କନକ ବ୍ୟୁରୋ: କ୍ରିକେଟ୍ ମଇଦାନରେ ଛକା-ଚୌକା ମାରୁଥିବା ଖେଳାଳି କ’ଣ ବାସ୍ତବ ଜୀବନରେ ଏତେ ଭୟଙ୍କର ହୋଇପାରନ୍ତି? ପାକିସ୍ତାନୀ କ୍ରିକେଟର ଇମାଦ ୱାସିମଙ୍କ ପାରିବାରିକ ବିବାଦ ଏବେ ଏକ ଜଘନ୍ୟ ଅପରାଧର ରୂପ ନେଇଛି । ପୂର୍ବତନ ପତ୍ନୀ ସାନିଆ ଅସଫାକଙ୍କ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ଏହି ବିବାଦ ପଛରେ ଲୁଚି ରହିଛି ଗୋଟିଏ ନିଷ୍ପାପ ଶିଶୁର ‘ହତ୍ୟା’ ଏବଂ ଜଣେ ମହିଳାଙ୍କ ଅକଥନୀୟ ଯନ୍ତ୍ରଣାର କାହାଣୀ ।

Advertisment

ଆହୁରି ପଢ଼ନ୍ତୁ: ଅଡୁଆରେ ଏହି ପାକ୍ କ୍ରିକେଟର୍

ସାନିଆ ଅସଫାକଙ୍କ ଅଭିଯୋଗ ଅନୁଯାୟୀ, ଡିସେମ୍ବର ୨୦୨୩ରେ ତାଙ୍କୁ ଜୋରଜବରଦସ୍ତି ଗର୍ଭପାତ କରାଯାଇଥିଲା । ସାନିଆ ଏହାକୁ କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏକ ‘ନିର୍ମମ ହତ୍ୟାକାଣ୍ଡ’ ବୋଲି ବର୍ଣ୍ଣନା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସମୟରେ ଲାହୋରରେ ସେ ସମ୍ପୂର୍ଣ୍ଣ ଏକା ଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା ।

ସାନିଆ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ଏହି ଘଟଣାର ପର୍ଯ୍ୟାପ୍ତ ପ୍ରମାଣ ରହିଛି । ଏଥିରେ କେବଳ ହ୍ୱାଟସଆପ୍ ଚାଟ୍ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ଭିଡିଓ ରେକର୍ଡିଂ ମଧ୍ୟ ସାମିଲ ଅଛି, ଯାହା ଇମାଦଙ୍କ ଅସଲ ଚେହେରାକୁ ସାମ୍ନାକୁ ଆଣିପାରିବ । ଜଣେ ସଫଳ କ୍ରିକେଟର ଭାବେ ଇମାଦଙ୍କୁ ଲୋକେ ଆଦର୍ଶ ମାନନ୍ତି, କିନ୍ତୁ ଯଦି ଏହି ଅଭିଯୋଗ ସତ୍ୟ ହୁଏ, ତେବେ ତାଙ୍କ ପାଇଁ କ୍ରିକେଟ୍ ପଡ଼ିଆରେ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ ।

ଖାଲି ଏତିକି ନୁହେଁ ସାନିଆ ଯେତେବେଳେ ନ୍ୟାୟ ମାଗିବାକୁ ଚେଷ୍ଟା କଲେ, ତାଙ୍କୁ ଚୁପ୍ କରାଯିବା ସହ ତାଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ କରାଗଲା । ଏହା ପାକିସ୍ତାନ କ୍ରିକେଟର ପାୱାର କରିଡରରେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ କଳା କାରନାମାକୁ ଦର୍ଶାଉଛି । ସାନିଆ ଅସଫାକ ଏବେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନକଭି ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଘଟଣାର ଏକ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । କେବଳ ଖେଳାଳି ହୋଇଥିବାରୁ କାହାକୁ ମଧ୍ୟ ଆଇନର ଊର୍ଦ୍ଧ୍ୱରେ ରଖାଯିବା ଉଚିତ୍ ନୁହେଁ ।

ବଡ଼କଥା ହେଉଛି ନୈତିକତା କୁଆଡ଼େ ଗଲା? ଜଣେ ମହିଳାଙ୍କୁ ତାଙ୍କ ମାତୃତ୍ୱରୁ ବଞ୍ଚିତ କରିବା ଏବଂ ଗର୍ଭପାତ ପାଇଁ ବାଧ୍ୟ କରିବା ଏକ ଅକ୍ଷମଣୀୟ ଅପରାଧ । ତେଣୁ ସାନିଆ ପ୍ରଶ୍ନ ଉଠାଇଛନ୍ତି ଯେ, ଯେଉଁ ବ୍ୟକ୍ତି ନିଜ ପରିବାର ଓ ସନ୍ତାନ ପ୍ରତି ବିଶ୍ୱାସଘାତକତା କରିପାରେ, ତାକୁ କିପରି ଇସଲାମାବାଦ ୟୁନାଇଟେଡ୍ ଭଳି ବଡ଼ ଟିମ୍ ନିଲାମରେ ନେଇପାରୁଛି? ଜଣେ ଅଭିଯୁକ୍ତକୁ ଷ୍ଟାର୍‌ର ସମ୍ମାନ ଦେବା କେତେଦୂର ଯୁକ୍ତିଯୁକ୍ତ ?

ଇମାଦ ୱାସିମଙ୍କୁ ସିଧାସଳଖ ‘ହତ୍ୟାକାରୀ’ କହି ସାନିଆ ଯେଉଁ ସାହସ ଦେଖାଇଛନ୍ତି, ତାହା କୋଟି କୋଟି ମହିଳାଙ୍କ ସ୍ୱର । ଯଦି ପାକିସ୍ତାନ କ୍ରିକେଟରେ ଶୃଙ୍ଖଳା ଓ ନୈତିକତା ବଞ୍ଚିଛି, ତେବେ ତୁରନ୍ତ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଇମାଦଙ୍କୁ ବୟକଟ କରିବା ଏବଂ ତାଙ୍କୁ ଉତ୍ତରଦାୟୀ କରିବା ଏବେ ସମୟର ଆହ୍ୱାନ । ଦୋଷୀକୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଏହି ବିବାଦର ନିଆଁ ଥମିବନି ବୋଲି ଜଣାପଡ଼ୁଛି ।