କନକ ବ୍ୟୁରୋ: ସରକାରଙ୍କ ଦ୍ୱାରା ଲଗାଯାଇଥିବା ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି। ଅନେକ ଯୁବ ବିକ୍ଷୋଭକାରୀଙ୍କ ପାଇଁ ଏହି ନିଷେଧାଦେଶ ସରକାରଙ୍କ ପ୍ରତି ଅସନ୍ତୋଷର ଏକ ଲମ୍ବା ତାଲିକାର ବ୍ରେକିଂ ପଏଣ୍ଟ ଥିଲା।
ନେପାଳର ଯୁବପିଢ଼ି ପୂର୍ବରୁ ଦୁର୍ନୀତି, ଏକଚ୍ଛତ୍ରବାଦ, ଆର୍ଥିକ ଅସମାନତା ଓ ନେତୃତ୍ୱରେ ଉତ୍ତରଦାୟିତ୍ୱର ଅଭାବ ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଥିଲେ।।କିନ୍ତୁ ଯେତେବେଳେ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ନିଜ ସ୍ୱପ୍ନ ବୁଣୁଥିବା ଯୁବପିଢ଼ିଙ୍କ ସୁଅ ରାସ୍ତାକୁ ମାଡ଼ି ଆସିଥିଲା। ଦେଖୁ ଦେଖୁ ନେପାଳର ପ୍ରମୁଖ ସହରଗୁଡ଼ିକର ରାସ୍ତା ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଗଲା। ନେପାଳ ପୁଲିସ ଗୁଳିରେ ୧୯ଜଣ ଲୋକ ପ୍ରାଣ ହରାଇଲେ। ଏଭଳି ପରିସ୍ଥିତି ଦେଖି ଏବେ ସରକାର ବ୍ୟାନ୍ ହୋଇଥିବା ଆପ୍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି। ଏମଧ୍ୟରେ ଏତେ ବଡ଼ ହିଂସାର ମାଷ୍ଟରମାଇଣ୍ଡ କିଏ ଥିଲା, ତାହା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ହାମି ନେପାଳ ନାମକ ଏକ ସଂଗଠନ ନେପାଳର ଯୁବପିଢ଼ିମାନଙ୍କୁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଗୋଟିଏ ମଞ୍ଚକୁ ଆଣିବାର କାମ କରିଥିଲା। ଏହି ସଂଗଠନର ମୁଖ୍ୟ ହେଉଛନ୍ତି ସୁଦାନ ଗୁରୁଙ୍ଗ। ନେପାଳର ଜେନ୍-ଜି ବିପ୍ଳବର ଚେହେରା ହୋଇଥିବା ୩୬ବର୍ଷୀୟ ସୁଦାନ ଗୁରୁଙ୍ଗ ଠିକ୍ ସମୟରେ ନେପାଳୀ ଯୁବପିଢ଼ିମାନଙ୍କର କ୍ରୋଧକୁ ଅନୁଭବ କରିନେଇଥିଲେ। ଏହା ପରେ ସେ ଯୁବପିଢ଼ିଙ୍କ କ୍ରୋଧକୁ ଆନ୍ଦୋଳନରେ ବଦଳାଇବାର କାମ ଆରମ୍ଭ କରିଥିଲେ।
କୁହାଯାଉଛି ଯେ, ଯୁବପିଢ଼ି ସରକାରଙ୍କ ନିଷ୍ପତ୍ତିକୁ ନେଇ ରାଗିଥିବା ଜାଣି ଏହାର ଫାଇଦା ଉଠାଇଥିଲେ ଗୁରୁଙ୍ଗ। ବିଭିନ୍ନ ନେଟୱାର୍କ ମାଧ୍ୟମରେ ସମଗ୍ର ନେପାଳରେ ଏହି କ୍ରୋଧକୁ ବିସ୍ତାର କରିଥିଲେ ସେ। ସୁଦାନ ଗୁରୁଙ୍ଗ ହେଉଛନ୍ତି ହାମି ନେପାଳର ପ୍ରତିଷ୍ଠାତା ଏବଂ ସଭାପତି। ଏହି ସଂଗଠନ ଜେନ୍-ଜି ଆନ୍ଦୋଳନକୁ ଗତି ଏବଂ ଦିଗଦର୍ଶନ ଦେଇଥିଲା।