କନକ ବ୍ୟୁରୋ: ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚାଇନା । ପଡ଼ୋଶୀ ହେବା ପରେ ବି କେମିତି ସମ୍ପର୍କ ଭଲ ରହିବ ସେନେଇ କେବେ ଚିନ୍ତା କରନ୍ତି ନାହିଁ ବରଂ କେମିତି ଭାରତରେ ଅଶାନ୍ତି ସୃଷ୍ଟି ହେବ ସେହି କଥା ବେଶୀ ଭାବେ ପାକିସ୍ତାନ । ଆଉ ଚୀନ ସୀମାକୁ ନେଇ ସବୁବେଳେ ଅଶାନ୍ତି ସୃଷ୍ଟି କରେ । ଇଏ କିଛି ନୂଆ କଥା ନୁହେଁ । ହେଲେ ଏବେ ବ୍ରାଜିଲ, ଚୀନ ଓ ପାକିସ୍ତାନକୁ ଯେଉଁପରି ଭାବରେ ଚକମା ଦେଇଛି ତାହାକୁ ନେଇ ପୁରା ବିଶ୍ବରେ ଚର୍ଚ୍ଚା ହେଉଥିବା ବେଳେ ଭାରତର ଗୁରୁତ୍ବ ପୁରା ଦେଶରେ ବଢୁଥିବା ସ୍ପଷ୍ଟ ହୋଇଛି । କାରଣ ବ୍ରିକ୍ସରେ ପାକିସ୍ତାନ ସାମିଲ ହେବାକୁ ଆବେଦନ କରିଥିବା ବେଳେ ଇଣ୍ଡୋନେସିଆ ପାଇଛି ସ୍ଥାନ । ଯାହାକୁ ନେଇ ରାଗରେ ରକ୍ତଚାଉଳ ଚୋବାଉଛନ୍ତି ଉଭୟ ପାକିସ୍ତାନ ଓ ଚାଇନା ।
ଏବେ ବ୍ରିକ୍ସର ଅଧ୍ୟକ୍ଷ ବ୍ରାଜିଲ
ଭିଟୋ ପାୱାର ବ୍ୟବହାର କଲା
ପାକିସ୍ତାନକୁ ନା, ଇଣ୍ଡୋନେସିଆକୁ ହଁ କଲା
ବ୍ରିକ୍ସ । ବିକାଶଶୀଳ ଦେଶ ସମୂହକୁ ନେଇ ଗଠିତ ଏକ କମିଟି ପରି । ଏଥିରେ ଭାରତ, ଋଷିଆ, ଚାଇନା, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସଦସ୍ୟ ଅଛନ୍ତି । ଏବେ ବ୍ରିକ୍ସର ଅଧ୍ୟକ୍ଷ ଅଛି ବ୍ରାଜିଲ । ଏହାରି ଭିତରେ ବ୍ରାଜିଲ ଘୋଷଣା କରିଛି କି, ବ୍ରିକ୍ସରେ ନୂଆ ରାଷ୍ଟ୍ର ଯୋଗ ଦେଇଛି । ବ୍ରାଜିଲର ଏହି ଘୋଷଣା ପରେ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି । କାରଣ ପାକିସ୍ତାନ ବାରମ୍ବାର ଆବେଦନ କରିବା ପରେ ତାକୁ ବ୍ରିକ୍ସର ସଦସ୍ୟତା ମିଳିନଥିଲା । ହେଲେ ଇଣ୍ଡୋନେସିଆକୁ ସଦସ୍ୟତା ମିଳିବା ପରେ ଏବେ ଚାଇନା ବି ଚୁପ୍ । କୁହାଯାଉଛି ବିଶ୍ବରେ ଇଣ୍ଡୋନେସିଆ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ସର୍ବାଧିକ ମୁସଲିମ୍ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ।
୨୦୨୩ରୁ ଆବେଦନ କରୁଛି ପାକିସ୍ତାନ
ଶେଷରେ ନିରାଶ ହେଲା ପାକ୍
୨୦୨୩ରୁ କମ୍ରାଗତ ଭାବରେ ବ୍ରିକ୍ସର ସଦସ୍ୟତା ହାସଲ କରିବାକୁ ଆବେଦନ କରୁଛି ପାକିସ୍ତାନ । ଆଶା ରଖିଥିଲା କମିଟି, ପାକିସ୍ତାନର ଆବେଦନକୁ ବିଚାର କରିବ ଏବଂ ବ୍ରିକ୍ସର ସଦସ୍ୟତା ହାସଲ କରିବ । କିନ୍ତୁ ବ୍ରାଜିଲ ଇଣ୍ଡୋନେସିଆରେ ନୂଆ ସରକାର ଗଠନ କରିବା ପରେ ବ୍ରିକ୍ସ ସଦସ୍ୟତା ଦେବା ସହିତ ସ୍ବାଗତ ମଧ୍ୟ କରିଛି ।
ଅନେକ ଦେଶ ଚାହାଁନ୍ତି ବ୍ରିକ୍ସରେ ସାମିଲ ପାଇଁ
ବ୍ରିକ୍ସରେ ସାମିଲ ହେବା ପାଇଁ କେବଳ ପାକିସ୍ତାନ ନୁହେଁ ବରଂ ଅନେକ ରାଷ୍ଟ୍ର ଚାହାଁନ୍ତି । ୨୦୦୯ରେ ବ୍ରାଜିଲ, ଋଷିଆ, ଭାରତ, ଚୀନ ମିଶି ବ୍ରିକ୍ସ କମିଟି ଗଠନ କରିଥିଲେ । ପରେ ପରେ ୨୦୧୦ରେ କମିଟିରେ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲା । ଠିକ୍ ସେହିପରି, ପୂର୍ବବର୍ଷ ବ୍ରିକ୍ସରେ ଗ୍ରୀସ, ଇରାନ, ଇଥୋପିଆ ସହ ୟୁଏଇ ସାମିଲ ହୋଇଥିଲା । ଏହାସହ ସାଉଦି ଆରବକୁ ବ୍ରିକ୍ସରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରାଯାଇଥିଲା । ହେଲେ ଏଯାଏଁ ବ୍ରିକ୍ସରେ ସାଉଦି ଆରବ ବ୍ରିକ୍ସରେ ସାମିଲ ହୋଇପାରିନାହିଁ । ସେପଟେ ତୁର୍କୀ, ଆଜେରବାଇଜାନ ଓ ମାଲେସିଆ ଔପଚାରିକା ଭାବରେ ବ୍ରିକ୍ସରେ ସାମିଲ ହେବା ଲାଗି ଆବେଦନ କରିଛନ୍ତି ।
ଚିନ୍ତାରେ ପାକିସ୍ତାନ
ବ୍ରିକ୍ସରେ ସାମିଲ ହେବା ଯେତିକି କଷ୍ଟ ସେତିକି ସହଜ ମଧ୍ୟ । କାରଣ ବ୍ରିକ୍ସରେ ସାମିଲ ହେବାକୁ ହେଲେ ପୂର୍ବରୁ ଯେଉଁ ରାଷ୍ଟ୍ର ସଦସ୍ୟ ଅଛନ୍ତି ସେମାନଙ୍କ ଅନୁମତି ଦରକାର । ଯେଉଁମାନେ ଆବେଦନ କରୁଛନ୍ତି ଯଦି ସବୁ ରାଷ୍ଟ୍ର ଅନୁମତି ଦେଉଛନ୍ତି ତାହାଲେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ବ୍ରିକ୍ସରେ ପାକିସ୍ତାନକୁ ସଦସ୍ୟତା ମିଳିନଥିବାରୁ ଏଥିପାଇଁ ସେ ଭାରତକୁ ହିଁ ଦାୟୀ କରୁଛି । ପାକ୍ ଗଣମାଧ୍ୟମରେ କୁହାଯାଉଛି କି, ବ୍ରିକ୍ସରେ ପାକିସ୍ତାନକୁ ସାମିଲ ହେବା ପାଇଁ ଭାରତ ଅନୁମତି ଦେଉନାହିଁ । ସେପଟେ ବ୍ରିକ୍ସକୁ ନେଇ କିନ୍ତୁ ଆମେରିକାର ନଜର କିଛି ଅଲଗା । ଯେହେତୁ ଏଥିରେ ଋଷିଆ ଓ ଚୀନ ସଦସ୍ୟ ଅଛନ୍ତି ତେଣୁ ପଶ୍ଚିମରାଷ୍ଟ୍ର ବିରୋଧୀ ବୋଲି ଆମେରିକା କହୁଛି । ଅବଶ୍ୟ ଏନେଇ ସତାସତ୍ୟ ନାହିଁ ।
ବ୍ରିକ୍ସକୁ ଧମକ ଦେଇଥିଲା ଆମେରିକା
ଯେହେତୁ ବ୍ରିକ୍ସ ସମ୍ମିଳନୀକୁ ଆମେରିକା ସନ୍ଦେହ ଦୃଷ୍ଟିରେ ଦେଖୁଛି, ତେଣୁ ବ୍ରିକ୍ସକୁ ଆମେରିକା ଧମକ ଦେବାକୁ ପଛାଉନାହିଁ । ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେବା ପରେ ଟ୍ରମ୍ପ ବ୍ରିକ୍ସକୁ ଧମକ ଦେଇଥିଲେ । କହିଥିଲେ, ବ୍ରିକ୍ସ ଡଲାର ମୁଦ୍ରାକୁ ବିରୋଧ କରିବା ସହିତ ଏହାର ବିକଳ୍ପ ଖୋଜୁଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ବ୍ରିକ୍ସରେ କୌଣସି ପଶ୍ଚିମରାଷ୍ଟ୍ର ସଦସ୍ୟ ନାହାନ୍ତି । ତେଣୁ ଆମେରିକା ନାରାଜ ହେବା ସ୍ବାଭାବିକ ବୋଲି କୁହାଯାଉଛି ।