କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟର ମହାସମର । ଏହା ପୂର୍ବରୁ ବିସିସିଆଇ ଆଣିଲା ବଡ଼ ପରିବର୍ତ୍ତନ । ଆଇପିଏଲକୁ ରୋମାଞ୍ଚକ କରିବା ପାଇଁ ବିସିସିଆଇ ବଦଳାଇଲା ୪ ନିୟମ । ନିୟମ ବଦଳିବା ଦ୍ୱାରା ଉଭୟ ବୋଲର୍‌ ଓ କ୍ୟାପ୍ଟେନଙ୍କୁ ମିଳିବ ଫାଇଦା । ବିସିସିଆଇ ପକ୍ଷରୁ ଗୁରୁବାର ବଲ୍‌ରେ ଲାଳ ଲଗାଇବା ବ୍ୟାନ୍‌କୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏହା ସହ ସ୍ଲୋ ଓଭର୍‌ ରେଟ୍‌ ଯୋଗୁ ଏଣିକି କ୍ୟାପ୍ଚେନଙ୍କ ଉପରେ ବ୍ୟାନ ଲାଗିବନି ବୋଲି ମଧ୍ୟ ନିଷ୍ପତ୍ତି ଦିଆଯାଇଛି । ଏହାଛଡ଼ା ଅନେକ ନିୟମରେ ପରିବର୍ତ୍ତନ ଆଣିଛି ବିସିସିଆଇ ।

Advertisment

ନୂଆ ସିଜିନରେ ନୂଆ ନିୟମ । ରୋମାଞ୍ଚକ ହେବ ପ୍ରତିଟି ମ୍ୟାଚ୍‌ । କୋଭିଡ୍‌ ମହାମାରୀ ବେଳେ ଆଇସିସି ପକ୍ଷରୁ ଲଗାଯାଇଥିବା କଟକଣାକୁ ବିସିସିଆଇ ପକ୍ଷରୁ ଆଇପିଏଲ ୨୦୨୫ରେ ହଟାଇ ଦିଆଯାଇଛି । ପୂର୍ବରୁ ବଲ୍‌ରେ ଲାଳ ଲଗାଇବାକୁ ଅନୁମତି ଥିବା ବେଳେ କୋଭିଡ୍‌ ବେଳୁ ଏହା ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଗୁରୁବାର ଏକ ବୈଠକରେ ସମସ୍ତ କ୍ୟାପ୍ଟେନଙ୍କୁ ଅନୁମତିରେ ଏହି ନିୟମରେ ପରିବର୍ତ୍ତନ ଅଣାଯାଇଛି । ଏଣିକି ବୋଲର୍‌ମାନେ ପୂର୍ବରୁ ଯେଭଳି ବଲ୍‌କୁ ସାଇନ୍‌ କରିବା ପାଇଁ ଲାଳ ବ୍ୟବହାର କରୁଥିଲେ । ଯାହା ଦ୍ୱାରା ରିଭର୍ସ ସ୍ୱିଙ୍ଗ ଦେଖିବାକୁ ମିଳୁଥିଲା । ପୁଣି ଥରେ ସମାନ ତରିକା ଆପଣେଇପାରିବେ ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ବେଳେ ଟିମ୍‌ ଇଣ୍ତିଆର ଷ୍ଟାର ବୋଲର ମହମ୍ମଦ ଶାମି ବଲରେ ଲାଳର ବ୍ୟବହାର ସପକ୍ଷରେ ମତ ରଖିଥିଲେ । ଶାମି କହିଥିଲେ, ଆମକୁ ବଲରେ ଲାଳ ମାରିବାକୁ ଅନୁମତି ଦିଆଯିବା ଦରକାର । ଏହାଦ୍ୱାରା ଆମେ କ୍ରିକେଟରୁ ହଜିଯାଇଥିବା ରିଭର୍ସ ସ୍ୱିଙ୍ଗ୍‌କୁ ପୁଣି ଫେରାଇ ଆଣିବାକୁ ସକ୍ଷମ ହେବୁ । ଏହା ମ୍ୟାଚକୁ ବି ରୋମାଞ୍ଚକର କରିବ । ବଲକୁ ସାଇନ କରିବା ପାଇଁ ସାଲାଇବାର ବ୍ୟବହାର ହେଉ ନଥିବାରୁ ରିଭର୍ସ ସ୍ୱିଙ୍ଗ୍‌ ମିଳୁ ନାହିଁ ।

ସେପଟେ ବୋଲିଂ ଟିମ୍‌ ୨୦ ଓଭର୍‌ରେ ୨ଟି ନୂଆ ବଲ୍‌ର ବ୍ୟବହାର କରିପାରିବେ । କାକର ସମସ୍ୟା ଯୋଗୁ ବଲ୍‌ ଓଦା ହୋଇଯିବାରୁ ବୋଲିଂରେ ଅସୁବିଧା ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ୧୧ ଓଭର୍‌ ପରେ କ୍ୟାପ୍ଟେନ ନୂଆ ବଲ୍‌ର ବ୍ୟବହାର କରିପାରିବେ । କିନ୍ତୁ ଏନେଇ ଫିଲ୍ଡ ଅମ୍ପାୟାର ନିଷ୍ପତ୍ତି ନେବେ । ପୁରୁଣା ବଲ୍‌କୁ ଯାଞ୍ଚ କରିବା ପରେ ନୂଆ ବଲ୍‌ ଖେଳିବା ପାଇଁ ଅନୁମତି ଦେବେ ।

ଏହାଛଡ଼ା ସ୍ଲୋ ଓଭର୍‌ ରେଟ୍‌ କାରଣରୁ କ୍ୟାପ୍ଟେନଙ୍କୁ ବ୍ୟାନ୍‌ କରାଯାଉଥିଲା । ଯାହା ଏହି ସିଜିନ୍‌ରେ ଆଉ ଦେଖିବାକୁ ମିଳିବନି । ସ୍ଲୋ ଓଭର୍‌ ରେଟ୍‌ ପାଇଁ କ୍ୟାପ୍ଚେନଙ୍କ ଉପରେ ଡିମେରିଟ୍‌ ପଏଣ୍ଟ ଲାଗିବ ଏବଂ ମ୍ୟାଚ୍‌ ଫି ମଧ୍ୟ କଟାଯିବ । କିନ୍ତୁ ତାଙ୍କୁ କୌଣସି ମ୍ୟାଚ୍‌ ପାଇଁ ବ୍ୟାନ୍‌ କରାଯିବ ନାହିଁ । ଗତ ବର୍ଷ ସ୍ଲୋ ଓଭର୍‌ ରେଟ୍‌ କାରଣରୁ ମୁମ୍ୱାଇ ଇଣ୍ତିଆନ୍ସର କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବିରୋଧରେ ବ୍ୟାନ୍‌ ଲାଗିଥିଲା । ଯେଉଥି ପାଇଁ ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ ଖେଳିପାରିବେନି ହାର୍ଦ୍ଦିକ ।

ଆଇପିଏଲ୍‌ରେ ଇମ୍ପାକ୍ଟ ଖେଳାଳିକୁ ନେଇ ଦ୍ୱନ୍ଦ୍ୱ ବଢୁଥିବା ବେଳେ ଏଥର ମଧ୍ୟ ଇମ୍ପାକ୍ଟ ଖେଳାଳିର ନିୟମ ବଜାୟ ରହିବ ବୋଲି ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଇମ୍ପାକ୍ଟ ଖେଳାଳି ଯୋଗୁ ଆଇପିଏଲ୍‌ରେ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳୁଛି ।