କନକ ବ୍ୟୁରୋ: ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ । ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ଦ୍ଵାରା ପାରମ୍ପରିକ ପଦ୍ଧତିରେ ଚିକିତ୍ସିତ ହେଉଛନ୍ତି ଠାକୁରେ । ତାଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା  । ଦଇତାପତି ସେବକ ମହାପ୍ରଭୁଙ୍କ ଅଣସରକାଳୀନ ଗୁପ୍ତନୀତି ସମ୍ପାଦନ କରୁଛନ୍ତି । ଏକ ବସ୍ତ୍ର ହୋଇ ଅଣସର ବାସଠାରୁ ଦୈନିନ୍ଦିନ ନୀତି ସମ୍ପାଦନ କରୁଛନ୍ତି । ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ବିଭିନ୍ନ ପ୍ରକାର ଚେରମୂଳିରୁ ପ୍ରସ୍ତୁତ ଔଷଧ ଯୋଗାଇ ଦିଆଯାଇଛି ।

Advertisment

ବଡ଼ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇଥିବାବେଳେ ଶୁଦ୍ଧ ସୁଆର ସେବକମାନେ ଓଷୁଅ ଯୋଗାଇ ଦେଇଛନ୍ତି । ଆଜି ବିଧି ମୁତାବକ ଅଣସରରେ ଥିବା ତିନି ଠାକୁର ଚକା ବିଜେ କରିବା ସହ ଶ୍ରୀମନ୍ଦିର ବୈଦ୍ୟ ଦଶମୂଳ ପ୍ରସ୍ତୁତ କରି ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ଏକାଦଶୀ ତିଥି ଅର୍ଥାତ୍‌ ଆସନ୍ତାକାଲି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଅଙ୍ଗର ଉପଚାର କରାଯିବ । ଏଥିସହ ଆସନ୍ତାକାଲି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଆସନ୍ତାକାଲି ରକ୍ତବସ୍ତ୍ର ପରିଧାନ କରିବେ । ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆସନ୍ତାକାଲି ଠାରୁ ତୁଳସୀ ଲାଗି ହେବ ।

ଆଜି ଆଷାଢ଼ କୃଷ୍ଣ ଦଶମୀ ତିଥିରେ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ବିଶ୍ରାମ କରୁଥିବା ମହାପ୍ରଭୁ ଆଜି ଚକା ଉପରେ ବିଜେ କରିବେ । ଶ୍ରୀମନ୍ଦିରର ଅନବସର ଗୃହରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଚକା ଉପରେ ବିଜେ କରାଯାଏ । ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ଫଳରେ ମହାପ୍ରଭୁଙ୍କର ସୁସ୍ଥତାର ପରିଚୟ ମିଳିବ । ଚକା ବିଜେ ହେବା ପରେ ଶ୍ରୀମନ୍ଦିରକୁ ଏହି ଦଶମୂଳ ମୋଦକ ବିଜେ କରାଯିବ।

କେମିତି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ମହୌଷଧୀ ?
•    ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀକୁ ପ୍ରଥମେ ଶୁଖାଯାଇଥାଏ ।
•    ପରେ ଏହାକୁ କୁଟାଯାଇ ଗୁଣ୍ଡ କରାଯାଇଥାଏ ।
•    ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ , ଶର୍କରା , ସର , ମହୁ , ଘିଅ ଆଦି ପକାଯାଇ ଏହାକୁ ପାଗ କରାଯାଏ ।
•    ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ ।
•    ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ ।
•    ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ ।