କନକ ବ୍ୟୁରୋ: ଜ୍ୱରକୁ ମାପି ପାରିବେ କିନ୍ତୁ ଜୀବନଦାତ୍ରୀର ମମତାକୁ କେବେବି ମାପି ପାରିବେନି । ଏହି ଦୃଶ୍ୟକୁ ଟିକିଏ ଭଲ କରି ଦେଖନ୍ତୁ... କେମିତି ଗାଈଟି ଅଟୋ ପଛେ ପଛେ ଗୋଡ଼ାଉଛି, ଅଟୋଟି ଅଟକି ଗଲେ ଚାରିପଟେ ଘୁରି ପଡୁଛି ଗାଈ । ମୋ ଛୁଆ କୁଆଡେ ଗଲା ବୋଲି କଥା କହିନପାରିଲେ ବି ଅଟବାଲାକୁ ଅଟକାଇ ପଚାରି ଚାଲିଛି । ପଶୁଟିଏ ହେଲେ ବି ପ୍ରାଣବାୟୁ ଥିବା ଯାଏଁ ମା’ର ମମତା କେବେ ବି ମରେନି ବୋଲି ଏ ଦୃଶ୍ୟ ବୁଝାଇଦେଉଛି ।
ଭୁବନେଶ୍ୱର ଡମଣା ଅଞ୍ଚଳରେ ଆଜକୁ ପ୍ରାୟ ଦେଢ଼ ବର୍ଷ ତଳେ ଏହି ଗାଈର ଛୁଆ ବାଛୁରୀଟି ଅସୁସ୍ଥ ହୋଇପଡ଼ିଥଲା । ଆଉ ଅସୁସ୍ଥ ବାଛୁରୀକୁ ଅଟୋରେ ବୋହି ନେଇ ପଶୁ ଡାକ୍ତରଖାନାକୁ ନେଇଯାଇଥିଲେ ଅଟୋ ଚାଳକ । ପଶୁ ମା’ ହେଲେ ବି ଛୁଆକୁ ଛାଡ଼ି କିଏ ରହିଛି ନା ରହିପାରିବ? ମନକଥା କାହାକୁ ନକହିପାରିଲେ ବି, ବର୍ଷକ ତଳେ ନିଜ ରୋଗୀଣା ବାଛୁରୀକୁ ଯେଉଁ ଅଟୋ ହସ୍ପିଟାଲ ନେଇଯାଇଥିଲା ସେହି ଅଟୋର ପିଛା ଜମା ଛାଡୁନି ଗୋମାତା ।
ସୂଚନା ମୁତାବକ, ଅଟୋ ଚାଳକ ଜଣକ ସେଦିନ ଅସୁସ୍ଥ ବାଛୁରୀକୁ ହସ୍ପିଟାଲ ନେଇ ଚିକିତ୍ସା କରିବା ପରେ ଏକ ଗୋଶାଳାରେ ଛାଡ଼ିଦେଇଥିଲେ । ବାଛୁରୀକୁ ବଞ୍ଚାଇବା ପାଇଁ ଅଟୋ ଚାଳକ ଯେଉଁ ବଡ଼ପଣ ଦେଖାଇଥିଲେ ତାହା ପ୍ରଶଂସନୀୟ । ହେଲେ ମା’ ପରା ସିଏ ତା’ ଜନ୍ମ କଲା ଛୁଆ ବାଛୁରୀ ବିନା କେମିତି ଅବା ରହିପାରିବ? ଏଣେ ତେଣେ ସବୁଠି ବୁଲି ବୁଲି ଛୁଆକୁ ଖୋଜିଥିଲେ ବି ନପାଇ ସେହି ଡମଣା ଛକରେ ମନମାରି ଜଗିବସିଥିଲା । ଦେଢ଼ ବର୍ଷ ହେବ ଡମଣା ଛକରୁ କୁଆଡେ ବି ଯାଇନି ସେ, ଆଉ ଏତିକି ବେଳେ ଆଜି ସେହି ଅଟୋକୁ ଦେଖି ତାକୁ ଅଟକାଇ ପଚାରୁଛି... ମୋ ଛୁଆ କୁଆଡେ ଗଲା, କେମିତି ଅଛି, କେଉଁଠି ଅଛି?...
ସତରେ ଏ ଭିଡ଼ିଓ ଯେତେ ହୃଦୟସ୍ପର୍ଶୀ ସେତେ ସମ୍ପର୍କର ସଂଜ୍ଞା ବୁଝାଉଥିବାର ଏକ ସୁନ୍ଦର ଦୃଶ୍ୟ । କାରଣ ଆଜିର ଆଧୁନିକ ଜମାନାରେ ଯେଉଁଠି ପିଲାମାନେ ବଡ଼ହେଲେ ବାପା-ମାଆଙ୍କୁ ଭୁଲି ଯାଉଛନ୍ତି, ଚଳନ୍ତି ଦେବାଦେବୀଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସୁଛନ୍ତି ସେଠି ଏ ଗାଈ ତା’ ଛୁଆକୁ ବର୍ଷକ ପରେ ବି ଭୁଲି ନପାରିବା ମଣିଷକୁ ଏକ ଶିକ୍ଷା ଦେଇଛି । ହୁଏ ତ ଏ ପଶୁର ପ୍ରେମ ଦେଖିଲେ ଆମ ଶିକ୍ଷିତ ସମାଜର ମଡର୍ଣ୍ଣ ଛୁଆମାନେ ସମ୍ପର୍କ ମୂଲ୍ୟ ବୁଝିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/B8MvhWsE6GfSoH3XhG8q.jpg)