କନକ ବ୍ୟୁରୋ: ମନମୋହନ ସିଂହ ! କେବଳ ଏକ ନାମରେ ସୀମିତ ନୁହେଁ ତାଙ୍କୁ ସବୁଠି ଶ୍ରେଷ୍ଠ କରିଛି ତାଙ୍କ କାମ । ସିଏ ଅର୍ଥଶାସ୍ତ୍ରୀ, ସିଏ ଅପ୍ରତ୍ୟାଶିତ ପ୍ରଧାନମନ୍ତ୍ରୀ, ସିଏ ପୁଣି ଅନେକ ସମ୍ମାନର ଅଧିକାରୀ । କିଏ ଡାକେ ତାଙ୍କୁ ଭାରତୀୟ ଅର୍ଥନୀତିର ସୂତ୍ରଧର, କିଏ ଡାକେ ରୁଗ୍ଣ ଅର୍ଥନୀତିର ସଂସ୍କାରକ, ପୁଣି କିଏ କୁହେ ମିଷ୍ଟର୍ କ୍ଲିନ୍ ମାନେ ସ୍ୱଚ୍ଛ ପ୍ରଧାନମନ୍ତ୍ରୀ... ସିଏ ନମ୍ର, ସିଏ ନିରବ, ସିଏ ମିଷ୍ଟଭାଷୀ, ସିଏ ସରଳ ଏବଂ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ।
କିଏ କୁହେ ତାଙ୍କୁ ର୍ଦୁବଳ ତ ଆଉ କିଏ କୁହେ ସେ ନିରବ । ଆଉ ବିରୋଧି ତ ତାଙ୍କୁ ମନମୋହନରୁ 'ମୌନମୋହନ' ପ୍ରଧାନମନ୍ତ୍ରୀ ବୋଲି କଟାକ୍ଷ କରନ୍ତି । କିନ୍ତୁ ଏସବୁ କଟୁ କଥାକୁ ତାଙ୍କର ନମ୍ର ଭାବନା ହିଁ ନଜର ଅନ୍ଦାଜ କରିଦେଇପାରେ ।
ସମ୍ପୁର୍ଣ୍ଣ ଭଦ୍ର, ନମ୍ର, ସରଳ ଭାବମୁର୍ତ୍ତି ରଖୁଥିବା ଭଳି ସେ ଥିଲେ ଦେଶର ଅନ୍ୟତମ ନିଷ୍କଳଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ । ନେତା ଭାବ ଭଲ ଭାଷଣ ଦେଇ ପାରନ୍ତିନି ସତ କି ରାଜନୀତିର ମିଛ ରଙ୍ଗରେ ନିଜକୁ ରଙ୍ଗୀନ କରିପାରନ୍ତିନି ସତ । ହେଲେ ସେ ବୁଝିଥିଲେ ଦେଶର କୋଟି କୋଟି ଗରିବଙ୍କ ଦୁଃଖ । ସେ ଜାଣିଥିଲେ ଗ୍ରାମୀଣ ଅର୍ଥନୀତି ହିଁ ଦେଶର ଭାଗ୍ୟ ବଦଳାଇ ଦେବ । ତେଣୁ ତ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତ ଯୋଜନା ଆଣି ସେ ବନିଯାଇଥିଲେ ଦେଶର ଜନନେତା, ଜନଯୋଦ୍ଧା ଆଉ ମହାନନାୟକ...
ଦେଶ ବିଭାଜନ ପରେ ସେ ପାକିସ୍ତାନରୁ ପଳାଇ ଆସିଥିଲେ ସତ... ହେଲେ ତାଙ୍କ ପ୍ରାରମ୍ଭିକ ଜୀବନ ଥିଲା ବେଶ୍ ସଂଘର୍ଷମୟ । ୧୨ ବର୍ଷ ହେବା ଯାଏଁ ତାଙ୍କ ଘରେ ବିଜୁଳି ନଥିଲା । ତେଣୁ ସେ କିରାସିନି ଲଣ୍ଠନରେ ପାଠ ପଢୁଥିଲେ । ଘରକୁ ପାଇପ ପାଣି ଆସୁନଥିଲା, ଘର ପାଖରେ ସ୍କୁଲ ନଥିଲା ତେଣୁ ସେ ଅନେକ ଦୂର ଚାଲିଚାଲି ଯାଉଥିଲେ ।
ପ୍ରଧ୍ୟାପକରୁ ପ୍ରଧାନମନ୍ତ୍ରୀ ହୋଇଥିବା ମନମୋହନ ସିଂ ହିନ୍ଦୀ ପଢିପାରୁ ନଥିଲେ କି ଲେଖି ପାରୁନଥିଲେ । ଯେହେତୁ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଉର୍ଦ୍ଦୁରେ ଥିଲା ତେଣୁ ସେ ହିନ୍ଦୀ ଲେଖିପାରୁନଥିଲେ ।
୨୦୦୪ ମସିହା ସାଧାରଣ ନିର୍ବାଚନରେ ଭାଜପାର ବିରୋଧ ଯୋଗୁଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧ ପ୍ରଧାନମନ୍ତ୍ରୀ ନହୋଇ ଅପ୍ରତ୍ୟାଶିତ ଭାବେ ମନମୋହନ ସିଂହଙ୍କୁ ମନୋନୀତ କରିଥିଲେ । ବାସ୍ ତାପରେ ହିଁ ମନମୋହନ ଦେଶର ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଛାଡି ଚାଲିଥିଲେ ଛାପ ।ମନମୋହନଙ୍କ ଜୀବନୀ ଉପରେ ୨୦୧୯ରେ 'ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର' ନାମକ ଏକ ବଲିଉଡ ସିନେମା ମଧ୍ୟ ନିର୍ମାଣ କରାଯାଇଥିଲା । କଥା ନୁହେଁ କାମରେ ବିଶ୍ୱାସ ରଖୁଥିବା ମନମୋହନଙ୍କୁ କେବେ ଭୁଲିପାରିବନି ଦେଶ...