କନକ ବ୍ୟୁରୋ: ପ୍ରେମ ମାନେନା ବନ୍ଧବାଡ଼, ପ୍ରେମ ପଚାରେନା ପରିଚୟ । ପ୍ରେମ ଯାତେରାରୁ ହୁଏ ପ୍ରେମ ପୂଜାବଜାରରେ ବି ହୁଏ । ଭଦ୍ରକ କାଳୀପୂଜାକୁ ବୁଲିଆସି ଭଲପାଇବସିଲେ ସୋରର ଜିତେନ୍ଦ୍ର । ଅଳ୍ପ ଦେଖାରେ ଦିଲ୍ ଦିଆନିଆ ହେଇଗଲେ ଦୁଇ ଦିବ୍ୟାଙ୍ଗ । ଫୋନ୍ ନମ୍ବର ଦିଆନିଆରୁ ପ୍ରେମର ପ୍ରଥମ ପାହାଚ ଚଢ଼ିଥିଲେ ଦୁହେଁ । ଏବେ ବାହାବେଦୀରେ ଗଢ଼ିଛନ୍ତି ନୂଆ ସଂସାର ।
ଭଦ୍ରକ କାଳୀପୂଜାରେ ଦେଖାହୁଏ, ଦୁହିଁଙ୍କୁ ଅଳ୍ପ ଦେଖାଯାଉଥିଲେ ବି ପ୍ରେମର ପଲକରେ ପ୍ରେମ ହେଇଯାଏ । ଖିଲି ଖିଲି ହସ ଆଉ ଆଖିର ଏପଟସେପଟ ଇସାରା ସତେ ଯେମିତି ଇଶ୍ୱରଙ୍କ ଇଚ୍ଛା ବୋଲି ମନେହୁଏ । ଧିରେ ଧିରେ ଲିଲିଙ୍କୁ ଦେଖି ମନକଥା କହି ଜୀବନସାଥୀ କରିବାକୁ ଚାହିଁଲେ ଜିତେନ୍ଦ୍ର । ଫୋନ୍ ନମ୍ବର ଦେବାନେବା ପରେ ଗଢ଼ି ଉଠିଲା ପ୍ରେମର ଏକ ବିଶାଳ ପାହାଡ଼ ।
ଲିଲିଙ୍କୁ ବିବାହ ପାଇଁ ପ୍ରଥମେ ମନଖୋଲି କହିଥିଲେ ଜିତେନ୍ଦ୍ର ହେଲେ ଲିଲିଙ୍କ ପରିବାରଲୋକେ ଲିଲିଙ୍କ କଥାରେ ରାଜି ହୋଇନଥିଲେ । କେବଳ ଜିତେନ୍ଦ୍ରଙ୍କୁ ଜୀବନସାଥୀ କରିବେ ବୋଲି, ଜିଦ୍ରେ ଲିଲି ଖୋର୍ଦ୍ଧାରୁ ସୋରରେ ଆସି ପହଞ୍ଚିଲେ । ଉଭୟ ଲିଲି ଓ ଜିତେନ୍ଦ୍ରଙ୍କ ପ୍ରେମ କାହାଣୀ ଜାଣିବା ପରେ ଜିତେନ୍ଦ୍ରଙ୍କ ବାପା ସେମାନଙ୍କ ମନର ମଲାଟରେ ପ୍ରେମର ପୃଷ୍ଠାକୁ ପୂରଣ କଲେ । ଆଉ ଦୁହିଁଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ପରିବାର ଲୋକ ଏବଂ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବୈଦିକ ରୀତିନୀତିରେ ସୋର କୋଷେଶ୍ୱର ମନ୍ଦିରରେ ବିବାହ କରିଛନ୍ତି ଲିଲି ଓ ଜିତେନ୍ଦ୍ର । ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ହୋମ ନିଆଁ ଆଗରେ ସାତ ଜନ୍ମର ସାଥୀ ବନିଛନ୍ତି ଦୁଇ ଦିବ୍ୟାଙ୍ଗ ।
#ଖୋର୍ଦ୍ଧାରୁ_ସୋର #ପ୍ରେମରୁ_ଗଢ଼ିଲେ_ନୂଆ_ସଂସାର ସତରେ ପ୍ରେମକୁ ଦେଖାଯାଏନି । କେବଳ ଅନୁଭବ ଆଉ ଆଖିର ଝାପ୍ସା ଇସାରାରେ ହିଁ ବନିଯାଏ ଯୋଡ଼ି ।...
Posted by Kanak News on Sunday, November 17, 2024
କିଏ ଯଦି ପ୍ରେମର ପରିଭାଷା କେମିତି ବୋଲି ପଚାରେ ସେ ଲିଲି ଓ ଜିତେନ୍ଦ୍ରଙ୍କ ଲଭଷ୍ଟୋରୀକୁ ନିହାତି ଦେଖିବା କଥା । ପିଲାଦିନରୁ ଦୁହେଁ ୯୫ ପ୍ରତିଶତ ଦୃଷ୍ଟିବାଧିତ, ଆଉ ପ୍ରେମକୁ ପରା ଦେଖାଯାଏନି । ତେଣୁ ଦୁହେଁ ଦୁହିଁଙ୍କୁ ଆଖିବୁଜା ପ୍ରେମ କରୁଛନ୍ତି । ସେଥିପାଇଁ ତ ଏକ ସୁନ୍ଦର ଶାଶ୍ୱତ ପ୍ରେମ କାହାଣୀକୁ ସାମାଜିକ ସ୍ୱୀକୃତି ଦେଇଛନ୍ତି । ବିବାହ କରିଛନ୍ତି, ଇଶ୍ୱରଙ୍କ ଇଚ୍ଛାକୁ ଇସାରରେ ବୁଝିଛନ୍ତି ଲିଲି ଓ ଜିତେନ୍ଦ୍ର ।