷା ନକରିବାକୁ ଶ୍ରଦ୍ଧାଳୁଙ୍କ ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିକା ଦିନରେ କୋଟି କୋଟି ଜନତାଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପ୍ରେମାନନ୍ଦଜୀ ମହାରାଜ । ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରିକେଟ୍ ଜଗତର ଦିବଙ୍ଗତ ତାଙ୍କ ପାଖରେ କୃପା ଭିକ୍ଷା କରନ୍ତି । କିନ୍ତୁ  ନିଜକୁ ସବୁବେଳେ ନିଃସ୍ବ କହିବା ସହ ଶ୍ରୀ ରାଧାକୃଷ୍ଣଙ୍କ ଶରଣରେ ଯିବାକୁ ଉପଦେଶ ଦିଅନ୍ତି । ପ୍ରେମାନନ୍ଦଜୀ କୁହନ୍ତି , ’ଯେତେବେଳେ ତାଙ୍କ କିଡନି ଖରାପ ବୋଲି ଜଣାପଡ଼ିଲା ସେ ସମୟରେ ନା ତାଙ୍କ ପାଖରେ ପଇସାଟିଏ ଥିଲା ନା ପାଣି ଗ୍ଲାସଟେ ଦେବାକୁ ପାଖରେ କେହି ଥିଲେ । ମୁଣ୍ଡ ଉପରେ ଦଦରା ଚାଳଟିଏ ଯାହା ଥିଲା । ଏପରି ସମୟରେ ପ୍ରଭୁଙ୍କ କୃପାରୁ ସାହା ହେଲେ ସ୍ବାମୀ ରାମସୁଖ ଦାସ । ଡାକ୍ତର ରିପୋର୍ଟ ଦେଖି କହିଲେ କିଡନିର ଅବସ୍ଥା ଯାହା ଆଉ ମାତ୍ର ୫ ବର୍ଷ ଆୟୁଷ ।ଏହା ଶୁଣି ମୁଁ ନିଜ ମନକୁ ଟାଣ କଲି । ସବୁବେଳେ ରାଧା ମାଧବଙ୍କୁ ଜପିଲି, ତାଙ୍କ ଉପରେ ନିଜର ସବୁ ଦାୟିତ୍ବ ଛାଡ଼ିଦେଲି । ଭାବିଲି ଯଦି ମୃତ୍ୟୁ ନିଶ୍ଚିତ ତାହେଲେ ଡରିବି କାହିଁକି ? ବରଂ ନିଜର ବାକି ସମୟକୁ ପ୍ରଭୁ ଚିନ୍ତନରେ ଲାଗାଇବି । ଡାକ୍ତରଙ୍କ କଥାକୁ ୧୮ ବର୍ଷ ହେଲାଣି । ସେ ଡାକ୍ତର ଆଉ ଅଛନ୍ତି କି ନା ମୁଁ ଜାଣିନି । କିନ୍ତୁ ମୁଁ ବଞ୍ଚିଛି । ଏହା ପ୍ରଭୁ କୃପା’। 
 

ପ୍ରକୃତରେ ଏ ଧରାକୁ ଆଣିଲା ବାଲା ଜଣେ , ଫେରାଇ ନେଲା ବାଲା ବି ସେଇ ଜଣେ । ସେହି ଈଶ୍ବରଙ୍କ ଆଶ୍ରାରେ ରହିଲେ ଜୀବନ ପରିପୁଷ୍ଟ ହୁଏ ।  ବଞ୍ଚିବାର ବାଟ ମିଳିଯାଏ । ପ୍ରେମାନନ୍ଦଜୀ ମହାରାଜଙ୍କୁ ଦେଖିଲେ ଏକଥା ମନେପଡ଼ିଯାଏ ।