କନକ ବ୍ୟୁରୋ: ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ମୁଣ୍ଡ ଉପରେ ସତେ ଯେମିତି ଖଣ୍ଡା ଝୁଲୁଛି  । କେବେ ବକେୟା ବିଲ୍ ଆଦାୟ କରିବାବେଳେ ମାଡ଼ ଖାଉଛନ୍ତି ତ କେବେ ଅଘୋଷିତ ପାୱାର କଟ୍ ପାଇଁ ଟାର୍ଗେଟ୍ କରୁଛନ୍ତି ବିଦ୍ୟୁତ୍ ଉପଭୋକ୍ତା । ଅସନ୍ତୋଷ ଝାଡ଼ିବା ସହ ପ୍ରତିବାଦ କରି ଉପଭୋକ୍ତା ମାନେ ଆନ୍ଦୋଳନକୁ ଓହ୍ଲାଉଥିବାର ଘଟଣା ସାମ୍ନାକୁ ଆସୁଛି । 

Advertisment

ଖରାଦିନ ହେଉ କି ଶୀତ ଦିନ ଏବେ ବିଦ୍ୟୁତ୍ ବିତରଣ କମ୍ପାନୀ ଉପରେ ଉପଭୋକ୍ତାଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ପାୱାର କଟ୍ , ଭୁଲ୍ ବିଦ୍ୟୁତ୍ ବିଲ୍ ଏବଂ ବକେୟା ଅର୍ଥ ଆଦାୟ ନେଇ ଅଡୁଆରେ ପଡୁଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର । ସେମିତି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପୋଡ଼ା ଗାଁରେ । ଅଭିଯୋଗ ମୁତାବକ ବକେୟା ବିଲ୍ ଆଦାୟ କରିବାକୁ ସିନ୍ଧିପୋଡ଼ା ଗାଁକୁ ଯାଇଥିଳେ ଟାଟା ପାୱାର କର୍ମଚାରୀ କିନ୍ତୁ ପାୱାର କଟ୍ କାହିଁକି କରୁଛ ପ୍ରଶ୍ନ କରି ଗାଁ ଲୋକ ମାରପିଟ୍ କରିଥିବା କହିଛନ୍ତି ଟାଟା ପାୱାର କର୍ମଚାରୀ । ଏନେଇ ଝରିଗାଁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ସେହିପରି ଗତ ବୁଧବାର ଦିନ ମଧ୍ୟ ଟାଟା ପାୱାର କର୍ମଚାରୀଙ୍କ ବିରୁଦ୍ଧରେ ଉପଭୋକ୍ତାଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ସାଲେପୁର ଝାରପଡ଼ା ଗାଁର ବାସନ୍ତୀ ରାଉତଙ୍କୁ ଟାଟା ପାୱାର କର୍ମଚାରୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ବାସନ୍ତୀଙ୍କ ଘରକୁ ନିଶ୍ଚିନ୍ତକୋଇଲି ସେକ୍ସନର ଟାଟା ପାୱାର କର୍ମଚାରୀ ତାର ବଦଳାଇବାକୁ ଆସିଥିଲେ କିନ୍ତୁ ଘରେ କେହି ପୁରୁଷ ନଥିବା କହିଥିଲେ ବାସନ୍ତୀ ହେଲେ ଏତିକିରେ ରାଗିଯାଇ ସେମାନେ ମହିଳାଙ୍କୁ ଗାଳିଗୁଲଜ କରିଥିବା ବାସନ୍ତୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ମାନେ ଟାଟା ପାୱାର କର୍ମଚାରୀଙ୍କୁ ଅଟକ ରଖିଥିଲେ ପରେ ପୋଲିସ ଆସି ବୁଝାସୁଝା କରିବା ପରେ ସେମାନଙ୍କୁ ଗ୍ରାମବାସୀ ଛାଡ଼ିଥିଲେ ।

ତେବେ ରାଜ୍ୟରେ ଯେଉଁଦିନଠୁ ଟାଟା ପାୱାର ସହ ବିଦ୍ୟୁତ୍ ବିତରଣ ଚୁକ୍ତିନାମା ହୋଇଛି ସେବେଠାରୁ ଟାଟା ପାୱାର ବିରୁଦ୍ଧରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅଭିଯୋଗ ପରେ ଅଭିଯୋଗ ଆସୁଛି । କେଉଁଠି ଭୁଲ୍ ବିଦ୍ୟୁତ୍ ବିଲ୍ ତ କେଉଁଠି ଅଘୋଷିତ ପାୱାର କଟ୍ ଏବଂ ବକେୟା ବିଲ୍ ଆଦାୟ ନେଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଯାହା କି ଟାଟା ପାୱାର ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟର ତାଳମେଳ ନରହୁଥିବା ସ୍ପଷ୍ଟ ବାରି ହୋଇପଡୁଛି ।