କନକ ବ୍ୟୁରୋ: ଗାଁରେ ରାସନ ସାମଗ୍ରୀ ପାଇବା ପାଇଁ ହିତାଧିକାରୀଙ୍କୁ ଦେବାକୁ ପଡୁଛି ଟଙ୍କା । ଟଙ୍କା ନଦେଲେ ଯିବାକୁ ପଡୁଛି ୨୦ କିଲୋମିଟର ଦୂର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରୁ ଏମିତି ଏକ ଖବର ଆସିଛି । ନଦୀ ଆରପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଟୁଙ୍ଗା ପଞ୍ଚାୟତର ବଉଳଯୋଡ଼ି ଡ଼ିହା ଗାଁ । ପଞ୍ଚାୟତଠାରୁ ୨୦ କିଲୋମିଟର ଦୂର। ଗାଁରେ ରହିଛନ୍ତି ପାଖାପାଖି ଶହେ ଜଣ ହିତାଧିକାରୀ । କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁରେ ରାସନ ଦେବା ପାଇଁ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ଡିଲର ।
ଗତ ମାସରେ ହିତାଧିକାରୀ ଟଙ୍କା ନ ଦେବାରୁ ଗାଁରେ ଚାଉଳ ନଦେଇ ୨୦ କିଲୋମିଟର ଦୂର ପଞ୍ଚାୟତ ସେଣ୍ଟରରୁ ଚାଉଳ ନେବାକୁ କହିଥିଲେ ଡିଲର। ଖର୍ଚ୍ଚାନ୍ତ ହୋଇଥିଲେ ହିତାଧିକାରୀ। ଦଳୀୟ ଭିତ୍ତିରେ ବି ରାସନ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି। ଏନେଇ ତତ୍କାଳୀନ ଯୋଗାଣ ନିରୀକ୍ଷକ ତଥା ବର୍ତ୍ତମାନର ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ପୁନମ ଜେନା ତଦନ୍ତ କରିଥିଲୋ। ରାସନ ସାମଗ୍ରୀ ପରିବହନ ବାବଦରେ ଟଙ୍କା ନେଇଥିବା ଡିଲର ସ୍ୱୀକାର ବି କରିଛନ୍ତି। ସେପଟେ ହିତାଧିକାରୀଙ୍କ ଦାବି ଅନୁସାରେ, ସମସ୍ୟା ସୁଧାରିବା ପାଇଁ ରାଜକନିକା ବ୍ଲକର ପାଖ ଡିଲରଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ୱାନ ନେସନ ୱାନ କାର୍ଡ ନିୟମରେ ରାସନ ଦେବାକୁ ପ୍ରଥମେ ରାଜି ହୋଇ ପରେ ମନା କରିଛନ୍ତି । ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି, ହିତାଧିକାରୀମାନ ଡିଲରଙ୍କୁ ଟଙ୍କା ନଦେଇ ଡିଲର ପଏଣ୍ଟରୁ ରାସନ ନେଇ ପାରିବେ ।