କନକ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି ମୌସୁମୀ । ଚଳିତ ବର୍ଷ ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିଛି । ୨୦୦୧ ଓ ୨୦୦୯ ମସିହାରେ ମେ’ ୨୩ରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା । ୧୯୯୦ ମସିହାରେ ମେ ମାସ ୧୯ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥିଲା । ୨୦୦୦ରୁ ୨୦୨୫ ମଧ୍ୟରେ ୧୪ ଥର ମେ’ ମାସରେ ଓ ୧୨ ଥର ଜୁନ୍ ମାସରେ ମୌସୁମୀ କେରଳ ଛୁଇଁଥିଲା । ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।
ବାଦଲ ସମୂହର ଗତି ପଶ୍ଚିମ-ଉତ୍ତରପଶ୍ଚିମ ନୁହେଁ, ବରଂ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି । ଉତ୍ତର ଉପକୂଳ ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୩.୧ କିମି ଉଚ୍ଚରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି । ଆଜି ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ଜଗତସିଂପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଅରେଞ୍ଜ ଚେତାବନୀ ଜାରି ହୋଇଛି । ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବାର ଆଶଙ୍କା ରହିଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଏଥିସହ ଆସନ୍ତା ୫ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଉଛି ।