କନକ ବ୍ୟୁରୋ : ନିର୍ଦ୍ଧୁମ ବର୍ଷିଲା, ନିର୍ଘାତ ଛେଚିଲା । ବର୍ଷା ବିତ୍ପାତରେ କଲବଲ ହେଲା ଦକ୍ଷିଣ ଓଡ଼ିଶା । କେଉଁଠି ରାସ୍ତା ଉପରେ ପାଣି ଚାଲିଲା ତ ପୁଣି କେଉଁଠି ଭାଙ୍ଗିଲା ଘରଦ୍ୱାର । ମାଲକାନଗିରିରେ ବିମାନବନ୍ଦରର ପାଚେରୀ ଭାଙ୍ଗିଥିବା ବେଳେ ଖଲ୍ଲିକୋଟରେ ଘରେ ପଶିଲା ଚିଲିକା ପାଣି । ଏତିକିରେ ସରିନି ବର୍ଷା ବିତ୍ପାତ । ଆଗାମୀ ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ପ୍ରକୃତି କୋପ କଲେ କଣ ହୁଏ ତାହା ଦେଖିଛି ଦକ୍ଷିଣ ଓଡ଼ିଶା । ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାର ହାଲ ବେହାଲ । ମାଲକାନଗିରି ଜିଲ୍ଲାର ଦୃଶ୍ୟ ହିଁ ବୟାନ କରୁଛି, ବର୍ଷା କେମିତି ପୂରା ଜନଜୀବନକୁ ଠପ୍ କରିଦେଇଛି । ମୂଷଳ ଧାରା ବର୍ଷାରେ ପୋଟେରୁ, କାଙ୍ଗୋରୁକୁଣ୍ଡା, କନ୍ୟାଶ୍ରମ, ଏମଭି ୯୬ ପୋଲ ଉପରେ ବନ୍ୟା ଜଳ ଲହଡି ମାରୁଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ପାଣି ପ୍ରବାହିତ ହେଉଥିବାରୁ ୧୫ ଘଣ୍ଟା ଧରି ବନ୍ଦ ରହିଥିଲା ଯାତାୟତ । ଅନ୍ୟପଟେ ଜଳ ନିଷ୍କାସନ ନହେବାରୁ ବିମାନବନ୍ଦରର ପାଚେରୀ ଭୁଶୁଡ଼ି ପଡିଛି ।
କୋରାପୁଟରେ ବି ଲଘୁଚାପ ବର୍ଷା କଲବଲ କରିଛି । ଲମତାପୁଟର ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି ବହୁଥିବା ବେଳେ ତଳମେଟିଂ ରାସ୍ତା ଏବଂ ନାରାୟଣପାଟଣା ଓ ତଳଗୁମାଣ୍ଡିକୁ ଯୋଡୁଥିବା ବୋରିପୁଟ ରାସ୍ତାରେ ପାହାଡ଼ ଉପରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ଅଧାରେ ଅଟକିଛି ବସ୍ । ନାରାୟଣପାଟଣାରେ ବର୍ଷା ବିତ୍ପାତରେ ଭାଙ୍ଗିଛି ଘରଦ୍ୱାର ଓ ଲକ୍ଷ୍ମୀପୁରରେ ନଷ୍ଟ ହୋଇଛି ଫସଲ । ଗଞ୍ଜାମ ଖଲ୍ଲିକୋଟରେ ମଧ୍ୟ ଲଗାଣ ବର୍ଷା ମୁଣ୍ଡ ଉପରୁ ଛଡ଼ାଇ ନେଇଛି ଛାତ ।
ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ନେବ ଅବପାତର ରୂପ । ଏଥିପାଇଁ କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅତିପ୍ରବଳ ବର୍ଷା ନେଇ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ସର୍ତକତା ଜାରି ହୋଇଛି । ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୧୩୩ ମିଲିମିଟର ବର୍ଷା ହୋଇଛି । ସେହିଭଳି ଆସନ୍ତା ୫ ଦିନ କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/18/heavy-rain-2025-08-18-20-53-46.jpg)