କନକ ବ୍ୟୁରୋ: ଯାହାର ଇଚ୍ଛାଶକ୍ତି ଆକାଶ ପରି ବିଶାଳ, ତାକୁ ଦୁନିଆର କୌଣସି ଶକ୍ତି ପଙ୍ଗୁ କରି ପାରିବନି । ମାଲକାନଗିରିର ଏମିତି ଜଣେ ବୀରାଙ୍ଗନା ଯାହାଙ୍କ ପାଇଁ ଶାରୀରିକ ଅକ୍ଷମତା କେବଳ ଏକ ଶବ୍ଦ ମାତ୍ର । ଜନ୍ମରୁ ହାତ-ଗୋଡ ଅଚଳ, କିନ୍ତୁ ଆଖିରେ ଅଛି କିଛି କରି ଦେଖାଇବାର ଜିଦ୍ । ପାଦ ଅଛି ହେଲେ ଚାଲିବାକୁ ଶକ୍ତି ନାହିଁ, ତଥାପି ସେଇ ପାଦରେ କଲମ ଧରି ସେ ଆଜି ଲେଖୁଛନ୍ତି ନିଜ ଭାଗ୍ୟର ଆଗାମୀ ଭବିଷ୍ୟତ । ଆସନ୍ତୁ ଜାଣିବା ମାଟ୍ରିକ୍ ପରୀକ୍ଷା ଦେଉଥିବା ଲକ୍ଷ୍ମୀଙ୍କ ଅଦମ୍ୟ ସଂଘର୍ଷର କାହାଣୀ ।

Advertisment

ଏହା କେବଳ ଗୋଟିଏ ଖାତା କିମ୍ବା କଲମ ନୁହେଁ, ଏହା ହେଉଛି ଜଣେ ସଂଗ୍ରାମୀର ଅସ୍ତ୍ର । ଯେଉଁ ହାତରେ ବହି ଧରିବା କଥା, ସେ ହାତ ଆଜି ନିର୍ଜୀବ । ଯେଉଁ ଗୋଡ଼ରେ ଦୁନିଆ ବୁଲିବା କଥା, ସେ ଗୋଡ଼ ଆଜି ଭାର ସମ୍ଭାଳିବାକୁ ଅକ୍ଷମ । କିନ୍ତୁ ହାର୍ ମାନିନାହାନ୍ତି ମାଲକାନଗିରି ସିନ୍ଧ୍ରୀମାଳର ଏହି ଲକ୍ଷ୍ମୀ । ଶ୍ରେଣୀଗୃହର ଚଟ୍ଟାଣରେ ବସି, ନିଜର ସେଇ ସରୁ ସରୁ ଅଚଳ ପାଦ ଆଙ୍ଗୁଠିରେ କଲମକୁ ଜାବୁଡ଼ି ଧରି ଯେତେବେଳେ ସେ ଓଏମଆର୍ ଶିଟ୍ ପୂରଣ କରନ୍ତି, ସେତେବେଳେ ସମୟ ବି ସତେ ଯେମିତି ଅଟକିଯାଏ । ଭାଗ୍ୟ ତାଙ୍କୁ ଚାଲିବାର ଶକ୍ତି ଦେଇନି ସତ, ହେଲେ ଲକ୍ଷ୍ମୀ ନିଜ ପରିଶ୍ରମରେ ଭାଗ୍ୟକୁ ବି ଚ୍ୟାଲେଞ୍ଜ ଦେଇଛନ୍ତି ।

ଭଗବାନ ଦୁଇ ହାତକୁ ଅଚଳ କରିଦେଇଛନ୍ତି, ଆଣ୍ଠୁରେ ବଳ ନାହିଁ । ୮୦ ପ୍ରତିଶତ ଦିବ୍ୟାଙ୍ଗତା ଶରୀରକୁ ପଙ୍ଗୁ କରିଦେଇଛି । ଗୁରୁଣ୍ଡିବା ବି ଯାହାଙ୍କ ପାଇଁ ଏକ ସ୍ୱପ୍ନ, ସେ ଆଜି ଘୋସାରି ଘୋସାରି ସ୍କୁଲ ଯାଉଛନ୍ତି । କେବଳ ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ସାକାର ପାଇଁ । ଲକ୍ଷ୍ମୀ କେବଳ ଜଣେ ପରୀକ୍ଷାର୍ଥୀ ନୁହନ୍ତି, ସେ ହେଉଛନ୍ତି ମାଲକାନଗିରିର ସେଇ "ଅସ୍ତ ନହେଉଥିବା ସୂର୍ଯ୍ୟ", ଯିଏ ଅନ୍ଧକାର ଭିତରେ ବି ନିଜ ପାଇଁ ଆଲୋକ ଖୋଜି ପାଇଛନ୍ତି ।

ଦୁନିଆ ପାଇଁ ସେ ହୁଏତ ଅକ୍ଷମ, କିନ୍ତୁ ତାଙ୍କ ସ୍ୱାଭିମାନ ଆଜି ସ୍ବାଭିମାନ ଅଞ୍ଚଳ ସହ ସାରା ଓଡ଼ିଶାର ଶୋଭା ବଢ଼ାଉଛି । ପରୀକ୍ଷା ପାଇଁ ରାଇଟର ବା ଲେଖକ ନେବାକୁ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ, ହେଲେ ଲକ୍ଷ୍ମୀ ତାକୁ ପ୍ରତ୍ୟାଖ୍ୟାନ କରିଦେଲେ । ସେ କହିଲେ, ମୋ ଗୋଡ଼ ହିଁ ମୋର ପରିଚୟ, ମୁଁ ନିଜେ ନିଜର ଭବିଷ୍ୟତ ଲେଖିବି । ଆଜି ଯେତେବେଳେ ଶିକ୍ଷୟିତ୍ରୀମାନେ ତାଙ୍କ ହାତକୁ ଆଡମିଟ୍ କାର୍ଡ ବଢ଼ାଇ ଦେଉଛନ୍ତି, ସେତେବେଳେ ଲାଗୁଛି ସତେ ଯେମିତି ଜଣେ ଯୋଦ୍ଧାକୁ ଯୁଦ୍ଧ ମଇଦାନକୁ ଯିବା ପୂର୍ବରୁ ସମ୍ମାନିତ କରାଯାଉଛି ।

ଏହି ସଂଘର୍ଷ ପଛରେ ଅଛି ଏକ ଗରିବ ଶ୍ରମିକ ବାପା-ମା'ଙ୍କ ଲୁହ ଓ ଲହୁ । ୧୦ ବର୍ଷ ଧରି ବାପା ନାରାୟଣ ଖେମୁଡୁ ନିଜ ପିଠିରେ ବୋହି ଝିଅକୁ ସ୍କୁଲ୍ ଆଣନ୍ତି । ନିଜେ ଅଭାବରେ ରହିଲେ ବି ଝିଅର ସ୍ୱପ୍ନରେ କେବେ ସାଲିସ୍ କରିନାହାନ୍ତି । ଆଜି ସେହି ଅଭିଶପ୍ତ ଶରୀରକୁ ଆଶୀର୍ବାଦରେ ବଦଳାଇ ଦେଇଛନ୍ତି ଲକ୍ଷ୍ମୀ ।

ଲକ୍ଷ୍ମୀଙ୍କ ଏହି ସାହସକୁ ଆଜି ସବୁ ପରୀକ୍ଷାର୍ଥୀ ସଲାମ କରିବା କଥା । କାରଣ ଯେଉଁମାନେ ଛୋଟ ଛୋଟ ସମସ୍ୟାରେ ଭାଙ୍ଗି ପଡ଼ନ୍ତି, ସେମାନଙ୍କ ପାଇଁ ଲକ୍ଷ୍ମୀ ଏକ ଜ୍ୱଳନ୍ତ ଉଦାହରଣ । କଷ୍ଟ ତ ସମସ୍ତଙ୍କ ଜୀବନରେ ଆସେ, କିନ୍ତୁ ସେହି କଷ୍ଟକୁ କେବଳ ଲକ୍ଷ୍ମୀଙ୍କ ପରି କେହି ଜଣେ ହିଁ କ୍ରାନ୍ତିରେ ବଦଳାଇପାରେ ।