କନକ ବ୍ୟୁରୋ;  ଗୋଟିଏ ମାସ ଧରି ଅନାସ୍ଥାକୁ ନେଇ ରଣନୀତି ପ୍ରସ୍ତୁତ କରିଥିଲା କଂଗ୍ରେସ। ହେଲେ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ କଂଗ୍ରେସର ଅନାସ୍ଥା ନୋଟିସକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି। ହୋ-ହଲ୍ଲା ଓ ବାରମ୍ବାର ମୁଲତବିକୁ ନେଇ ଗୃହର ଅଚଳାବସ୍ଥା ଭିତରେ ଅନାସ୍ଥାର ଅବଧି ସରିଥିବାରୁ ଏହାକୁ ଗ୍ରହଣ କରିନାହାନ୍ତି ବାଚସ୍ପତି। ଅନ୍ୟପଟେ ଅନାସ୍ଥା ଅଗ୍ରାହ୍ୟକୁ ଷଡ଼୍‌ଯନ୍ତ୍ର କହି କକ୍ଷତ୍ୟାଗ କରିଛି କଂଗ୍ରେସ । ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ। ନିୟମ ଅନୁସାରେ, ଅଧିବେଶନର ଦିନକ ପୂର୍ବରୁ ଅନାସ୍ଥା ନୋଟିସ୍‌ ଦିଆଯିବା କଥା । ହେଲେ କଂଗ୍ରେସ ଅଧିବେଶନ ଆରମ୍ଭ ପରେ ଆଣିଥିଲା ଅନାସ୍ଥା ପ୍ରସ୍ତାବ । 
 
ଚତୁର୍ଥ ଦିନ ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲା ବିଜେଡି। ସାର ପ୍ରସଙ୍ଗକୁ ଛାଡ଼ି ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବା ପ୍ରସଙ୍ଗକୁ ଅସ୍ତ୍ର କରି ଗୃହର ମଧ୍ୟଭାଗରେ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧକୁ ଶୁଣିନଥିଲେ ବିଜେଡି ସଦସ୍ୟ। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି।  ତେବେ କଂଗ୍ରେସ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିଥିଲା। ବିଜେପି-ବିଜେଡି ଭାଇ ଭାଇ, ବିଧାନସଭା ଚଳାଇ ଦିଅନ୍ତି ନାହିଁ ପୋଷ୍ଟର ଦେଖାଇ ନିଜ ଆସନରେ ଛିଡ଼ାହୋଇ ପ୍ରତିବାଦ କରିଥିଲା। ଅପରାହ୍ନରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହେବା ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । 
 
ଗୃହକାର୍ଯ୍ୟ ସ୍ବାଭାବିକ ହେବା ସହ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଛି । ହେଲେ ପ୍ରଶ୍ନ ଉଠୁଛି, କଂଗ୍ରେସର ଅନାସ୍ଥା ଅବଧି ସାରିବାକୁ ଜାଣିଶୁଣି ଗୃହରେ ହୋହଲ୍ଲା କରୁଥିଲା କି ବିଜେଡି? ଯଦି ନା ତେବେ ବିଜେଡି ଚାହୁଥିବା ପ୍ରସ୍ତାବରେ ଆଲୋଚନା ହୋଇନଥିଲେ ମଧ୍ୟ କାହିଁକି ନରମିଗଲା ଦଳ?
 

Advertisment