କନକ ବ୍ୟୁରୋ: ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ଯାତ୍ରା । ରଥଯାତ୍ରା ଆସିଲେ ଶ୍ରୀକ୍ଷେତ୍ରରେ ଏକାଠି ହୁଅନ୍ତି ସାରା ବିଶ୍ବର ଶ୍ରଦ୍ଧାଳୁ, ଜଗନ୍ନାଥଙ୍କୁ ଭଲପାଉଥିବା ମଣିଷ । ଚତୁର୍ଦ୍ଧା ମୂରତି ବିଜେ କରୁଥିବା ୩ ରଥକୁ ଛୁଇଁ ମୁଣ୍ଡିଆ ମାରି ନିଜକୁ ଧନ୍ୟ ମନେକରନ୍ତି ।
ତଥ୍ୟ କୁହେ, ଦ୍ବାଦଶ ଶତାବ୍ଦୀରୁ ଆରମ୍ଭ ହୋଇଛି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ରଥଯାତ୍ରା । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀବଳଭଦ୍ର , ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଦାରୁ ବିଗ୍ରହ ନିର୍ମାଣ ପରେ ରଥରେ ଶ୍ରୀମନ୍ଦିର ଅଭିମୁଖେ ବିଜେ କରିଥିଲେ । ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିବା ବ୍ରହ୍ମାଙ୍କ ନିର୍ଦ୍ଦେଶ ପରେ ମହାପ୍ରଭୁଙ୍କ ପ୍ରଥମ ରଥ ସମ୍ପୂର୍ଣ୍ଣ ସୁନାରେ ନିର୍ମିତ ହୋଇଥିଲା । ସେଥିରେ ହୀରା, ନୀଳା , ମୋତି ମାଣିକ୍ୟ ଖଚିତ ହୋଇଥିଲା । ରଥଯାତ୍ରା ସମ୍ପର୍କିତ କେତେକ ପୁସ୍ତକରୁ ଏ ସମ୍ପର୍କରେ ସୂଚନା ମିଳେ ।
ତ୍ରୟୋଦଶ ଶତାବ୍ଦି ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାରେ ବର୍ଣ୍ଣନା ରହିଛି । ସେହିପରି ଶୋଡ଼ଷ ଶତାବ୍ଦୀରେ ରଚିତ ମାଦଳା ପାଞ୍ଜିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବିବରଣୀ ଦେଖିବାକୁ ମିଳେ । ସେତେବେଳେ ଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ଜନ୍ମବେଦି କାଷ୍ଠରେ ନିର୍ମିତ ହୋଇଥିଲା । ବୀର ନରସିଂହ ଦେବ ବାଙ୍କୀ ମୁହାଣ ପୋତାଇଥିଲେ । ୬ ରଥ ବଦଳରେ ୩ଟି ରଥ କରାଇଥିଲେ । ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ପଥର ମଣ୍ଡପରେ ରୂପାନ୍ତରିତ କରିଥିଲେ । ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ପ୍ରଥମ ଭାନୁଦେବ ୧୨୬୪ରୁ ୧୨୭୮ ମଧ୍ୟରେ ୬ ରଥ ବଦଳରେ ୩ ରଥ କରାଯାଇଥିବା କିଛି ଗବେଷକ ମତ ଦେଇଛନ୍ତି । ତେବେ ପ୍ରତି ବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏହି ନବଦିନାତ୍ମକ ରଥଯାତ୍ରାକୁ ଘୋଷଯାତ୍ରା, ପତିତପାବନ ଯାତ୍ରା ,ମହାବେଦି ମହୋତ୍ସବ, ନବଦିନ ଯାତ୍ରା , ଆଡ଼ପ ଯାତ୍ରା, ଦଶାବତାର ଯାତ୍ରା ବୋଲି ମଧ୍ୟ କୁହାଯାଏ । ଶ୍ରୀଗୁଣ୍ଡିଚାରେ ମହାପ୍ରଭୁ ଉତ୍ତର ଦିଗକୁ ମୁହଁ କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରନ୍ତି । ତେଣୁ ଏହି ଯାତ୍ରାକୁ ଉତ୍ତରାଭିମୁଖୀ ଯାତ୍ରା ବୋଲି ମଧ୍ୟ କୁହାଯାଏ ।