କନକ ବ୍ୟୁରୋ: ଚାକିରି ସରିଲାଣି । ହେଲେ ଏବେବି କାମରୁ ଅବସର ନେଇନାହାନ୍ତି । କଥାଟା ଅଡୁଆ ଲାଗୁଛି ନା ? କିନ୍ତୁ ସତ ।
ଚାକିରି ପରେ ବି ଡ୍ୟୁଟି କରୁଛନ୍ତି
ଫୁଲ ଟାଇମ୍ ଡ୍ୟୁଟି ପାଇଁ ଦରମା ନେଉନାହାନ୍ତି
ଏ ହେଉଛନ୍ତି କୋଲକାତାର କ୍ରିଷ୍ଣା ବିକାଶ ଦତ୍ତା । ସାଉଥ୍ କୋଲକାତାର ଟ୍ରାଫିକ୍ ଭିଡ଼ ଭିତରେ ବାରି ହୋଇପଡ଼ନ୍ତି । ତାଙ୍କ ହାତ ଇଙ୍ଗିତକୁ ଦେଖି ଅଟକିଯାଆନ୍ତି ଦୁଇ ଚକିଆ, ଚାରିଚକିଆ । ଖାଲି ସେତିକି ନୁହେଁ ତାଙ୍କୁ ବେଶ୍ ସମ୍ମାନ ଦେଇ ଟିକେ ନମସ୍କାର କରି ଆଗକୁ ବଢ଼ନ୍ତି ବାଟୋଇ ।
ତାଙ୍କ ନିଷ୍ଠା, ଆନ୍ତରିକତା ତାଙ୍କୁ ଭିନ୍ନ ସମ୍ମାନର ଅଧିକାରୀ କରିଛି । ପଦୁଟେ କିଛି ନ କହିବି ସେ ସମସ୍ତଙ୍କ ପ୍ରିୟପାତ୍ର । ବର୍ଷକ ଆଗରୁ ପୁଲିସ ବିଭାଗରୁ ଅବସର ନେଲେଣି କ୍ରିଷ୍ଣା ବିକାଶ ଦତ୍ତା । ହେଲେ ଘରେ ତାଙ୍କ ମନ ମାନୁନି । ଡ୍ୟୁଟି ଟାଇମ୍ ହେଲେ ବାଇକ୍ ଦେଇ ବାହାରିପଡ଼ନ୍ତି । ଭିଡ଼ ରାସ୍ତାରେ ଟ୍ରାଫିକ୍ ସିଗ୍ନାଲ ଦିଅନ୍ତି । ଏଠି ଟ୍ରାଫିକ୍ ଲାଇଟ୍ ଦରକାର ପଡ଼େନି । ତାଙ୍କ ହାତକୁ ଦେଖି ଟ୍ରାଫିକ୍ ନିୟମ ମାନନ୍ତି ଲୋକେ ।
କୋଲକାତାର ଡୋଭର ଲେନରେ ରୁହନ୍ତି କ୍ରିଷ୍ଣା ଓ ତାଙ୍କ ପତ୍ନୀ । ହେଲେ ତାଙ୍କ ମାଆଙ୍କ ସହ ପୁଅ ରୁହେ ଗାଁରେ । ସପ୍ତାହକୁ ଥରେ ଯାଇ ମାଆ ଓ ପୁଅଙ୍କ କଥା ବୁଝିଆସନ୍ତି । କିନ୍ତୁ ଡ୍ୟୁଟିରେ ଦିନେ ବି ଖିଲାପ କରନ୍ତି ନାହିଁ । କ୍ରିଷ୍ଣାଙ୍କର ବେଶି କିଛି ଶିକ୍ଷାଗତ ଯୋଗ୍ୟତା ନାହିଁ । ମାତ୍ର ଅଷ୍ଟମ ଯାଏଁ ପଢ଼ିଥିବା କ୍ରିଷ୍ଣା ଦତ୍ତା । ସେ ସମୟରେ ସିଟି ପୁଲିସ ବିଭାଗରେ ଚାକିରି ପାଇଥିଲେ । ଟ୍ରାଫିକରେ ତାଙ୍କ ସିଗନାଲକୁ ସମସ୍ତେ ମାନନ୍ତି । ପୂରା ନିଷ୍ଠାର ସହ ଚାକିରି ଜୀବନ କାଟିଲେ । ଅବସର ସମୟ ଆସିଲା । ତଥାପି ତାଙ୍କୁ ବିଶ୍ରାମ ନାହିଁ । ସିଭିକ୍ ଭଲ୍ୟୁଣ୍ଟିଅର ଭାବେ ସେ ପୁଣି ଟ୍ରାଫିକ୍ ପୁଲିସ ଭାବେ କାମ କରୁଛନ୍ତି ।
ତାଙ୍କୁ ଟ୍ରାଫିକରେ ଦେଖିଦେଲେ ବାଟୋଇଙ୍କ ମୁହଁରେ ଆପେ ଆପେ ହସ ଉକୁଟି ଆସେ । ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ସମସ୍ତେ ସମ୍ମାନ ଦିଅନ୍ତି । ସବୁଠୁ ବଡ଼ କଥା ହେଲା ଏପରି ଇଚ୍ଛାଧୀନ କାମ ପାଇଁ ତାଙ୍କୁ ବିଭାଗ ପକ୍ଷରୁ ଦରମା ମିଳେନି । ଖାଲି ଯାହା ଦଶହରା ସମୟରେ କିମ୍ବା ଅନ୍ୟ କୌଣସି ପର୍ବପର୍ବାଣୀ ସମୟରେ ତାଙ୍କୁ ଖୁସିରେ ଯାହା ଦିଆଯାଏ ତାକୁ ସେ ଗ୍ରହଣ କରନ୍ତି । କିନ୍ତୁ ଅନ୍ୟ ସମୟରେ ଦରମ ନେବାକୁ ମନା କରନ୍ତି । ପାଠପଢ଼ା ସିନା ଅଷ୍ଟମ ଯାଏଁ କିନ୍ତୁ ଚିନ୍ତାଧାରରେ କୌଣସି ବୁଦ୍ଧଜୀବୀଙ୍କୁ ଠାରୁ କିଛି କମ୍ ନୁହେଁ । ତାଙ୍କଠାରୁ କର୍ମଯୋଗ କ’ଣ ସହଜେ ବୁଝାପଡ଼େ ।
ଅବସର ପରେ କାମ କରିବାକୁ ସମ୍ପର୍କୀୟ ମନା କଲେବି ସେ ମାନିବାକୁ ନାରାଜ । ତାଙ୍କ କହିବା କଥା, ପୁଲିସ ବିଭାଗ ତାଙ୍କ ପରିବାର ପରି । ବିଭାଗକୁ ସାହାଯ୍ୟ କରି ସେ ଅକୁହା ଖୁସି ପାଉଛନ୍ତି । ନୀରବ କର୍ମଯୋଗୀର ଜ୍ବଳନ୍ତ ଉଦାହରଣ କ୍ରିଷ୍ଣା ବିକାଶ ଦତ୍ତା । ତାଙ୍କ ମତରେ ନିଷ୍ଠା ଓ କର୍ମ ପାଇଁ ସ୍ବର ନୁହେଁ ବରଂ ସ୍ବଚ୍ଛ ହୃଦୟ ଆବଶ୍ୟକ ।