କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶା ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ବିରୋଧୀ ଛିଡୁଥିବାବେଳେ ଉଠୁଛି ବିଜେପି । ରାୟଗଡ଼ାରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଜିଲ୍ଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଦୁଇଜଣ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ହେବା ପରେ ଅସନ୍ତୋଷ ବଢ଼ିଛି । ମୁହାଁମୁହିଁ ହୋଇଛନ୍ତି ଜଗନ୍ନାଥ ସାରକା ଓ ଭାସ୍କର ରାଓ । ଗୋଷ୍ଠୀ କନ୍ଦଳ ମଧ୍ୟରେ ଜିଲ୍ଲା ବିଜେଡି ଅଫିସରେ ଶଙ୍ଖ ଚିହ୍ନକୁ ଲିଭାଇ ଦେଇଛନ୍ତି କିଛି କର୍ମୀ । ଚର୍ଚ୍ଚା ହେଉଛି ରାୟଗଡ଼ା ରାଜନୀତିରେ ବିଜେଡିର ଟାଣୁଆ ଏନ.ଭାସ୍କର ରାଓ ବିଜେଡି ଛାଡ଼ିପାରନ୍ତି । ବିଜେଡିର ଏହି ଗୋଳିଆପାଣି ବିଜେପିକୁ ସୁହାଇଛି ।
ସଭାମଞ୍ଚରୁ ବିଜେଡିମୁକ୍ତ ଗଞ୍ଜାମ ଆହ୍ବାନ
କୋଦଳାରେ ବିଜେପିର ବଡ଼ ମିଶ୍ରଣ ପର୍ବ
ବିଜେପି ଫୋକସରେ ଗଞ୍ଜାମ । ଗଞ୍ଜାମ କୋଦଳାରେ ଆଜି ଏକ ବଡ଼ ମିଶ୍ରଣ ପର୍ବରେ ୩-୩ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥିତ ୨୨ ପଞ୍ଚାୟତର ସରପଞ୍ଚ, ୪ଜଣ ସମିତି ସଭ୍ୟ ଓ ସଭ୍ୟାଙ୍କ ସହ ବହୁ ପୂର୍ବତନ ଲୋକପ୍ରତିନିଧି ବିଜେପିର ସାମିଲ ହୋଇଛନ୍ତି । ମଞ୍ଚ ଉପରୁ ମନ୍ତ୍ରୀ ବିଭୂତି ଜେନା ଗଞ୍ଜାମକୁ ବିଜେଡି ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲାରେ ୧୩ ବିଧାନସଭା ଆସନରୁ ବିଜେପି ଜିତିଛି ୧୧ ଆସନ । କେବଳ ହିଞ୍ଜିଳିରୁ ନବୀନ ପଟ୍ଟନାୟକ ଓ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ଜିତିଛନ୍ତି । ଗଞ୍ଜାମରେ ବିକ୍ରମ ପଣ୍ଡା ଜିଲ୍ଲା ସଭାପତି ହେବା ପରେ ଦଳରେ କେଁ ପଶିଛି । ବରିଷ୍ଠ ନେତା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଆଉ ଏଥିରୁ ଫାଇଦା ନେବା ଚକ୍କରରେ ଅଛି ବିଜେପି ।