କନକ ବ୍ୟୁରୋ : ଆପଣଙ୍କ କୁନି ପିଲା ଯଦି ଚିପସ୍‌ ଖାଉଥିବେ ତାହେଲେ ଆପଣ ବି ସତର୍କ ରହିବା ନିହାତି ଜରୁରୀ । ପାଞ୍ଚ ଟଙ୍କିଆ ଚିପସ୍‌ ପ୍ୟାକେଟ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ନିଆଁରେ ଖେଳଣା ପଡିବା କ୍ଷଣି ହେଉଛି ବିସ୍ଫୋରଣ । ଏମିତି ଏକ ବିସ୍ଫୋରଣ ଘଟି ୮ ବର୍ଷୀୟ ନାବାଳକର ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମା’ ବାପା ।

Advertisment

କୋଳରେ କୁନି ପୁଅ । ଆଖିରେ ବ୍ୟାଣ୍ଡେଜ୍‌ । ଆଉ ଏ ଆଖିରେ ପୁଅ ଦେଖିପାରିବନି । ଏ କଥା ଭାବି ଭାବି ମା’ ଆଖିରୁ ଲୁହ ଝରି ପଡ଼ୁଛି, କୋହ ସମ୍ଭାଳିବା ସମ୍ଭବ ହେଉନି । ବାପା ବି ହତ୍‌ବାକ୍‌ । ପୁଅକୁ ଚିପସ୍‌ ପ୍ୟାକେଟ୍‌ ଦେବାର ଦଣ୍ଡ ଭୋଗୁଛନ୍ତି ବାପା ମା’ । ଚିପସ୍‌ ପ୍ୟାକେଟ୍‌ ଭିତରେ ଥିବା ଖେଳଣା ନିଆଁରେ ପଡ଼ି ବିସ୍ପୋରଣ ହେବାରୁ ନଷ୍ଟ ହୋଇଯାଇଛି ତୃତୀୟ ଶ୍ରେଣୀ ଛାତ୍ରର ଆଖି । ଏ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ।

ଅଧିକ ପଢ଼ନ୍ତୁ : ଚିପ୍ସ ପ୍ୟାକେଟ୍ ଭିତରେ ଥିଲା କାଳ ; ଖେଳଣା ବ୍ଲାଷ୍ଟ ହୋଇ କୁନି ପୁଅର ଆଖି ହେଲା ନଷ୍ଟ

ଅଭିଯୋଗ ଅନୁଯାୟୀ, ଶଗଡ଼ଘାଟ ଗାଁର ଲବ ହରପାଳଙ୍କ ୮ ବର୍ଷର ପୁଅ ଅଙ୍କେଶ ଗାଁର ଏକ ଦୋକାନରୁ ‘ଫନି’ କମ୍ପାନିର ‘ଲାଇଟ୍ ହାଉସ୍' ନାମକ ଚିପ୍‌ସ ପ୍ୟାକେଟ୍ କିଣିଥିଲା । ଚିପସ୍ ଖାଇବା ପରେ ପ୍ୟାକେଟ୍‌ରେ ଥିବା ଖେଳଣାକୁ ନିଆଁରେ ପକାଇଦେବାରୁ ହୋଇଥିଲା ବିସ୍ଫୋରଣ । ଏହା ଏତେ ଶକ୍ତିଶାଳୀ ଥିଲା ଯେ ପିଲାଟିର ଆଖିରେ ମାଡ଼ ହୋଇ ଫୁଟି ଯାଇଥିଲା । ପରେ ଗୁରୁତର ଅବସ୍ଥାରେ ପୁଅକୁ ଡାକ୍ତରଖାନା ନେବାରୁ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ ବାପା ମା’ । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାପା ମା’ । ଚିପସ୍ କମ୍ପାନି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ୫ଟଙ୍କା ଚିପସ୍ ପ୍ୟାକେଟ୍‌ ଏତେ ଭୟଙ୍କର ହୋଇପାରେ ଜାଣିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ପୁଲିସ ଘଟଣାର ଖୋଳତାଡ଼ ଜାରି ରଖିଛି ।