କନକ ବ୍ୟୁରୋ: କାଳ ହେଉଛି ବଜ୍ରପାତ । ଗତ ୫ ବର୍ଷ ଭିତରେ ୧୪୧୮ ଜଣଙ୍କ ଗଲାଣି ଜୀବନ । ଏମିତି ତଥ୍ୟ ବିଧାନସଭାରୁ ଆସିବା ପରେ ଚିନ୍ତା ବଢାଇଛି । ଖାସ କରି ମୟୂରଭଂଜରେ ସର୍ବାଧିକ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ହେବା ନେଇ ରିପୋର୍ଟ ଆସିଛି । କେବଳ ମୟୂରଭଞ୍ଜରେ ନୁହେଁ ବରଂ ପୂରା ଓଡ଼ିଶାରେ ସ୍ଥିତି ସଙ୍ଗୀନ ରହିଛି । ରିପୋର୍ଟ ଅନୁସାରେ…

Advertisment


ଓଡ଼ିଶାରେ ୫ ବର୍ଷରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ

ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୨୦୨୪-୨୦୨୫ରେ  ୨୦୫ ଜଣଙ୍କ ଜୀବନ ଯାଇଥିବା ବେଳେ ବାଲେଶ୍ବରରେ ୧୮ ଜଣଙ୍କ ଯାଇଛି ଜୀବନ । ଠିକ୍‌ ସେହିପରି ୨୩-୨୪ରେ ୨୭୨ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ବାଲେଶ୍ବର ଓ ମୟୂରଭଞ୍ଜରେ ୨୪ ଜଣଙ୍କର ଯାଇଛି ଜୀବନ ।  ୨୨-୨୩ରେ  ୩୦୬ ଜଣଙ୍କ ଜୀବନ ଯାଇଥିବା ବେଳେ ମୟୂରଭଞ୍ଜରେ ଯାଇଛି ୩୫ ଜଣଙ୍କ ଜୀବନ । ଏହାସହ ୨୧-୨୨ରେ ୨୯୬ ଜଣଙ୍କ ଜୀବନ ଯାଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୨୬ ଜଣଙ୍କ ଜୀବନ ଯାଇଛି । ଠିକ୍‌ ସେହିପରି ୨୦-୨୧ରେ  ୩୩୯ ଜଣଙ୍କ ଜୀବନ ଯାଇଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ୩୯ ଜଣଙ୍କ ଜୀବନ ଯାଇଛି । ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ପ୍ରାୟ ପ୍ରତିବର୍ଷ ମୟୂରଭଞ୍ଜରେ ହିଁ ସର୍ବାଧିକ ଲୋକଙ୍କ ବଜ୍ରପାତରେ ହିଁ ଯାଉଛି ।

ଓଡ଼ିଶାରେ ସ୍ଥିତି ଯାହା ଭାରତରରେ ବି ତାହା

କଥାହେଲା, କେବଳ ଓଡ଼ିଶାରେ ନୁହେଁ ବରଂ ଭାରତରେ ବି ବଜ୍ରପାତରେ ଯାଉଛି ଅନେକ ଜୀବନ ।  ବଜ୍ରପାତ ଏକ ପ୍ରାକୃତିକ ଘଟଣା କିନ୍ତୁ ମଣିଷ ପାଇଁ ବଜ୍ରପାତ ଏକ ବଡ଼ ବିପତ୍ତି ପାଲଟିଲାଣି । କାରଣ ପ୍ରତିବର୍ଷ ଏଥିରେ ମୃତ୍ୟୁସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏକ ଘରୋଇ ସଂସ୍ଥା ‘ଆର୍ଥ ନେଟ୍‌ୱାର୍କ’ ର ବିବରଣୀରେ କୁହାଯାଇଛି କି, ୨୦୧୯ ତୁଳନାରେ ଭାରତରେ ୨୦୨୦ରେ ପ୍ରାୟ ୨୩% ବଜ୍ରପାତ ସଂଖ୍ୟା ବୃଦ୍ଧି ପାଇଛି । ଖାଲି ୨୦୨୦ରେ ନୁହେଁ ବରଂ ବର୍ଷକୁ ବର୍ଷ ଏହି ସଂଖ୍ୟା ବଢିବାରେ ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଭାରତରେ ବର୍ଷକ ମଧ୍ୟରେ ପ୍ରାୟ ୩ କୋଟି ୯୦ ଲକ୍ଷରୁ ଅଧିକ ବଜ୍ରପାତ ଚିହ୍ନଟ ହେଉଛି । ସେଥିମଧ୍ୟରୁ ୧ କୋଟି ୩୦ ଲକ୍ଷ ବଜ୍ରପାତ ଅତ୍ୟନ୍ତ ବିପଜ୍ଜନକ ବୋଲି ଦର୍ଶାଯାଇଛି । ସ୍ଥିତି ଏମିତି ହୋଇଥିଲା କି, ଗୋଟିଏ ଦିନରେ ବଜ୍ରାଘାତରେ ୭୦ ଜଣଙ୍କ ଜୀବନହାନି ହୋଇଥିଲା । 
କେମିତି ରହିବେ ସୁରକ୍ଷିତ ?

ବଜ୍ରପାତ…କେତେବେଳେ ହେବ କହିବା ସମ୍ଭବ ନୁହେଁ । ହେଲେ ବି ପାଣିପାଗ ବିଭାଗ ଏବେ ବହୁ ପୂର୍ବରୁ ଆକଳନ କରୁଛି କି ବଜ୍ରପାତ ହେବ ବୋଲି । ସେହି ଅନୁସାରେ ପଦକ୍ଷେପ ନେବାକୁ ହେବ । ଅର୍ଥାତ୍‌ ବଜ୍ରପାତ ପୂର୍ବରୁ ସୂଚନା ପାଇବା ମାତ୍ରେ ନିରାପଦ ଜାଗାରେ ଆଶ୍ରୟ ନେବାକୁ ହେବ । ଗଛତଳେ ବା ବିଜୁଳି ପରିବାହିତ ଜାଗାରେ ରହିବା ଅନୁଚିତ୍‌ । ଭଲ କଥା ଯେ ଆମ ରାଜ୍ୟରେ ଭାରତୀୟ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ଲୋକଙ୍କ ମୋବାଇଲ୍‌ ଫୋନ୍‌କୁ ବଜ୍ରପାତ ହେବାର ଅଧ ଘଣ୍ଟା ପୂର୍ବରୁ ସେଥିନେଇ ସତର୍କତା ବାର୍ତ୍ତା ପଠାଯାଉଛି । ହେଲେ ବି ଜୀବନ ଯାଉଛି । ଓଡ଼ିଶା ଭାରତର ସର୍ବାଧିକ ବଜ୍ରପାତପ୍ରବଣ ରାଜ୍ୟ ଓ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷରୁ ଅଧିକ ବଜ୍ରପାତ ହେଉଥିବା କୁହାଯାଉଛି । ତେଣୁ ଏଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏ ସମ୍ପର୍କରେ ସଚେତନତା ଲୋଡ଼ା। ଦ୍ବିତୀୟତଃ, ବଡ଼ବଡ଼ କୋଠା, ପ୍ରାସାଦ, ଅଟ୍ଟାଳିକା ଆଦିରେ ବଜ୍ରପାତ ନିରୋଧୀ ବ୍ୟବସ୍ଥା (ଲାଇଟ୍‌ନିଂ ଆରେଷ୍ଟର୍‌ ସିଷ୍ଟମ୍‌ ବା ଏଲ୍‌ଏଏସ୍‌) ଲଗାଯିବା ଅପରିହାର୍ଯ୍ୟ । ମୋଟ୍‌ ଉପରେ ବଜ୍ରପାତକୁ ନେଇ ରିପୋର୍ଟ ଆସିଛି ତାହାକୁ ନେଇ ଚିନ୍ତା ବଢିଛି ।