କନକ ବ୍ୟୁରୋ: ଚାଷୀ ହେଉଛି ଅନ୍ନଦାତା, କିନ୍ତୁ ଆଜି ସେଇ ଅନ୍ନଦାତା ନିଜ କଷ୍ଟ ଅର୍ଜିତ ଧାନ ବିକିବାକୁ ଯାଇ ବାଟରେ ପ୍ରାଣ ହରାଇଛି । ସରକାରଙ୍କ ବଡ଼ ବଡ଼ ଦାବି ଏବଂ ମଣ୍ଡି ବ୍ୟବସ୍ଥା କେମିତି ଜଣେ ନିରୀହ ଚାଷୀର ଜୀବନ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜନଗର ବ୍ଲକରେ । ଧାନ ଦେବାକୁ ଆସିଥିବା ମେସେଜ୍ ସତେ ଯେମିତି ତ୍ରିଲୋଚନ ନାୟକଙ୍କ ପାଇଁ ମୃତ୍ୟୁର ପରୱାନା ସାଜିଲା ।
ଆହୁରି ପଢ଼ନ୍ତୁ: ମାଟି ତଳୁ ମିଳିଲା ସୁନା କବର
ଜାନୁଆରୀ ୧୬ ତାରିଖରେ ମେସେଜ୍ ଆସିଥିଲା, ମନରେ ଆଶା ଥିଲା ଧାନ ବିକିଲେ ଦୁଇ ପଇସା ପାଇବେ, ପରିବାର ଚଳିବ । ହେଲେ ସେବା ସମବାୟ ସମିତିର ସମ୍ପାଦକ ଏବଂ ମିଲରଙ୍କ ମନମାନି ଜଣେ ହସୁଥିବା ଖେଳୁଥିବା ମଣିଷକୁ ଶବ କରିଦେଲା । ୪୦ ଦିନ କାଳ ମଣ୍ଡିରୁ ସମିତି, ସମିତିରୁ ମିଲ୍... ଏମିତି ଦୌଡ଼ି ଦୌଡ଼ି ଶେଷରେ ହାରିଗଲେ ରାଜନଗର ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକ ।
କେବଳ ଦୌଡ଼ି ନାହାନ୍ତି ତ୍ରିଲୋଚନ, ରାମଚଣ୍ଡୀ ମିଲ୍ ବାହାରେ ତିନି ତିନି ଦିନ ଧରି ଅଖିଆ ଅପିଆ ପଡ଼ି ରହିଥିଲେ । ବ୍ୟବସ୍ଥାର କ୍ରୁରତା ଦେଖନ୍ତୁ, କୁଇଣ୍ଟାଲ ପିଛା ୬ କେଜି କଟ୍ନି ସହ ୩ କୁଇଣ୍ଟାଲ ଧାନ ଓ ଅନଲୋଡ଼ିଂ ପାଇଁ ୩ ହଜାର ଟଙ୍କା ଲାଞ୍ଚ ଦେବା ପରେ ଯାଇ ତାଙ୍କ ଗାଡ଼ି ଖାଲି ହେଲା । କିନ୍ତୁ ସେହି ମାନସିକ ନିର୍ଯ୍ୟାତନାକୁ ସହିପାରିଲେନି ତ୍ରିଲୋଚନ। ମିଲ୍ରୁ ଫେରିବା ପରେ ଘରେ ପହଞ୍ଚୁ ପହଞ୍ଚୁ ଆଖି ବୁଜିଦେଲେ ଅନ୍ନଦାତା ।
ଏଠି ପ୍ରଶ୍ନ ଉଠୁଛି...
କାହା ସ୍ଵାର୍ଥରେ ସରକାରୀ ମଣ୍ଡି ଚାଲିଛି? ଚାଷୀ ପାଇଁ ନା ମିଲର ପାଇଁ?
୪୦ ଦିନ ଧରି ଜଣେ ଚାଷୀ କାହିଁକି ହଇରାଣ ହେଲା? ସେଥିପାଇଁ ଦାୟୀ କିଏ?
କୁଇଣ୍ଟାଲ ପିଛା ୬ କେଜି ଧାନ ଓ ଟଙ୍କା ମାଗିବା ପାଇଁ ମିଲରଙ୍କୁ କିଏ ଅଧିକାର ଦେଲା?
ସରକାର ଚାଷୀଙ୍କ ପାଇଁ ବଜେଟରେ ହଜାର ହଜାର କୋଟି ଟଙ୍କାର ଯୋଜନା କରୁଛନ୍ତି, କିନ୍ତୁ ଗ୍ରାଉଣ୍ଡ ଜିରୋରେ ମିଲର ଓ ଅସାଧୁ କର୍ମଚାରୀଙ୍କ ପାଇଁ ଚାଷୀ ଆତ୍ମହତ୍ୟା କରୁଛି ନଚେତ ମାନସିକ ଚାପରେ ମରୁଛି । ତ୍ରିଲୋଚନଙ୍କ ମୃତ୍ୟୁ ଏକ ସାଧାରଣ ମୃତ୍ୟୁ ନୁହେଁ, ବରଂ ଏହା ବ୍ୟବସ୍ଥାର ଏକ 'ହତ୍ୟା' । କେବେ ଚେତିବ ପ୍ରଶାସନ? କେବେ ମିଳିବ ତ୍ରିଲୋଚନଙ୍କ ପରିବାରକୁ ନ୍ୟାୟ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/26/4-farmer-die-rajnagar-raja-2026-02-26-17-11-31.jpg)