କନକ ବ୍ୟୁରୋ: ଭୁବନେଶ୍ବରରେ ହତ୍ୟା, କେନ୍ଦୁଝରରେ ମୃତଦେହ । ରାଜଧାନୀରୁ ମହିଳା ଟ୍ରାଫିକ୍ କନେଷ୍ଟବଳ ନିଖୋଜ ମାମାଲାରେ ପୁଲିସ ହାତରେ ଲାଗିଛି ବଡ଼ ସୁରାକ । ମହିଳା କନେଷ୍ଟବଳଙ୍କୁ ହତ୍ୟା କରି କେନ୍ଦୁଝରରେ ମାଟିତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ । କନଷ୍ଟେବଳଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ । ଆଉ ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା । କେନ୍ଦୁଝରର କୁସୁନପୁରରେ ମୃତଦେହ ପୋତିଥିବା ନେଇ ପୁଲିସ ଆଗରେ କହିଛି ଅଭିଯୁକ୍ତ । ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରିଛି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ । ସେପଟେ ଘଟଣାକୁ ନେଇ ପୁଲିସର ନିରବତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ୬ ତାରିଖରୁ କନେଷ୍ଟବଳ ନିଖୋଜ ରାଜଧାନୀରୁ ମହିଳା କନେଷ୍ଟବଳ ନିଖୋଜ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ। ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

Advertisment

ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ଭଲ ପାଉଥିବା ଜଣେ କନେଷ୍ଟବଳ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେଣୁ ମାମଲାର ତଦନ୍ତ କରୁଥିବା ସ୍ପେଶାଲ ସ୍କ୍ୱାଡ ସେହି କନେଷ୍ଟବଳଙ୍କ ସୂଚନାକୁ ଆଧାର କରି କେନ୍ଦୁଝର ଯାଇଥିବା ଜଣାପଡିଛି । ପ୍ରେମିକ କନେଷ୍ଟବଳ ଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝରର କେଉଁ ଜଙ୍ଗଲରେ ପୋତିଦେଇଥିବା ସୂଚନା ମିଳିଛି । ଆଉ ପୁଲିସର ସ୍ବତନ୍ତ୍ର ଟିମ୍ କ୍ରାଇମସିନରେ ପହଞ୍ଚି ମହିଳା କନଷ୍ଟେବଳ ପୋତାଯାଇଥିବା ସ୍ଥାନ ଖୋଳିବେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳାଯିବ । ମୃତଦେହ ବାହାରିବା ପରେ ପୋଷ୍ଟମର୍ଟମ ପାଇଁ ନିଆଯିବ । ସୂଚନା ଅନୁସାରେ, ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା । ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି ।