କନକ ବ୍ୟୁରୋ : ବେଧଡ଼କ ଚାଲିଥିଲା ଗଞ୍ଜେଇ କାରବାର । କୋଡୱାର୍ଡରେ ଗ୍ରାହକ ମାଗୁଥିଲେ, ଦୋକାନୀ ଦେଉଥିଲେ । ଖବର ପାଇ ମାଡ଼ି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଏସଟିଏଫ୍ ସହାୟତାରେ ରାଜଧାନୀର ଖଟି, ବଜାର, ଷ୍ଟେସନରେ ଆଜି ମାରାଥନ ଚଢ଼ାଉ କରିଛି ।

Advertisment

ଆଗରେ ଅଭିଯୁକ୍ତ, ପଛରେ ପୁଲିସ । ରାସ୍ତା ଉପରେ ଗୋଡ଼ାଗୋଡ଼ିର ଦୃଶ୍ୟ ସିନେମା ଭଳି ଲାଗୁଥାଏ । ଭୁବନେଶ୍ବରରେ ନିଶାଡ଼ିଙ୍କ ଆଡ୍ଡାରେ ଚଢ଼ାଉ ବେଳେ ପୁଲିସ-ଅଭିଯୁକ୍ତ ମଧ୍ୟରେ ଗୋଡାଗୋଡିର ଦୃଶ୍ୟ ସାମ୍ନାକୁ ଆସିଛି । ନିଶା କାରବାର ଖବର ପାଇ କମିସନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ ଓ କ୍ରାଇମବ୍ରାଞ୍ଚ ଏସଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ପ୍ରଥମେ ୟୁନିଟ- ୪ ମାର୍କେଟରେ ଚଢ଼ାଉ ବେଳେ ଏକ ପରିତ୍ୟକ୍ତ ଦୋକାନରୁ ମିଳିଥିଲା ଗଞ୍ଜେଇ ପାଇଁ ବ୍ୟବହୃତ ରାପ୍ । ଜମୁଥିଲା ନିଶାଡ଼ିଙ୍କ ଆସର । ପରେ ଭୋଇ ନଗର ନିକଟରେ ଥିବା ଏକ ଆଡ୍ଡାରେ ଚଢାଉ କରାଯାଇଥିଲା ।  ଦେଖନ୍ତୁ, ପୁଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ ।  ସେଠାରୁ ମିଳିଛି ପୁଳାପୁଳା ଗଞ୍ଜେଇ ସିଗାରେଟ୍ ।

ପରେ ସ୍ପେଶାଲ କ୍ରାଇମ ୟୁନିଟ ପହଞ୍ଚିଥିଲା ଷ୍ଟେସନ ନିକଟରେ । ଜନଗହଳିପୂର୍ଣ୍ଣ ସ୍ଥାନରେ ଖୋଲାଖୋଲି ଗଞ୍ଜେଇ ବିକ୍ରି ହେଉଥିଲା । କୋଡୱାର୍ଡରେ 'ଭୋଗ' ମାଗିଲେ ବଢ଼େଇ ଦେଉଥିଲେ ଦୋକାନୀ । ଗଞ୍ଜେଇ ପୁଡ଼ିଆ ଗୋଟାକୁ ଶହେ ଟଙ୍କା । ପୂର୍ବରୁ ଜୟଦେବ ବିହାର, ଇନଫୋସିଟି ଅଞ୍ଚଳରେ ଚଢ଼ାଉ ହୋଇଥିଲା । ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାରରେ ରୋକ ଲଗାଇବା ପାଇଁ ପ୍ରୟାସ କରାଯାଇଥିଲା। ଆଜି ଅନ୍ୟ ସ୍ଥାନରେ ଚଢ଼ାଉ କରାଯାଇଛି ।  ରାଜଧାନୀର ଛାତି ଉପରେ ୨୪ ଘଣ୍ଟା ଚାଲୁଛି ନିଶା ବେପାର । ଚଢ଼ାଉକୁ ଆହୁରି ବ୍ୟାପକ କରାଯିବ ବୋଲି ସ୍ପେଶାଲ କ୍ରାଇମ ୟୁନିଟ କହିଛି ।