କନକ ବ୍ୟୁରୋ : ବାଲି ମାଫିଆଙ୍କୁ ସାବାଡ କରିବାକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି। ନୂଆ ଏସଓପି ଆଣି ବାଲି ଚୋରି ରୋକିବାକୁ ଘୋଷଣା କରିଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ପୂର୍ବରୁ ମାଫିଆ ଯେମିତି ବାଲି ଚୋରି କରୁଥିଲେ, ଏବେ ସେମିତି କରୁଛନ୍ତି। ବାଲି ଲୁଟୁଛନ୍ତି, ଧରାପଡିଲେ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି। ଯାହାକି ବାଲି ଲୁଟ୍ ରୋକିବା ପାଇଁ ଖଣି ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂଆ ନୀତିରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ନେତୃତ୍ୱ ନେବା ସହ ବାଲି ଖାଦାନର ସୀମା ନିର୍ଦ୍ଧାରଣ କରିବାକୁ ତହସିଲଦାରମାନଙ୍କୁ କ୍ଷମତା ଦିଆଯାଇଛି। ହେଲେ, ସରକାରଙ୍କ ଏହି ଏସଓପି ଚୁଲିକୁ ଗଲାଣି। ଏସଓପିକୁ ମାନୁନାହାନ୍ତି ବାଲି ମାଫିଆ। ମନଇଛା ନଈର ପେଟ ଚିରି ବଡ ବଡ ମେସିନ ଲଗାଇ ଦିନ ରାତି ଲୁଟୁଛନ୍ତି। ଆଉ ଯଦି କୌଣସି ଅଧିକାରୀ ଧରୁଛନ୍ତି, ତାହେଲେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ବାଲେଶ୍ବରରେ ସେମିତି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଶ୍ରୀରାମପୁରର ଆରଆଇ ସରୋଜିନୀ ଟୁଡୁ। ସୁବର୍ଣ୍ଣରେଖା ନଦୀର ପାଳପଡ଼ାଠାରେ ବେଆଇନ ବାଲି ଉଠାଯାଉଥିବା ଖବର ପାଇ ଚଢ଼ାଉ କରିବାବେଳେ ମାଡିଆସିଥିଲେ ମାଫିଆ। ଆକ୍ରମଣ ଶିକାର ହେବା ପରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ପୂର୍ବରୁ ବରଗଡର ପଦ୍ମପୁର ବାଲି ଗାଡି ରୋକିବା ବେଳେ ଉପଜିଲ୍ଲାପାଳଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା। ପିପିଲି, ଉଦଳା, ଭୋଗରାଇରେ ଖଣି ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ବାଲି ମାଫିଆ। କିନ୍ତୁ ଆଇନକୁ ଫୁ କରି ଉଡାଇ ଦେଉଥିବା ବାଲି ଚୋରଙ୍କ ବିରୋଧରେ ଯେମିତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କଥା ସେମିତି ନିଆଯାଉନି। ଯାହାଫଳରେ ଚୋରି ରୋକିବାକୁ ଚଢ଼ାଉ କରିଥିବା ଅଧିକାରୀଙ୍କ ମନୋବଳ ଭାଙ୍ଗୁଥିବାବେଳେ ମାଫିଆଙ୍କ ଭୟ କମି କମି ଯାଉଛି। ଏହାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ। ବିରୋଧୀଙ୍କ ଅଭିଯୋଗକୁ ମାନିବାକୁ ନାରାଜ ମନ୍ତ୍ରୀ। ପୂର୍ବ ସରକାର ତୁଳନାରେ ଏବେ ଲଘୁ ଖଣିଜରୁ ରାଜସ୍ବ ବଢ଼ିଛି ବୋଲି ସଫେଇ ଦେଇ ଆସୁଛନ୍ତି। ଏଥିସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ--ଏସସିବି ଡାକ୍ତରଙ୍କ ବାରି ପରମ୍ପରାର ଅନ୍ତ, ପ୍ରତିଦିନ ରୋଗୀ ନେଇ ପାରିବେ ପସନ୍ଦର ଡାକ୍ତରଙ୍କ ପରାମର୍ଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/7pm2-2026-02-14-20-03-23.jpg)