କନକ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ ନେଇ ଏବେ ପୁରା ବିଶ୍ବରେ ଚର୍ଚ୍ଚା । ଖାଲି ଚର୍ଚ୍ଚା କାହିଁକି ବରଂ କେମିତି ସେଠାରେ ହିନ୍ଦୁମାନେ ସୁରକ୍ଷିତ ରହିବେ ସେନେଇ ଆନ୍ଦୋଳନ ବି ଜାରି ରହିଛି । ସଜସଜ ବାଂଲାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶରେ ବଢୁଥିବା ଆନ୍ଦୋଳନରେ କୌଣସି ନିଷ୍କର୍ସ ବାହାର ନକରିପାରିବାରୁ ଗାଦିଚ୍ୟୁତ ବି ହୋଇଛନ୍ତି । ଏହାରି ଭିତରେ ମଧ୍ୟପ୍ରଦେଶର ବେତୁଲ ସହରରେ ଥିବା ବାଲାଜୀପୁରମ୍‌ ମନ୍ଦିରର ସଂସ୍ଥାପକ ଯେଉଁ ଘୋଷଣା କରିଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ସେ ଘୋଷଣା କରିଛନ୍ତି ଯେଉଁ ପ୍ରବଚକ ବାଂଲାଦେଶରେ ଯାଇ ଭାଗବତ ପଢିବା ସହ ବୁଝାଇବେ ତାଙ୍କୁ ଦକ୍ଷିଣା ବାବଦରେ ୧ କୋଟି ମିଳିବା ସହିତ ଯିବାଆସିବା ପାଇଁ ସ୍ବତନ୍ତ୍ର ଚାଟାର୍ଡ ଫ୍ଲାଇଟ୍‌ର ବ୍ୟବସ୍ଥା କରାଯିବ ।


ମନ୍ଦିର ସଂସ୍ଥାପକଙ୍କ ଐତିହାସିକ ଘୋଷଣା
ଭାଗବତ ଲାଗି ୧ କୋଟିର ଦକ୍ଷିଣା ବ୍ୟବସ୍ଥା

Advertisment

ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଅନେକବାର ପ୍ରଶ୍ନ ଉଠିଛି । ଖାଲି ପ୍ରଶ୍ନ ଉଠିଛି ତାହା ନୁହେଁ ବରଂ ବଢିଥିବା ବ୍ୟଭିଚାର କମ୍‌ କରିବାକୁ ଦାବି ବି ହୋଇଛି । ତେଣୁ ଏମିତି ସ୍ଥିତିରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ବାଲାଜୀପୁରମ୍‌ ମନ୍ଦିର ସଂସ୍ଥାପକ ନୂଆ କୌଶଳ ଆପଣାଇଛନ୍ତି । ସେ କହିଛନ୍ତି, ଦେଶର ଯେଉଁ ପ୍ରବଚକ ବାଂଲାଦେଶ ଯାଇ ସେଠାରେ ଭାଗବତ ପଢିବେ ଓ ବୁଝାଇବେ ତାଙ୍କୁ ୧ କୋଟିର ଦକ୍ଷିଣା ମିଳିବ । କେବଳ ଦକ୍ଷିଣା ନୁହେଁ ବରଂ ତାଙ୍କ ଯିବା ଆସିବାର ସବୁ ଖର୍ଚ୍ଚ ସହ ଅନେକ ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନ ସ୍ଥିତିରେ ବାଂଲାଦେଶରେ ଯେଉଁ ହିନ୍ଦୁମାନେ ରହୁଛନ୍ତି ସେମାନେ ଭାଗବତ ପଢିବା,ଶୁଣିବା ଓ ଜାଣିବା ନିହାତି ଦରକାର । ଖାଲି ଏତିକି ନୁହେଁ ହିନ୍ଦୁ ଧର୍ମର ସୁରକ୍ଷା ଲାଗି ଆମେ ସବୁପ୍ରକାର ବ୍ୟବସ୍ଥା କରିବୁ । ପ୍ରତ୍ୟେକ ଧର୍ମର ଲୋକଙ୍କ ଲାଗି ନିଜନିଜ ଧର୍ମ ବେଶ ଗୁରୁତ୍ବପୂର୍ଣ୍ଣ । ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି । 

ଭାଗବତ ପଢିଲେ ଓ ଶୁଣିଲେ
ଶାନ୍ତ ରହିଥାଏ ମନ

କଥାରେ ଅଛି ବୁଝ ନବୁଝ ପଢ ଗୀତା, ରୁଚୁ ନରୁଚୁ ଖାଅ ପିତା । ଅର୍ଥାତ୍‌ ଧର୍ମଗ୍ରନ୍ଥକୁ ଆପଣ ବୁଝନ୍ତୁ କି ନବୁଝନ୍ତୁ ବାରମ୍ବାର ପଢିବା ଦ୍ବାରା ଧୀରେ ଧୀରେ ବୁଝାପଡ଼ିବ । ଠିକ୍‌ ସେମିତି ପାଟିକୁ ପିତା ସ୍ବାଦ ନଲାଗିଲେ ବି ଶରୀର ଲାଗି ତାହା ଭଲ । ଠିକ୍‌ ସେହିପରି ମନ୍ଦିରର ସଂସ୍ଥାପକ କହିଛନ୍ତି, ଭାଗବତ ପଢିବା ଓ ଶୁଣିବା ଦ୍ବାରା ମନଶାନ୍ତି ରହେ । ତେଣୁ ବାଂଲାଦେଶରେ ଚାଲିଥିବା ଅଶାନ୍ତଙ୍କର ପରିବେଶ ଭିତରେ ଭାଗବତ ପଢିଲେ ସେଠାରେ ଥିବା ହିନ୍ଦୁଙ୍କ ମନଶାନ୍ତ ରହିବ । ତେଣୁ ଆମେ ଏମିତି ନିଷ୍ପତ୍ତି ନେଇଛୁ ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ବାଂଲାଦେଶରେ କ୍ରମାଗତ ଭାବରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ହିନ୍ଦୁଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରଯାଉଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ଯାହା କେବଳ ଭାରତକୁ ବ୍ୟଥିତ କରିଛି ତାହା ନୁହେଁ ବରଂ ପୁରା ବିଶ୍ବକୁ ବ୍ୟଥିତ କରିଛି । ତେଣୁ ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ସବୁ ପ୍ରକାର କାର୍ଯ୍ୟ କରାଯିବ ବୋଲି କୁହାଯାଉଛି । ସରକାରୀସ୍ତରରେ ବି ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ବାଲାଜୀପୁରମ୍‌ ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । 

ଏପଟେ ମନ୍ଦିର ସଂସ୍ଥାପକଙ୍କ ଏମିତି ଘୋଷଣା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଖାସ କରି ବାଂଲାଦେଶରେ ଯେଉଁ ସ୍ଥିତି ହୋଇଛି ସେଠାକୁ ଯିବାକୁ କେଉଁ ପ୍ରବଚକ କାହିଁକି ସହମତି ଦେଖାଇବେ ସେନେଇ ବି ପ୍ରଶ୍ନ ଉଙ୍କି ମାରିଛି । ଏବେ ସମୟ କହିବ ବାଂଲାଦେଶ ଯାଇ ଭାଗବତ ପଢାଇବାକୁ କିଏ ରାଜି ହେଉଛନ୍ତି ।