କନକ ବ୍ୟୁରୋ : ସବୁଦିନ ପାଇଁ ନୀରବି ଯାଇଛନ୍ତି ବାଲେଶ୍ୱରର ସାହସୀ ଝିଅ ସୌମ୍ୟାଶ୍ରୀ । ଗତ ରାତିରେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଆଜି ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ବାପାମାଆ, ସମ୍ପର୍କୀୟ, ଆତ୍ମୀୟସ୍ୱଜନଙ୍କ ସମେତ ହଜାର ହଜାର ଲୋକ । ଶେଷ ଦର୍ଶନ କରିବା ପରେ ଜନ୍ମମାଟି ଭୋଗରାଇରେ ପଳାସିଆରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି ।
ଯେଉଁ ମାଟିରେ ଦିନେ ଖେଳି, ବୁଲି ବଡ଼ ହୋଇଥିଲା, ଆଜି ସେହି ଗାଁ ମଶାଣିରେ ଶେଷ ହୋଇଛି ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମ ସଂସ୍କାର । ବାଲେଶ୍ୱରର ନିଜ ଗାଁ ମଶାଣୀରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସୌମ୍ୟଶ୍ରୀ । ରୀତିନୀତି ଓ ପରମ୍ପରା ଅନୁସାରେ ସାହାସୀ ଝିଅକୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି ପୂରା ଅଞ୍ଚଳବାସୀ । ଭାଙ୍ଗିପଡିଛି ପୂରା ପରିବାର । ଛାତିପିଟି କାନ୍ଦୁଛନ୍ତି ମାଆ, ସ୍ତବ୍ଦ ହୋଇଯାଇଛନ୍ତି ଜେଜେ ମା’, ପ୍ରାଗଳ ପ୍ରାୟ ହୋଇ ଯାଇଛନ୍ତି ବାପା । ଭଉଣୀକୁ ଝୁରି ଝୁରି କାନ୍ଦୁଛି ଭାଇ ।
ଭୋଗରାଇ ପଳାସିଆ ଗାଁରେ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସୌମ୍ୟାଶ୍ରୀଙ୍କୁ ବିଦାୟ ଦେବାକୁ ତାଙ୍କ ପୈତୃକ ଗାଁରେ ନେତା, ପ୍ରଶାସକଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏକାଠି ହୋଇଥିଲେ । ଦିନେ ସାହସୀ ହେବାକୁ ବୁଦ୍ଧି ଦେଉଥିବା ଝିଅର ଏଭଳି ଅବସ୍ଥାକୁ ଦେଖି ସମସ୍ତଙ୍କ ଆଖିରୁ ଝରୁଥିଲା ଲୁହ । ତାପରେ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ଲୋକ ।
ମୃତ ସୌମ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଘଟଣା ପଛରେ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଲେଶ୍ୱର ସାଂସଦ ।
ଗତକାଲି ରାତିରେ ଜୀବନ ଯୁଦ୍ଧରେ ହାରିଯିବା ପରେ ରାତାରାତି ସୌମ୍ୟାଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଛେଦ ପରେ ହାଇଡ୍ରାମ୍ରା ଭିତରେ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କୁ ଜନ୍ମମାଟି ଅଭିମୁଖେ ନିଆଯାଇଥିଲା । ଆଜି ସକାଳେ ମରଶରୀର ପହଞ୍ଚିବା ପରେ ଗାଁରେ ଲାଗିଥିଲା ଭିଡ଼ ।