କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ଏନେଇ ଜାରି ରହିଛି କଳ୍ପନାଜଳ୍ପନା । ଏହାରି ଭିତରେ ଦିଲ୍ଲୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ଆଲୋଚନା କରିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ପାଇଁ ଫଡନାଭିସ୍ଙ୍କ ନାଁରେ ବିଜେପିର ଶୀର୍ଷ ନେତୃତ୍ବ ମଞ୍ଜୁରି ଦେଇଥିବା ସୂଚନା ମିଳିଛି । କୁହାଯାଉଛି ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେଲେ ମହାୟୁତିର ଅନ୍ୟ ଦୁଇ ସହଯୋଗୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବେ । ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସହ ତାଙ୍କ ଦଳର ୧୨ ଜଣ ବିଧାୟକ ମନ୍ତ୍ରୀ ହୋଇପାରନ୍ତି । ସେମାନଙ୍କୁ ପ୍ରମୁଖ ବିଭାଗ ମଧ୍ୟ ମିଳିପାରେ । ଏନ୍ସିପି ଭାଗରେ ଉପମୁଖ୍ୟମନ୍ତ୍ରୀ ସହ ୧୦ ମନ୍ତ୍ରୀ ମଧ୍ୟ ପଡ଼ିପାରେ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ଜଣ ମନ୍ତ୍ରୀ ରହିପାରିବେ । ଏହାରି ଭିତରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକାନଥ ସିନ୍ଦେ ଇସ୍ତଫା ଦେଇପାରନ୍ତି। ହେଲେ ନୂଆ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ।