କନକ ବ୍ୟୁରୋ : ଘରେ ଘରେ ଦୋକାନ ବଜାରରେ ଛେନାପୋଡ଼ର ଆଦର କାହିଁରେ କେତେ । କିଏ କିଏ ତ କୁହନ୍ତି ମିଠା ଭିତରେ ସିଏ ରାଜା । ଆମେ ଛେନାପୋଡ଼ କଥା ଏଇଥି ଲାଗି କହୁଛୁ କାରଣ ଆଜି ବିଶ୍ୱ ଛେନାପୋଡ଼ ଦିବସ । ଆମେ ସମସ୍ତେ ଜାଣନ୍ତି ଛେନାପୋଡ଼ ପାଇଁ ନୟାଗଡ଼ ପ୍ରସିଦ୍ଧ । ହେଲେ ଏବେ କେବଳ ନୟାଗଡ଼ରେ ଏହି ଦିବସ ପାଳନ ହେଉଛି ତାହା ନୁହେଁ ବରଂ ପୂରା ରାଜ୍ୟରେ ଓ ଦେଶର ଅନେକ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।

Advertisment

ଛେନାପୋଡ଼.. ତାକୁ କିଏ କହେ ମିଠା ତ ପୁଣି ପ୍ରସ୍ତୁତି ଦୃଷ୍ଟିରୁ କିଏ କୁହେ ପିଠା । ପୋଡ଼ ପୋଡ଼ିଆ ପୁଣି ଲୁତୁପୁତିଆ । ସୁଆଦ ଏମିତି ଯେ ଯିଏ ଥରେ ଚାଖିଛି, ସିଏ ତାର ମଜା ପାଇଛି । ସେଇଥିପାଇଁ ତ ରାଜ୍ୟର ସବୁଠି, ସବୁ କୋଣରେ ଛେନାପୋଡ଼ ଆଇଟମ୍ ବିନା ମିଷ୍ଟାନ ଭଣ୍ଡାର କଥା ଚିନ୍ତା ବି କରାଯାଇ ପାରେନା । ଆଜି ସେଇ ଛେନାପୋଡ଼ର ଦିନ । ତେଣୁ ଏହି ମିଠା ଖାଇବାକୁ ବଂଚିତ ହେବ ବା କିଏ ।

କୁହାଯାଏ, ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ର ସ୍ୱର୍ଗତ ସୁଦର୍ଶନ ସାହୁ ଏବଂ ତାଙ୍କ ବାପା ବିଦ୍ୟାଧର ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି । ଆଉ ୨୦୨୨ ମସିହାରୁ ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ହିଁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ଆଉ ଏହି ଦିନରେ ପୂରା ରାଜ୍ୟରେ ଘରେ ଘରେ ଏହି ଛେନାପୋଡ଼ ବେଶ ଆପଣାର ହୋଇପାରିଛି । ତେଣୁ ଆପଣ ଆଉ ବିଳମ୍ବ ନକରି ତୁରନ୍ତ ଛେନାପୋଡ଼ ଖାଆନ୍ତୁ ।