କନକ ବ୍ୟୁରୋ: ଦେଶରୁ ବେକାରୀ ସମସ୍ୟା ହଟାଇବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି  ସରକାର । ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏହି ସବୁ ଯୋଜନାଗୁଡ଼ିକର ଉଦ୍ଦେଶ୍ୟ । ଏଭଳି ହିଁ ଏକ ଯୋଜନାରେ ମୋଦୀ ସରକାର ଯୁବ ଉଦ୍ୟୋଗୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି । ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା । ଏହାର ଲାଭ ଉଠାଇ ଲକ୍ଷ ଲକ୍ଷ ହିତାଧିକାରୀ ନିଜର ବ୍ୟବସାୟ ଆରମ୍ଭ କରିବା ସହ ସଫଳ ବ୍ୟବସାୟୀ ବୋଲାଇଛନ୍ତି । ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛୁକ ଥିବା ଯୁବକ ଓ ଯୁବତୀଙ୍କୁ ବିନା କୌଣସି ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦେବେ ସରକାର । ଏଥିପାଇଁ ନିର୍ଦ୍ଦିଷ୍ଟ ଆବେଦନ ପ୍ରକ୍ରିୟା ରହିଥିବା ବେଳେ କେଉଁମାନେ  ଆବେଦନ କରିପାରିବେ ତାହା ଜାଣିବା ବି ଆବଶ୍ୟକ ।  

Advertisment

ଗତ ୨୦୧୫ ଏପ୍ରିଲ ୮ ତାରିଖରେ ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ମୋଦୀ ସରକାର । ପ୍ରଥମେ ୧୦ ଲକ୍ଷ ଟଙ୍କା ଲୋନ୍‌ ଦେବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହି ଯୋଜନାକୁ ଏବେ ୧୦ ବର୍ଷ ବିତି ଯାଇଛି । ଏଣୁ ମୁଦ୍ରା ଲୋନ୍‌ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି ମୋଦୀ ସରକାର । ଏଥର ଏହି ଯୋଜନାରେ ଏକ ତରୁଣ କାଟାଗୋରୀ ରଖାଯାଇଛି । ତରୁଣ କାଟାଗୋରୀରେ ଆସୁଥିବା ହିତାଧିକାରୀଙ୍କୁ ମୁଦ୍ରା ଯୋଜନାରେ ୨୦ ଲକ୍ଷ ଟଙ୍କା ଋଣ ଦେବେ ସରକାର । ତେବେ ଏହି ତରୁଣ କାଟାଗୋରୀ କ'ଣ ତାହା ବି ଜାଣିବା ଦରକାର । 


ଯେଉଁମାନେ ପୂର୍ବରୁ ଲୋନ୍‌ ନେଇ ଠିକ ସମୟରେ ଫେରସ୍ତ କରିଛନ୍ତି ସେମାନଙ୍କୁ ତରୁଣ କାଟାଗୋରୀରେ ରଖିଛନ୍ତି ସରକାର । ଅର୍ଥାତ ସେମାନଙ୍କୁ ଏଥର ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ମିଳି ପାରିବ । ତେବେ ଯେଉଁମାନେ ନୂଆ ଓ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେବେ କେନ୍ଦ୍ର ସରକାର । ମୁଦ୍ରା ଯୋଜନାରେ ଗ୍ରାମାଞ୍ଚଳ ବ୍ୟାଙ୍କ୍‌, ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ୍‌, ମାଇକ୍ରୋ ଫାଇନାନ୍ସ ଇନ୍‌ଷ୍ଟିଚ୍ୟୁସନ୍ ଓ ନନ୍‌ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନି ପକ୍ଷରୁ ଲୋନ ଯୋଗାଇ ଦିଆଯାଉଛି । ଆବେଦନ କରିବାକୁ ଆବେଦନକାରୀମାନେ  www.udyamimitra.in ଭିଜିଟ୍ କରି ପାରିବେ । 

ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଅଥଚ ସେମାନଙ୍କ ପାଖରେ ଅର୍ଥର ଅଭାବ ରହୁଛି ସେମାନେ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ଏଥିପାଇଁ ଆବେଦନକାରୀଙ୍କ ବୟସ ୧୮ରୁ ୬୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯେଉଁମାନେ କୌଣସି ଋଣ ନେଇ ଠିକ ସମୟରେ ପୈଠ କରିଥିବେ ସେମାନଙ୍କୁ ମୁଦ୍ରା ଯୋଜନାରେ ପ୍ରାଥମିକତା ଦିଆଯିବ । ଅପରାଧୀକ ପୃଷ୍ଠଭୂମି ଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଆବେଦନ ପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି ପରିଚୟ ପତ୍ର ଓ ବ୍ୟବସାୟ ବାବଦରେ ପ୍ରମାଣ ପତ୍ରର ଆବଶ୍ୟକତା ରହିବ ।