କନକ ବ୍ୟୁରୋ : ପୁଅକୁ ହରାଇ ଧୈର୍ଯ୍ୟହରା ହୋଇପଡୁଛି ମାଆ । ଯାହା କାନ୍ଧରରେ ମଣାଣି ଯାଇଥାନ୍ତା । ଆଜି ତାକୁ ହିଁ କାନ୍ଧ ଦେବାକୁ ପଡୁଛି । ପୁଅର କୋକେଇ ଆଗରେ ମୁଣ୍ତ ବାଡ଼େଇ କାନ୍ଦୁଛି ମାଆ । କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଦାଣ୍ତ । ପୁଅକୁ ହରାଇ ବାପା ବି ନିସ୍ତବ୍ଧ । ପୁଅର ହସହସ ମୁହଁ ଆଖି ଆଗରେ ନାଚି ଯାଉଛି । ହେଲେ କୋଳେଇ ଧରିବାକୁ ଆଉ କୁଣ୍ଢେଇ ଧରିବାକୁ ମନ ଥିଲେ ବି ତାହା ଆଉ ସମ୍ଭବ ହେଉନି । କାରଣ ସେ ଚାଲିଯାଇଛି ଅଫେରା ରାଇଜକୁ ।
ହଠାତ ଦିନେ ଗାଧୋଇ ଆସିବା ପରେ ଜନ୍ମେଶ ରାହା ଧରି କାନ୍ଦିଲା । ମାଆ ଯେତେ ବୁଝେଇଲା ପରେ ବି କାନ୍ଦ ଅଟକିଲାନି । ରାହା ଧରି କାନ୍ଦିବା ପରେ ହଠାତ ଅଚେତ ହୋଇଗଲା ଜନ୍ମେଶ । ଶୀଘ୍ର ତାଙ୍କୁ ଭୁବନେଶ୍ୱର ଏମସ୍ରେ ଭର୍ତ୍ତି କରାଗଲା । ଗୋଟିଏ ଦିନ ଆଇୟିୟୁରେ ରହିବା ପରେ ସବୁଦିନ ପାଇଁ ଆଖି ବୁଜିଦେଲା ଜନ୍ମେଶ । ଜନ୍ମେଶଙ୍କ ବାପା ମଧ୍ୟ ସେହି ଏମସ୍ରେ କାମ କରନ୍ତି । ପୁଅକୁ ହରାଇବାର ଦୁଃଖକୁ ମନ ଭିତରେ ରଖି ଏମିତି ଏକ ନିଷ୍ପତ୍ତି ନେଲେ, ଯାହା ସମସ୍ତଙ୍କୁ ଆଚମ୍ବିତ କଲା । ପୁଅର ଲିଭର୍ ଓ କିଡନୀ ଦାନ କରିବା ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଲେ । ପୁଅ ସିନା ବଞ୍ଚିଲାନି କିନ୍ତୁ ପୁଅର ଅଙ୍ଗରେ ଆଉ କିଏ ତ ନୂଆ ଜୀବନ ପାଇବ ଭାବି ଏଭଳି ନିଷ୍ପତ୍ତି ନେଇ ଆଜି ଜନ୍ମେଶର ବାପା ମାଆ ସାରା ଦୁନିଆ ଆଗରେ ଉଦାହରଣ ପାଲଟିଗଲେ ।ଖୁସିର କଥା ହେଉଛି, ଜନ୍ମେଶଙ୍କ ବାପାମାଆ ଯାହା ଚାହୁଁଥିଲେ, ତାହା ସଫଳ ହୋଇଛି । ଜନ୍ମେଶଙ୍କ ଲିଭର୍ ଦିଲ୍ଲୀର ଜଣେ ପିଲା ଶରୀରରେ ଲଗାଯାଇଛି । ସେହିପରି କିଡ୍ନୀ ଭୁବନେଶ୍ୱରର ଜଣେ ପିଲାଙ୍କ ଦେହରେ ଲାଗିଛି ।
ମୃତ୍ୟୁ ପରେ ବି ଜନ୍ମେଶ ଅମର । ଜନ୍ମେଶଙ୍କ ଶେଷକୃତ୍ୟବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ବର୍ଷକର ପୁଅ ଦୁନିଆ ଜାଣିବା ଆଗରୁ ଏ ଦୁନିଆକୁ କହିଗଲା ସେ କିଏ ବୋଲି । ସେ ଏମିତି ଏକ କାମ କରିଯାଇଛି, ଯେଉଁଥି ପାଇଁ ସେ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ଜୀବନ୍ତ ହୋଇ ରହିବ ।