କନକବ୍ୟୁରୋ : କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି । ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଆଗାମୀ ଫିଲ୍ମ ସୁଟିଂ କୋରାପୁଟରେ ଚାଲିଛି । କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସୁଟିଂ ସେଟରେ ଏକ ଆକ୍ସନ ଦୃଶ୍ୟ ସୁଟ କରୁଥିବାର ନଜର ଆସିଛି । ତାଲାମାଲିରେ ମହେଶ ବାବୁଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।
ହେଲେ ସୁରକ୍ଷା କଡ଼ାକଡ଼ି ଥିବାରୁ ମହେଶ ବାବୁଙ୍କୁ ଦେଖିନପାରି ଲୋକ ନିରାଶ ହୋଇ ଫେରିଯାଉଛନ୍ତି । ଜିଲ୍ଲାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀରେ ବିଗ୍ ବଜେଟ ତେଲୁଗୁ ଫିଲ୍ମ ଏସ୍ଏସ୍ଏମ୍ବି-୨୯ର ଶୁଟିଂ ଆରମ୍ଭ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଲ୍ମ ସୁଟିଂ ପାଇଁ ସମସ୍ତ ପ୍ରକାର ସହାୟତା କରାଯାଉଛି । ଫିଲ୍ମ ସୁଟିଂ ପାଇଁ ଏବେ କୋରାପୁଟରେ ତେଲଗୁ ଫିଲ୍ମର ସୁପରଷ୍ଟାର ମହେଶ ବାବୁ, ତାମିଲ୍ ଅଭିନେତା ପୃଥ୍ବୀରାଜ ଆସିଛନ୍ତି । ଆଗକୁ ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୁଟିଂ ସେଟରେ ସାମିଲ ହେବେ ବୋଲି ସୂଚନା ମିଳିଛି ।