UttamMohanty ___ Photograph: (KanakNews)
କନକ ବ୍ୟୁରୋ: ଓଡିଆ ସିନେ ଜଗତର ସୁପରଷ୍ଟାର ଉତ୍ତମ ମହାନ୍ତି, କେବେବି ଇଚ୍ଛା କରିନଥିଲେ ଜଣେ ଅଭିନେତା ହେବାକୁ ହେଲେ ଭାଗ୍ୟ ବି ବେଳେବେଳ ବାଟ କଢାଏ ଏହାକୁ ସେ ନିଜେ ପରେ ଅସ୍ବୀକାର କରିପାରିନଥିଲେ । ଦିନ. ଅଭିନେତା ହେବାକୁ କେବେବି ଭାବିନଥିବା ମଣିଷ ପରିବର୍ତ୍ତୀ ସମୟରେ ହୋଇଯାଇଥିଲେ ସୁପରଷ୍ଟାର ଆଉ ପ୍ରତିଟି ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ।
ଫିଲ୍ମରେ ଅଭିନୟ କରିବାକୁ କେବେବି ଇଚ୍ଛା ନଥିଲା ଉତ୍ତମଙ୍କର। କାରଣ ସେତେବେଳେକୁ କାଁ ଭାଁ ବର୍ଷକୁ ଗୋଟିଏ ଦୁଇଟି ଫିଲ୍ମ ନିର୍ମାଣ ହେଉଥିଲା। ତେଣୁ ସିନେମାକୁ କ୍ୟାରିୟର କରିବାକୁ ଆଉ ଆଧାର କରି ବଞ୍ଚିବାକୁ କେହି ଚାହୁଁନଥିଲେ ବା ଖୁବ୍ କମ୍ ଚାହୁଁଥିଲେ। ହେଲେ ଥରେ କଲେଜ ଛୁଟିରେ ସେ ଘରକୁ ଯାଇଥିବା ସମୟରେ ତାଙ୍କୁ ଫିଲ୍ମ’ ଅଭିମାନ’ ପାଇଁ ଅଫର ମିଳିଥିଲା। ଇଚ୍ଛା ନଥିଲେ ବି କଲେଜ ଛୁଟି ଥିବାରୁ ମନା କରିପାରିନଥିଲେ। କିନ୍ତୁ ଅଭିମାନରେ ଅଭିନୟ କରୁକରୁ ଅଭିନୟରେ ମନ ଲାଗିଯାଇଥିଲା। ଆଉ କତେବେଳେ ଅଭିନୟ ତାଙ୍କ ଜୀବନ ପାଲଟିଗଲା।
ଅଭିମାନରେ ଅଭିନୟ କରିବା ପରେ କିଛିଦିନ ଅଭିନୟରୁ ଦୂରେଇଯାଇଥିଲେ । କିନ୍ତୁ ପରେ ଜିଦରେ ଫେରିଆସିଥିଲେ । ପ୍ର୍ଥମ ଫିଲ୍ମର ସୁଟିଂ ପରେ ସେ ପଢିବା ପାଇଁ କୋଲକାତା ଯାଇଥିଲେ। ସେଠାରେ ଥିବାବେଳେ ଫିଲ୍ମ ନିର୍ଦ୍ଦେଶକ ଧୀର ବିଶ୍ବାଳଙ୍କଠାରୁ ଫିଲ୍ମ ’ଗୌରୀ’ ପାଇଁ ଅଫର ମିଳିଥିଲା । ହେଲେ କ୍ରମେ ଏହି ଫିଲ୍ମ ପାଇଁ ତାଙ୍କ ବଦଳରେ ପ୍ରଶାନ୍ତ ନନ୍ଦଙ୍କୁ ନିଆଯାଇଥିଲା । ଯାହା ଉତ୍ତମଙ୍କୁ ଭାରି ଖରାପ ଲାଗିଥିଲା। ତେଣୁ ସେ ଫିଲ୍ମରେ ନିଜର ସ୍ଥାନ ଜମାଇବାକୁ ଜିଦରେ ନିଷ୍ପତ୍ତି ନେଇଥିଲେ।
୧୯୭୭ରେ ଅଭିମାନ ଓ ଦୁଇ ବର୍ଷ ପରେ ୧୯୭୯ରେ ପତିପତ୍ନୀରେ ଅଭିମାନ କରିବା ପରେ ସେ ଆଉ ପଛକୁ ଚାହିଁନଥିଲେ। ଶେଷ ଯାଏଁ ୧୩୦ରୁ ଅଧିକ ଓଡିଆ ଫିଲ୍ମ ସହ ୩୦ଟି ବଙ୍ଗଳା ଫିଲ୍ମରେ ଅଭିନୟ କରି ନିଜ ଅଭିନୟର ଛାପ ଛାଡିଯାଇଛନ୍ତି। ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ରାଜ୍ୟ ଚଳଚ୍ଚିତ୍ର ସମ୍ମାନଠାରୁ ଆରମ୍ଭ କରି ଓଡିଶା ଲିଜେଣ୍ଡ ଆୱାର୍ଡ ,ଜୟଦେବ ପୁରସ୍କାର ସହ ଏକାଧିକ ସମ୍ମାନ ପାଇଛନ୍ତି।
ପ୍ରକୃତରେ ୭୦ ଦଶକର ଶେଷ ଆଡକୁ ଉତ୍ତମଙ୍କ ସହ ଫିଲ୍ମ ଜଗତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା କହିଲେ ଭୁଲ ହେବନି। ପ୍ରଥମ ଫିଲ୍ମରୁ ହିଁ ସେ ପୁରା ବାରିହୋଇପଡୁଥିଲେ। ନିଜର ବଳିଷ୍ଠ ଅଭିନୟ ସହ ସେ ସମସ୍ତଙ୍କ ମନରେ ଘର କରିନେଇଥିଲେ। ଆଉ ପ୍ରମାଣ କରିଦେଇଥିଲେ ସେ ଉତ୍ତମ ନୁହଁନ୍ତି ବରଂ ସର୍ବୋତ୍ତମ।
Follow Us