କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ,ସ୍ଵାସ୍ଥ୍ୟ ମନ୍ତ୍ରୀ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ , ଅତିରିକ୍ତ ମୁଖ୍ୟ ଶାସନ ସଚିବ,ସାଂସଦ,ବିଧାୟକ ,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ,ଜିଲ୍ଲାପାଳ ଓ ଏସ୍‌ପି ଯୋଗ ଦେଇଥିଲେ । ଜୁନ ୨୬ ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଥିଲେ । 

Advertisment

ପଶ୍ଚିମ ଦ୍ଵାର ଦେଇ ପୁରୀ ବାସୀଙ୍କୁ ଛାଡ଼ିବା ଓ ଗୁଣ୍ଡିଚା ମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ସୁନୀଲ ମହାନ୍ତି ପ୍ରସ୍ତାବ ଦେଇଛନ୍ତି । ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ କରିଛନ୍ତି । ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି । ତାମିଲନାଡୁରୁ ଗ୍ରେଡ୍‌ ଏ ମାନର ଚନ୍ଦନ କାଠ ଆସିଛି । ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ନବୀକରଣ କରାଯାଇଛି । ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଓ ବିଭାଗୀୟ ସଚିବ l

ରଥଯାତ୍ରା ସମୟର ଆମ୍ବୁଲାନ୍ସ କରିଡ଼ର ହେବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ ।  ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୦ ଲକ୍ଷ ପାଣି ବୋତଲ ଓ ପାଉଚ୍‌ର ବ୍ୟବସ୍ଥା କରାଯାଇଛି । ସହରରେ ୯୦ ପ୍ରତିଶତ ଡ୍ରେନ୍‌ ସଫେଇ କାମ ସରିଛି । ପ୍ରତ୍ୟେକ ସାହି ଗଳି କନ୍ଦିରେ ରାସ୍ତାଘାଟ ମରାମତି ,ମଶା ଧୂଆଁ ସ୍ପ୍ରେ , ଷ୍ଟ୍ରିଟ୍ ଲାଇଟ୍  ମରାମତି ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ତାଳବଣିଆରେ ମାଷ୍ଟର କଣ୍ଟ୍ରୋଲ ରୁମ୍ କରାଯିବ । ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ ସହ ୧୪ଟି ବର୍ଷା ଜଳ ଜମି ରହୁଥିବା ସ୍ଥାନରେ ୩୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ମୁତୟନ ରହିବ । ମାଳତୀପାଟପୁରରେ ଟୁରିଷ୍ଟ ବସ୍‌ ଓ ରଥଯାତ୍ରା,ବାହୁଡ଼ା ଓ ସୁନାବେଶ ଦିନ ଯାତ୍ରୀବାହୀ ବସ ତାଳବଣିଆରେ ପାର୍କିଂ କରିବ ।

ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ୨୩୦ରୁ ୨୫୦ ଅଧିକ ବସ୍‌ ଚଳାଚଳ କରିବ । ରଥଯାତ୍ରା ସମୟରେ ବିଭିନ୍ନ ପାର୍କିଂ ସ୍ଥାନରୁ ମାଗଣା ଅଟୋ ସେବା ଯୋଗାଯିବ । ସବୁ ବସ୍‌ରେ ରହିବ ରେଟ୍ ଚାର୍ଟ । ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ୩୫ଟି ଅତିରିକ୍ତ ଟିକେଟ୍‌ କାଉଣ୍ଟର , ୧୦ଟି ଏଟିଭି ମେସିନ୍‌ରେ ବ୍ୟବସ୍ଥା କରାଯିବ ।

କୋଭିଡ ପାଇଁ ଡରିବାର ଆବଶ୍ୟକତା ନାହିଁ । A1 ସିସିଟିଭି କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରାଯିବ । ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ । ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍‌ କମାଣ୍ଡ୍‌ ସେଣ୍ଟର ସହ ସବୁ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ୱାର ରୁମ୍ ହେବ । ବୈଠକରେ ବିଦ୍ୟୁତ୍ ,ସ୍ଵାସ୍ଥ୍ୟ ଓ ପରିମଳ ବିଭାଗକୁ ନେଇ ସରଗରମ ଆଲୋଚନା ହୋଇଥିଲା । ରଥଯାତ୍ରା ଅବକାଶରେ କୋଭିଡ୍‌ ପାଇଁ ବ୍ୟସ୍ତ ହେବାର ନାହିଁ  । ଲୋ ଭାରିଆଣ୍ଟର କୋଭିଡ୍‌ ଥିବାରୁ ଏହା ବ୍ୟାପିବାର ଆଶଙ୍କା କମ୍‌ । ରାଜ୍ୟରେ ସମୁଦାୟ ୪୯ଟି ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୩୪ଟି ଆକ୍ଟିଭ କେସ୍‌ ରହିଛି  । ଥଣ୍ଡା, କାଶ ଲକ୍ଷଣ ଥିବାଲୋକ ଗହଳିକୁ ଯାଆନ୍ତୁ ନାହିଁ  । ରଥଯାତ୍ରାକୁ ଆସୁଥିବା  ଭକ୍ତଙ୍କୁ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ବ ଓ ଜନଗହଳିପୂର୍ଣ୍ଣ ସ୍ଥାନ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର ,୧୧ଟି କ୍ରେନ୍ ନିୟୋଜିତ ହେବ । ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଭିଡିଓ ୱାଲ୍ ବ୍ୟବସ୍ଥା ହେବ । ବଡ଼ଦାଣ୍ଡରେ ବିପଦ ଶଙ୍କୁଳ କୋଠା ଚିହ୍ନଟ କରାଯାଇଛି । ଖରା ଓ ଗୁଳୁଗୁଳି ପାଇଁ ଅଧିକ ସ୍ପ୍ରୀଙ୍କଲର(sprinkler) ଓ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହେବେ । ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୁଲିସ ମୁତୟନ ହେବେ । ରଥଯାତ୍ରା ସହ ଜଡ଼ିତ ବିଭାଗ ଗୁଡିକ ୮୦ ପ୍ରତିଶତ କାମ ଶେଷ କରିଛନ୍ତି । ଅବଶିଷ୍ଟ କାର୍ଯ୍ୟ ତ୍ୱରାନ୍ୱିତ କରି ରଥଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗୁଣ୍ଡିଚା ମନ୍ଦିର ଅଞ୍ଚଳରୁ ପଲ୍ଲୀଶ୍ରୀ ମେଳା ସମୁଦ୍ରକୂଳ ସ୍ଥାନାନ୍ତର ନେଇ ପୁନଃବିଚାର ଓ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି । ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆରଡିସି ଓ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ  ସେବାୟତ ପ୍ରତିନିଧି ,ଗଣମାଧ୍ୟମ ପ୍ରତିନିଧି ,ବରିଷ୍ଠ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ ।