କନକ ବ୍ୟୁରୋ: ଦକ୍ଷିଣ ଓଡ଼ିଶା ବିକାଶର ରୋଡମ୍ୟାପ ପ୍ରସ୍ତୁତ ସରିଲା। ଏକାଠି ନେତା ବସି ସହମତି ଦେଲେ, ରାଜନୀତି ପଛ, ଅଞ୍ଚଳର ଉନ୍ନତି ଆଗ। ଅବହେଳା ଏବେ ଇତିହାସ, ବିକାଶ ଏବେ ଭବିଷ୍ୟତ। ସରକାରଙ୍କ ସହଯୋଗ ଓ ରାଜନୈତିକ ଦଳର ନେତାଙ୍କ ପ୍ରତିବଦ୍ଧତା ଏବେ ଦକ୍ଷିଣ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେବ।
ଅବହେଳାର ଅଧ୍ୟାୟ ଶେଷ ହେଲା। ଏଣିକି ବିକାଶ ହିଁ ଏକମାତ୍ର ଏଜେଣ୍ଡା। ଏଥିପାଇଁ ଦଳ ମତ ନିର୍ବିଶେଷରେ ସବୁ ନେତା ହେଲେ ଏକାଠି। ନିଜ ଜନ୍ମମାଟିର ବିକାଶ ପାଇଁ କରିଲେ ପଣ। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କଫୋର୍ସର ପ୍ରଥମ ବୈଠକରେ କିଛି ଏଭଳି ନିଷ୍ପତ୍ତି ନିଆଯାଇଛି। ପରିଷଦର ରୂପରେଖ କଣ ହେବ ସେନେଇ ବିଧାୟକ ଓ ସାଂସଦ ନିଜର ମତ ରଖିଛନ୍ତି। ଏହାସହ ଦକ୍ଷିଣ ଓଡ଼ିଶା କିଭଳି ବିକାଶର ଶୀର୍ଷରେ ପହଞ୍ଚିବ ସେନେଇ ପ୍ରସ୍ତୁତ ପ୍ରାରମ୍ଭିକ ରୋଡମ୍ୟାପରେ ମଧ୍ୟ ମୋହର ବାଜିଛି। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ ୭ ଜିଲ୍ଲାକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି ।
କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର । ତେବେ ବିକାଶକୁ ତ୍ବରାନିତ୍ବ କରିବାକୁ ଷ୍ଟାଚ୍ୟୁଟାରୀ କମିଟି ଗଠନ ହେବାର ଆବଶ୍ୟକତା ଥିବା ବୈଠକରେ ଆଲୋଚନା ହୋଇଛି । ଟାସ୍କଫୋର୍ସରେ ସାମିଲ ହୋଇନଥିବା ବ୍ୟକ୍ତିବିଶେଷଙ୍କୁ ପରିବର୍ତ୍ତୀ ସମୟରେ ଏଥିରେ ସାମିଲ କରାଯିବ। ନୂଆ ସରକାରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ପରିକଳ୍ପନା ବାସ୍ତବତାର ରୂପ ନେଇଛି। କିନ୍ତୁ ଟାସ୍କଫୋର୍ସ ସଦସ୍ୟଙ୍କ ଦାବି, ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ୧୦୦୦ କୋଟି ଦିଅନ୍ତୁ ସରକାର। ନଚେତ ଏହା କେବଳ ସ୍ବପ୍ନ ଭିତରେ ସୀମିତ ରହିଯିବ।
ସୁଦୀର୍ଘ ବେଳାଭୂମି, ତା ସାଙ୍ଗକୁ ପ୍ରାକୃତିକ ସମ୍ପଦର ସମ୍ଭାର। କଣ ନାହିଁ ଦକ୍ଷିଣ ଓଡ଼ିଶାରେ। କିନ୍ତୁ ବିକାଶ ଏଠାରେ ପହଞ୍ଚିବାକୁ ସଂଘର୍ଷ କରେ। କାରଣ ବିକାଶମୂଳକ କାର୍ୟ୍ୟରେ ଅନେକ ସମୟରେ ବାଧକ ସାଜେ ରାଜନୈତିକ ମନାନ୍ତର ଓ ମତାନ୍ତର। ଆଦିବାସୀ ଅଞ୍ଚଳ ହୋଇଥିବାରୁ ସବୁବେଳେ ଅବହେଳାର ଶିକାର ହୋଇଛି ଦକ୍ଷିଣ ଓଡ଼ିଶା। ଏବେ ପ୍ରଶ୍ନ, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ କଣ ସତରେ ଦକ୍ଷିଣ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ? ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ହେଉଛି ଏହାର ଜଳ୍ବନ୍ତ ଉଦାହରଣ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/04/tI0sJCtAnkbbU2aDd1g9.jpg)