କନକ ବ୍ୟୁରୋ: ପୁଣି ବଢିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା । ବିଧାନସଭା ଅଧିବେଶନ ପରେ ଏହି ଅଦଳବଦଳ ଓ ସଂପ୍ରସାରଣ ହୋଇପାରେ । କୁହାଯାଉଛି,  ୨ରୁ ୩ ଜଣ ମନ୍ତ୍ରୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ଏମାନଙ୍କ ବିବାଦୀୟ ବୟାନ ଯୋଗୁଁ  ସରକାର ଅଡୁଆରେ ପଡିଛନ୍ତି । ଏହଛଡ଼ା ମନ୍ତ୍ରୀଶୂନ୍ୟ ଥିବା ସଂସଦୀୟ କ୍ଷେତ୍ରକୁ ଗୁରୁତ୍ବ ମିଳିପାରେ ।  

Advertisment

ରାଜ୍ୟରେ ବିଜେପି ନେତାଙ୍କ ହୃଦସ୍ପନ୍ଦନ ଏବେ ବଢିଲାଣି । କାରଣ -ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳବଦଳ ଓ ସଂପ୍ରସାରଣ ହେବାକୁ ଯାଉଛି । ଏବେ ରାଜ୍ୟରେ  ମୋହନ ମାଝୀ ସରକାରର ୬ ମନ୍ତ୍ରୀ ପଦ ଖାଲିପଡିଛି । ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି । ତେଣୁ କାହାକୁ ବାଦ୍ ଦିଆଯିବ, କାହାକୁ ସାମିଲ କରାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । କୁହାଯାଉଛି, ସବୁ ମନ୍ତ୍ରୀଙ୍କ ରିପୋର୍ଟକାର୍ଡ ଉପରେ ପିଏମଓର ନଜର ରହିଛି । ଆଉ ଏହି ରିପୋର୍ଟକାର୍ଡ ଆଧାରରେ ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯିବ ଓ କାହାକୁ ବାଦ ଦିଆଯିବ ସେ ନେଇ ନିଷ୍ପତ୍ତି ନେବ କେନ୍ଦ୍ରୀୟ ନେତୃତ୍ବ । 

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇପାରେ ଓ କିଛି ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇପାରେ । ଏହା ମନ୍ତ୍ରୀଙ୍କ ରିପୋର୍ଟକାର୍ଡ ଉପରେ ନିର୍ଭର କରୁଛି । କୁହାଯାଉଛି,
-୨ରୁ ୩ ମନ୍ତ୍ରୀଙ୍କ ପଦ ବିପଦରେ ଅଛି
-ଏମାନେ ବିଭାଗର ସମସ୍ୟା ସମାଧାନ କରିବାରେ ବିଫଳ
-ଏହି ମନ୍ତ୍ରୀ ବିବାଦରେ ରହିଛନ୍ତି 
- ଏମାନଙ୍କ ବିବାଦୀୟ ବୟାନ ସରକାରଙ୍କୁ ଅଡୁଆରେ ପକାଇଛି

ଏହାବାଦ୍ ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଥିବାରୁ ସେମାନଙ୍କୁ ଚାପମୁକ୍ତ କରିବାକୁ ବିଭାଗରେ ଅଦଳବଦଳ କରାଯାଇପାରେ । ବର୍ତ୍ତମାନ ୮ଟି ସଂସଦୀୟ କ୍ଷେତ୍ର କଟକ, ଭୁବନେଶ୍ବର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର, କେନ୍ଦ୍ରାପଡ଼ା, କୋରାପୁଟ, କନ୍ଧମାଳ ମନ୍ତ୍ରୀଶୂନ୍ୟ ରହିଛି।   ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଏହି ଅଂଚଳକୁ ଅଗ୍ରାଧିକାର ଦିଆଯାଇପାରେ ।

ଦଳୀୟ ଅନ୍ଦରମହଲରୁ ମିଳିଥିବା ସୂଚନା ଅନୁସାରେ, ଓଡିଶା ଗସ୍ତ ସମୟରେ ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ବୟ ରଖି ଆଗକୁ ବଢିବାକୁ ତାଗିଦ କରିଛନ୍ତି ।