କନକ ବ୍ୟୁରୋ : ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । ପ୍ରଥମେ ପକ୍ଷୀ ସହ ଧକ୍କା ଓ ପରେ ରନୱେରେ ସ୍ଲିପ ହେବା ପରେ ବିମାନଟି ସିଧା ଯାଇ ବିମାନବନ୍ଦରର ଫେନ୍ସିଂରେ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା କ୍ରିଉ ମେମ୍ବରଙ୍କ ସମେତ ୧୮୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

Advertisment

ବିମାନର ଏହି ଲ୍ୟାଣ୍ଡିଂ ଥିଲା ଅତି ଭୟଙ୍କର । ରନୱେରେ ଦୌଡ଼ୁଥିବା ବିମାନ ହଠାତ୍ ସ୍ଲିପ ହୋଇଥିଲା । ଆଉ ତା’ ପରେ ଯାହା ଘଟିଲା, ତାହା କେହି କଳ୍ପନା କରିନଥିଲେ । ବିମାନଟି ଦ୍ରୁତଗତିରେ ଯାଇ ସିଧା ତାର ଜାଲରେ ମାଡ଼ ହୋଇଥିଲା । ଏହି ଧକ୍କାରେ ବଡ଼ ବିସ୍ଫୋରଣ ଘଟିଥିଲା । ଆଉ ଦେଖୁ ଦେଖୁ ପୂରା ବିମାନଟି ଜଳି ଯାଇଥିଲା । ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଏହି ଭୟଙ୍କର ବିମାନ ଦୁର୍ଘଟଣା । ବ୍ୟାଙ୍କକରୁ ଆସୁଥିବା ଜେଜୁ ବିମାନଟି ଲ୍ୟାଣ୍ଡିଂର ଦ୍ବିତୀୟ ପ୍ରୟାସରେ ଦୁର୍ଘଟଣାର ଶିକାର ହୋଇଛି । ଲ୍ୟାଣ୍ଡିଂ ଗିୟର ଖରାପ ହେବା କାରଣରୁ ଲ୍ୟାଣ୍ଡିଂର ପ୍ରଥମ ପ୍ରୟାସ ଫେଲ ମାରିଥିଲା । ଯେଉଁଥି ପାଇଁ ପାଇଲଟ୍ ଆକାଶମାର୍ଗର ଚକ୍କର କାଟୁଥିଲେ। ଆଉ ବିନା ଗିୟରରେ ବିମାନ ଲ୍ୟାଣ୍ଡିଂ ପାଇଁ ପ୍ରୟାସ କରିଥିଲା । ରନୱେକୁ ଅବତରଣ ବେଳେ ପକ୍ଷୀ ସହ ବିମାନର ସାମାନ୍ୟ ଧକ୍କା ହୋଇଥିଲା। ଆଉ ନିୟନ୍ତ୍ରଣ ହରାଇବା ପରେ ବିମାନ ବନ୍ଦରର ଫେନ୍ସିଂରେ ସିଧା ଧକ୍କା ହୋଇଥିଲା । 

ଦୁର୍ଘଟଣା ପରେ ମୁଆନ ଏୟାରପୋର୍ଟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମରଜେନ୍ସି ସର୍ଭିସ ଆକ୍ଟିଭ ହେବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ହୁ ହୁ ହୋଇ ଜଳୁଥିବା ନିଆଁରେ ସବୁ ଜୀବନ ପାଉଁଶ ହୋଇଯାଇଥିଲା । ଦେଖୁ ଦେଖୁ ଗୋଟିଏ ଦୁର୍ଘଟଣା ୧୭୫ରୁ ଅଧିକ ଜୀବନ ନେଇଯାଇଥିଲା । ଚାରି ଦିନ ତଳେ କଜାଖସ୍ତାନର ଆଜରବାଇଜାନରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ ।