କନକ ବ୍ୟୁରୋ: ସ୍ବପ୍ନର ଉଡ଼ାଣ, ହସ ଖୁସିର ଉଡ଼ାଣ ଓ ଆବେଗ-ଅପେକ୍ଷାର ଉଡ଼ାଣ ଯେବେ ମୃତ୍ୟୁର ଉଡ଼ାଣରେ ପରିଣତ ହୁଏ । ସେତେବେଳେ ସାମ୍ନାକୁ ଆସେ ହୃଦୟ ବିଦାରକ ଚିତ୍ର । ଉଚ୍ଚଅଟ୍ଟାଳିକାର ଛାତିକୁ ଚିରିଦେଇଗଲା ମୃତ୍ୟୁର ବିମାନ । କାଗଜର ଗୁଡ଼ି ପରି ଏଣେତେଣେ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିବା ବିମାନ ବଖାଣୁଛି ମୃତ୍ୟୁ କେତେ ଭୟଙ୍କର ରୂପ ନେଇପାରେ । ପାଉଁଶ ପାଲଟିଯାଇଥିବା ସେ ହାଡ଼, ମାଂସ ସବୁ ଏବେ ଅପରିଚିତ ଆଉ ଅଜଣା ଶବ ।
ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି ଯାହା ଆପଣଙ୍କ ଆଖିକୁ ଓଦା କରିଦେବ । ଉଡ଼ାଣ ଭରିବାର କେଇ ମିନିଟ୍ ପରେ ହଷ୍ଟେଲକୁ ଧକ୍କା ଦେଇ ଧ୍ବଂସ ହୋଇଯାଇଥିଲା AI-171 ଉଡ଼ାଜାହଜ । ଖାଇବା ଥାଳି ଅଛି ହେଲେ ଖାଇବାକୁ ସେ ଲୋକ ଆଉ ନାହାନ୍ତି । ମେସ୍ ରେ ଖାଇ ବସିଥିବା ପିଲାଙ୍କ ଉପରେ ବି ଖସି ପଡ଼ିଥିଲା ମୃତ୍ୟୁ । କେହି କିଛି ବୁଝିବା ପୂର୍ବରୁ ଅହମ୍ମଦାବାଦ ଆକାଶରେ ଖେଳିଯାଇଥିଲା କଳାବାଦଲ । ବିମାନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କ୍ରାସ୍ ପରେ ଆଖପାଖ ସବୁ କିଛି କଳାଧୂଆଁମୟ ହୋଇଗଲା । ଜୀବନ ବଞ୍ଚାଇବାକୁ ଖାଇବା ଥାଳି ଛାଡ଼ି ଛାତ ଉପରୁ ଡେଇଁ ପଡ଼ିଥିଲେ ଏକାଧିକ ଛାତ୍ରଛାତ୍ରୀ । ଓଃ କି ହୃ୍ୟଦୟ ବିଦାରକ ଚିତ୍ର ସବୁ...
କିଏ ସ୍ବପ୍ନ ସାକାର କରିବାକୁ ଉଡ଼ାଣ ଭରିଥିଲା ତ କିଏ ସ୍ବପ୍ନ ସାଇତିବାକୁ, କିଏ ନିଜର ଲୋକଙ୍କୁ ଭେଟିବାକୁ ଯାଉଥିଲା ତ କିଏ ଭାରତରୁ ସୁନ୍ଦର ସ୍ମୃତି ନେଇ ବିଦାୟ ନେଇଥିଲା । ହେଲେ କିଏ ଜାଣିଥିଲା ଏ ଯାତ୍ରା ଅନ୍ତିମ ଯାତ୍ରା ହୋଇଯିବ । ପାହାଡ଼ ଭଳି ଗଦା ହୋଇଥିବା ବିମାନର ଏ ଧ୍ବଂସାବଶେଷ ଭିତରେ ପୋତି ହୋଇପଡ଼ିଛି ଅନେକ ପରିବାରର ବତୁରା କାହାଣୀ । ରାଜସ୍ଥାନ ବାଂଶୱାଡ଼ାର ଡାକ୍ତର ପରିବାର ପୂରା ଛାରଖାର ହୋଇଯାଇଛି । ଡାକ୍ତର ପ୍ରତୀକ ତାଙ୍କ ପତ୍ନୀ ଏବଂ ୩ ଛୁଆଙ୍କ ସହ ନେଇଥିବା ସେଲ୍ଫି ଶେଷ ସେଲ୍ଫି ପାଲଟିଯାଇଛି । ଏମାନଙ୍କ ପରିଚୟ ପାଇବାକୁ ହେଲେ ୨୪୧ ଜଣ ମୃତ ଯାତ୍ରୀଙ୍କ ମଧ୍ୟରୁ ଏମାନଙ୍କ ରକ୍ତ, ମାଂସର ନମୁନାକୁ DNA କରିବାକୁ ପଡ଼ିବ ।
ଏ ଦୁର୍ଘଟଣା ହଲିଉଡ୍ ଫିଲ୍ମ ‘ଫାଇନାଲ୍ ଡେଷ୍ଟିନେସନ୍’ଠୁ ବି ଭୟଙ୍କର ଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିମାନ କ୍ରାସ୍ ହେବା ପରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଜୀବନ୍ତ ଦଗ୍ଧ ହୋଇଥିବା ଯାତ୍ରୀଙ୍କ ଶବ ସବୁ ଆଡ଼େସାଡ଼େ ଛିଟିକି ପଡ଼ିଥିଲା । ଏବେ ବି ସେ ବିମାନର ଧ୍ବଂସାବଶେଷ ତଳେ ପାଉଁଶ ହୋଇ ପଡ଼ି ରହିଛି ଅନେକ ପରିଚୟ, ଅନେକଙ୍କ ଅଧୁରା ସ୍ମୃତି, ଆକାଶରେ ଅଧା ଉଡ଼ାଣ ଭରିଥିବା ସ୍ବପ୍ନ । ଆଜି ଏମାନେ କାଲି ଆଉ କିଏ, ମୃତ୍ୟୁ କ’ଣ କାହାକୁ ଛାଡ଼େ? ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଗୋଟିଏ କଥା ସ୍ପଷ୍ଟ ଯେ, ଘରୁ ପକେଟରେ ପରିଚୟପତ୍ର ନେଇ ବାହାରିଲେ ବି ଦୁର୍ଘଟଣା ଅନେକ ପରିଚୟକୁ ପାଉଁଶ କରିଦିଏ ।