କନକ ବ୍ୟୁରୋ : ନବେ ଦଶକ କଥା ଯଦି ମନେ ପକାଇବା ଲୋକ WWE ପଛରେ ପାଗଳ ଥିଲେ । ଟିଭି ସାମ୍ନାରେ ବସି ପଡ଼ିଲେ ଢିସୁମ୍ ଢିସୁମର ଶବ୍ଦ ଶୁଣିବାକୁ ଭାରି ଭଲ ଲାଗୁଥିଲା । କିନ୍ତୁ ସମୟ ଗଡ଼ିବା ସହ ଲୋକଙ୍କୁ ଆଉ WWE ଦେଖିବା ଖାସ୍ ପସନ୍ଦ ହେଲାନି । ଆଉ ଏହାର କାରଣ ବୋଧହୁଏ ଆମର ନିତିଦିନିଆ ଜୀବନରେ ଏହି ଢିସୁମ୍ ଢିସୁମ ପ୍ରବେଶ କରିଥିଲା । ବସୁଧୈବ କୁଟୁମ୍ବକମ୍ ବୋଲାଉଥିବା ଆମ ଭାରତଭୂମିରେ ବିଭିନ୍ନ ଭାଷାଭାଷୀର ଲୋକ ବାସ କରୁଛନ୍ତି । ଅମକ ରାଜ୍ୟରେ ତାମିଲ୍ କହୁଥିବା ଲୋକକୁ ସମକ ରାଜ୍ୟରେ ସମ୍ମାନର ସହ ଆଲିଙ୍ଗନ କରାଯାଉଥିଲା । କିନ୍ତୁ ଏହି କିଛି ଦିନ ହେଲା ଆମ ଭାରତଭୂମିର କିଛି ରାଜ୍ୟକୁ ହୋଇଛି କ’ଣ ? 

Advertisment
Language war
Language war Photograph: (google)

ଛତ୍ରପତି ଶିବାଜୀ ମହାରାଜଙ୍କ ଭଳି ବୀର ରାଜାଙ୍କ ମାଟି ମହାରାଷ୍ଟ୍ର ଏବେ ଭାଷାକୁ ନେଇ ଚର୍ଚ୍ଚାରେ ରହିଛି । ମରାଠୀ ମାନୁଷ୍ ଏବେ ରାଷ୍ଟ୍ରଭାଷା ହିନ୍ଦୀ ନୁହେଁ ମରାଠୀ ଶୁଣିବାକୁ ଚାହୁଛନ୍ତି । ଆଉ ଏଥିପାଇଁ କାହାକୁ ମାରପିଟ କଲେ ମଧ୍ୟ କିଛି ଫରକ ପଡୁନି । ସଂକ୍ଷେପରେ କହିବାକୁ ଗଲେ ମାନବିକତା ଚୁଲିକୁ ଯାଉ କିନ୍ତୁ ଆଞ୍ଚଳିକ ଭାଷାର ଗାରିମା ରହୁ । ବହୁତ ଭଲ ଆଞ୍ଚଳିକ ଭାଷାକୁ ସୁରକ୍ଷା ଦେବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ତା’ବୋଲି କ’ଣ ହିଂସା , ଜୋରଜବରଦସ୍ତକୁ ଆପଣାଇବା । ମରାଠୀ କୁହ ନହେଲେ ମାଡ଼ ଖାଅ , ଅନ୍ୟ ଏକ ରାଜ୍ୟରୁ ପର୍ଯ୍ୟଟକ ଆସିଲେ ତାଙ୍କୁ କହିବା ଯେ ମରାଠି ଶିଖି କରି ଆସ । ଏ କି ପ୍ରକାର ଭାଷା ସୁରକ୍ଷା ? 

Reporter
Reporter Photograph: (Google)

ଜଣେ ପାନଦୋକାନୀ ମରାଠି କହିପାରିଲେନି ବୋଲି ପିଟିବା । ଜଣେ ସୁରକ୍ଷାକର୍ମୀ ଆଞ୍ଚଳିକ ଭାଷା ଜାଣିନାହାନ୍ତି ବୋଲି ଅସମ୍ମାନ କରିବା । ପିଜ୍ଜା ଡେଲିଭରି ବଏ ମରାଠିରେ କହିଲେନି ବୋଲି ତାଙ୍କ ହାତରୁ ପିଜ୍ଜା ନନେବା । ଜଣେ ଦିଲ୍ଲୀର ଗଣମାଧ୍ୟମ କର୍ମଚାରୀ ମହାରାଷ୍ଟ୍ରରେ ମରାଠି କହିପାରିଲେନି ବୋଲି ତାଙ୍କୁ ଘେରି ଯାଇ ଟ୍ୟୁସନ୍ କରିବା । ଜଣେ ମହିଳା ଇଂରାଜୀରେ ଏକ୍ସକ୍ୟୁଜ୍ ମି କହିବାକୁ ନେଇ ବଡ଼ ମୁଦ୍ଦା କରିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ସୋସିଆଲ୍ ମିଡିଆରେ ୟୁଜର୍ସ ପ୍ରଶ୍ନ କରୁଛନ୍ତି ଯେ କ’ଣ ମହାରାଷ୍ଟ୍ରରେ କାମ କରିବାକୁ ହେଲେ ମରାଠି ଶିଖିବାକୁ ପଡ଼ିବ ?

ତେବେ ଖାଲି ମହାରାଷ୍ଟ୍ର କାହିଁକି ଟେକ ହବ୍ ବୋଲାଉଥିବା ବାଙ୍ଗାଲୋର ମଧ୍ୟ ମହାରାଷ୍ଟ୍ରର ପଣତକାନି ଧରି ଚାଲିଲା ଭଳି କାମ କରୁଛି । କର୍ଣ୍ଣାଟକର ବାଙ୍ଗାଲୋରରେ ମଧ୍ୟ ଏହିଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ମହିଳା ବ୍ୟାଙ୍କ୍ କର୍ମଚାରୀଙ୍କୁ ଧମକ ଦିଆଯାଉଛି ଯେ ଇଂରାଜୀ କିମ୍ବା ହିନ୍ଦୀ ନ କହି କନ୍ନଡ଼ ଭାଷାରେ କୁହ ନହେଲେ ଚାକିରି ଛାଡ଼ିଯାଅ । ରେଲୱେ ମାଇଲଷ୍ଟୋନ୍ , ବସଷ୍ଟାଣ୍ଡ୍ , ବସ୍ ଭଳି ଯାତାୟତର ସାଧନକୁ ମଧ୍ୟ ଆଞ୍ଚଳିକ ଭାଷାର ମୋହର ଲଗାଯାଇଛି । ଅନଲାଇନ୍ ଫୁଡ ଅର୍ଡର କରି ଡେଲିଭରି ବୟଙ୍କୁ କନ୍ନଡ଼ ଭାଷା ନ ଆସୁଥିବାରୁ ସିଧା ସଂସ୍ଥାକୁ ଟ୍ବିଟ୍ କରି ଅଭିଯୋଗ କରାଯାଉଛି । ଏମିତିକି ବାଙ୍ଗାଲୋରରେ ଏକ ଓଡ଼ିଆ ରେଷ୍ଟୁରାଣ୍ଟରେ ମଧ୍ୟ ଓଡ଼ିଆ ଲେଖାଯିବାକୁ ନେଇ କିଛି ଲୋକ ବିରକ୍ତ ପ୍ରକାଶ କରିଥିଲେ । ଏଭଳି ସ୍ଥିତିରେ ଗୋଟିଏ ପ୍ରଶ୍ନ ଉଠୁଛି ଭାଷା ସୁରକ୍ଷା ପାଇଁ ଚାଲୁଥିବା ଏ ଅଭିଯାନ ସତରେ ଅଭିଯାନ ନା’ ଲୋକଙ୍କୁ ଡରାଇବାର ଏକ ମାଧ୍ୟମ ? 

odia
odia Photograph: (Google)