ଢୁ ଢୁ ବର୍ଷା ଢାଳୁଛି । ହେଲେ ମା’କୁ ଛାଡି ଯାଉନି କୁନି ବାଛୁରୀ । ତା’ ମା’ ପରା ଉଠିପାରୁନି । ଦେହ ଏତେ ଦୁର୍ବଳ ଯେ ଉଠିବାକୁ ବଳ ପାଉନି । ତାକୁ ଏ ବସ୍ଥାରେ ଛାଡି କୁଆଡେ ଯିବ? ଓଃ ଏ ଦୃଶ୍ୟ ଆଖି ଓଦା କରିଦେଉଛି ।
 
ଏ ବାଛୁରୀ ଛୁଆ ଆଗରେ ତଳକୁ ଖସିଯାଇଛିି ମଣିଷପଣିଆ । ଟିକେ ସ୍ୱାର୍ଥକୁ ବାଧା ଆସିଲେ ଯେଉଁଠି ମଣିଷ ନିଜ ଜନ୍ମକଲା ବାପା, ମାଙ୍କୁ ପର କରିଦେଉଛି, ଛୁଆକୁ ମାରିଦେଉଛି ସେଠି ଏ ବାଛୁରୀ ଛୁଆର ସ୍ନେହ ଦେଖିଲେ ଭାରି ଇର୍ଷା ହୁଏ । 

ଭୁୁବନେଶ୍ୱର ନିଳାଦ୍ରୀବିହାର ବୋର୍ଡ କଲୋନୀର ଘଟଣା । ରାସ୍ତାରେ ବୁଲି ଏଣୁତେଣୁ ଖାଇବା ପରେ ଫୁଡ ପଏଜନର ଶିକାର ହୋଇଛି ଏ ଗାଈ । ୩ ଦିନ ରାସ୍ତାରେ ଶୋଇ ରହିବା ପରେ ଆଉ ଉଠିପାରିଲାନି । ପୁରା ଅଚେତ ହୋଇପଡିବା ପରି ଗାଈର ଅବସ୍ଥା ହୋଇଥିଲା । ହେଲେ ତା’ ବାଛୁରୀ ଛୁଆର କି ବୁଦ୍ଧି! ତା’ ମା’କୁ ସେମିତି ଜଗି ରହିଥିଲା । କେତେବେଳେ ତାକୁ ଉଠାଇବାକୁ ଚେଷ୍ଟା କରୁଥିଲା, ତ ପୁଣି କେତେବେଳେ ବାଟରେ ଯାଉଥିବା ଲୋକଙ୍କ ପାଖକୁ ଦୌଡି ଯାଉଥିଲା । କାଳେ କେହି ତା ମା’ ପାଖକୁ ଆସି ଟିକେ ଦେଖିବ । ପାଖାପାଖି ୪ ଦିନ,  କି ଖରା କି ନିଦାଘ ବର୍ଷା ସେମିତି ନିଜ ମା’ କୁ ଜଗି ରହିଥିଲା ରାସ୍ତା କଡରେ । 
 

ପଶୁ ହେଲେ ବି କଅଁଳା ବାଛୁରୀର ବିକଳ ଶୁଣିଥିଲେ ଉପରବାଲା, କିଛି ସ୍ୱେଚ୍ଛାସେବୀଙ୍କ ଆଖିରେ ପଡିଥିଲା ଏ ଦୃଶ୍ୟ । ଛୁଆ ବାଛୁରୀର ବ୍ୟବହାର ସେମାନଙ୍କୁ ବଚଳିତ କରିଥିଲା  । ଶେଷରେ ଗାଈକୁ ଚିକିତ୍ସା କରିବା ଆରମ୍ଭ କରିଥିଲେ ସ୍ୱେଚ୍ଛାସେବୀଙ୍କ ସହ କିଛି ସହୃଦୟ ସ୍ଥାନୀୟ ଲୋକେ । ଗାଈକୁ ମେଡିସିନ୍ , ଇଞ୍ଜେକ୍ସନ ଦେବା ସହ ବାଛୁରୀକୁ ମଧ୍ୟ ଖାଦ୍ୟ ଖୁଆଇଥିଲେ । 
 

ଧିରେ ଧିରେ ଗାଈ ମୁଣ୍ଡ ଉଠାଇ ଆଖି ଖୋଲିଥିଲା । ତା’ ମା’କୁ ଭଲ ହେଉଥିବା ଦେଖି  ଛୁଆ ବାଛୁରୀର ଖୁସି କହିଲେ ନସରେ । ଉଭୟ ଗାଈ ବାଛୁରୀଙ୍କୁ ଗୋଶାଳାକୁ ପଠାଇଥିଲେ ସ୍ୱେଚ୍ଛାସେବୀ । ସତରେ ଏ କୁନି ବାଛୁରୀ ଯେମିତି ନିଜ ମା’ର ଋଣ ସୁଝିଦେଇଛି ।

ଏଠି ପ୍ରଶ୍ନ ଉଠୁଛି ଯେଉଁଠି କଅଁଳା ବାଛୁରୀଟେ ତା’ ମାର କଷ୍ଟକୁ ବୁଝିପାରୁଛି ସେଠି ଏ ମଣିଷ ଏତେ ଅବୁଝା କାହିଁକି , ଏତେ ସ୍ୱାର୍ଥପର କିପରି? ବର୍ଷ ବର୍ଷ ଖିର ଦୁହିଁ ଖାଇବା ପରେ ସେବା ନକରି ଅସହାୟ ଅବସ୍ଥାରେ ଗୋମାତାକୁ ରାସ୍ତାରେ ଛାଡିଦେବାକୁ କେମିତି ତା’ ବିବେକ କହୁଛି? ଏ ଦୃଶ୍ୟ ମଣିଷପଣିଆକୁ ପ୍ରଶ୍ନ କରୁଛି ।
ବ୍ୟୁରୋ ଡିଜିଟାଲ ସହ ଭୁବନେଶ୍ୱରରୁ ସିମ୍ପୁଲ ନାଏକଙ୍କ ରିପୋର୍ଟ କନକ ନ୍ୟୁଜ୍