କନକ ବ୍ୟୁରୋ: ପୁଣି ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡ଼ି ଚାଳନା ଜୀବନ ନେଇଛି । ୮ ବର୍ଷର କୁନିଝିଅ ଉପରେ ଧଳା ରଙ୍ଗର ଥାର୍ ଗାଡ଼ି ମଡ଼ାଇ ଚମ୍ପଟ ମାରିଛି ଚାଳକ । ବହୁ ଖୋଜାଖୋଜି ପରେ ପୁଲିସ ଗାଡ଼ିକୁ ପାଇଛି ହେଲେ ନରହନ୍ତା ଗାଡ଼ି ମାଲିକ ପାଖରେ ପହଞ୍ଚି ପାରିନାହିଁ ।

Advertisment

ଶନିବାର ରାତିରେ ଭୁବନେଶ୍ୱର ପାତ୍ରପଡ଼ା ଛକରେ ହୋଇଥିଲା ସଡ଼କ ଦୃର୍ଘଟଣା । ଖୋର୍ଦ୍ଧା ଜଙ୍କିଆର ରେବତୀ ରାଉଳ, ୮ ବର୍ଷର ଝିଅ ରେଶମା ଓ ୨ ବର୍ଷର ପୁଅ ମାହିକୁ ସାଙ୍ଗରେ ନେଇ ପାତ୍ରପଡ଼ା ଏନ୍ଏଚ୍ ଅତିକ୍ରମ କରୁଥିଲେ । ଠିକ ସେହି ସମୟରେ ଯେମିତି ଯମଦୂତ ହୋଇ ମାଡ଼ି ଆସିଥିଲା ମଣିଷମରା ଧଳା ରଙ୍ଗର ଥାର୍ । କୁହାଯାଉଛି ଗୋଟିଏ କଳା ସ୍ପର୍ପିଓ ଓ ଧଳା ଥାର୍ ଗାଡି ଭିତରେ ରାସ୍ତା ଉପରେ ରେସିଂ ଚାଲିଥିଲା । ଭାରସାମ୍ୟ ହରାଇ ଧଳା ଥାର୍ ରେବତୀ ଓ ତାଙ୍କ ଦୁଇ ଛୁଆଙ୍କୁ ଚଢାଇ ଦେଇ ଛୁ ମାରିଥିଲା । ଘଟଣା ସ୍ଥଳରେ ୮ ବର୍ଷର ଝିଅ ରେଶମାର ମୃତ୍ୟୁ ହୋଇଥିବା ବେଳେ, ମାଆ ଓ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପତ୍ନୀ ଓ ପିଲାଙ୍କୁ ପାଖରେ ନପାଇ ଧର୍ଯ୍ୟହରା ହୋଇପଡିଛି ପରିବାର ।

  • ଥାର୍ ନୁହେଁ ତ କିଲର କାର୍ 
  • ଗାଡ଼ି ମିଳିଗଲା, ମାଲିକ ଫେରାର

ସିସିଟିଭି ଯାଞ୍ଚ ପରେ, ମଣିଷମରା ଧଳା ଥାରକୁ ଜବତ କରିଛି ପୁଲିସ । ହେଲେ ଗାଡ଼ି ଚଳାଉଥିବା ବ୍ୟକ୍ତି ଫେରାର ଅଛି । ଦୁର୍ଘଟଣା ପରେ, ଗାଡିଟିକୁ ଜଟଣୀ କୁସୁମାଟି ଅଞ୍ଚଳରୁ ଜବତ କରାଯାଇଛି । ଗାଡିରେ ଶତ ପ୍ରତିଶତ କଳା କାଚ ଥିବାରୁ ସିସିଟିଭିରେ ଚାଳକକୁ ଖୋଜି ବାହାର କରିବା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗାଡି ନମ୍ୱରରେ କାଦୁଅ ବୋଳି ଲୁଚିବାକୁ ଚେଷ୍ଟା ଚଳାଇଥିଲା ନରହନ୍ତା, କିନ୍ତୁ ହିଟ୍ ଆଣ୍ଡ ରନ୍ ବେଳେ ଗାଡିର ଭଙ୍ଗା ଅଂଶ ଦେଖି ପୁଲିସ ଗାଡିଟିକୁ ଜବତ କରିଛି । ତେବେ ଆରଟିଓ, ଏମଭିଆଇ ଥାନାରେ ପହଞ୍ଚି ଗାଡି ବାବଦରେ ତଥ୍ୟ ହାସଲ କରିଛନ୍ତି । 

ଓଡିଶାରେ ଚାଲିଛି ଅପରେସନ୍ ଗରୁଡ । କିନ୍ତୁ ରୋଡ୍ ରୋମିଓଙ୍କ ଉତ୍ପାତ ଯୋଗୁଁ ଯାଉଛି ଲୋକଙ୍କ ଜୀବନ । ଲାଗିଛି ଶହ ଶହ କ୍ୟାମେରା, କଟୁଛି କୋଟି କୋଟି ଟଙ୍କାର ଚାଲାଣ । ହେଲେ ପ୍ରଶ୍ନ ଉଠୁଛି- ପୁଲିସକୁ ଚକମା ଦେଇ କେମିତି ଫେରାର ହୋଇଗଲା ନରହନ୍ତା ଚାଳକ ?