sonu-sood-punjab Photograph: (google)
କନକ ବ୍ୟୁରୋ : ପଞ୍ଜାବରେ ପଶିଛି ପାଣି । ଲଗାଣ ବର୍ଷାରେ ଅଧା ବୁଡ଼ିଛି ପଞ୍ଜାବ । ଏହା ସହ ହିମାଚଳ ଏବଂ ଜମ୍ମୁ-କାଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ହେତୁ ଅନେକ ନଦୀ ଫୁଲିଛି । ବର୍ଷା କାରଣରୁ ପଞ୍ଜାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁ କାରଣରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଥିରେ କେବଳ ଅନେକ ଲୋକଙ୍କର ଜୀବନ ଯାଇନାହିଁ ବରଂ ପଶୁମାନେ ମଧ୍ୟ ପାଣିରେ ଭାସି ଯାଉଥିବାର ଭିଡିଓ ସାମ୍ନାକୁ ଆସୁଛି । ଏପରି ସଙ୍କଟ ସମୟରେ ବଲିଉଡ୍ ଜଗତର କଳାକାରମାନେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ, ଦିଲଜିତ ଦୋସାଞ୍ଝ ଏବଂ ଗାୟକ ଗୁରୁ ରନ୍ଧାୱାଙ୍କ ଟିମ୍ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ସୂଚନାଯୋଗ୍ୟ ଯେ ପଞ୍ଜାବରେ ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତବର୍ଷର ବର୍ଷା । ଯେଉଁ କାରଣରୁ ପ୍ରାୟ ୨୩ଟି ଜିଲ୍ଲାରୁ ୧୮ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ହଜାର ହଜାର ଲୋକ ସ୍ଥାନାନ୍ତର ହୋଇ ନିରାପଦ ସ୍ଥାନକୁ ଚାଲିଯାଇଛନ୍ତି । ରିପୋର୍ଟ ଅନୁଯାୟୀ, ପୂରା ରାଜ୍ୟରେ ୩ ଲକ୍ଷ ଏକର ଚାଷ ଜମି ଜଳମଗ୍ନ ହୋଇଛି ।
ତେବେ ପଞ୍ଜାବର ଏହି ବିପଦ ଘଡ଼ିରେ ବଲିଉଡ ଅଭିନେତା ସୋନୁ ସୁଦ ପୁଣି ଥରେ ଲୋକଙ୍କ ସାହାଯ୍ୟ ପାଇଁ ଛିଡା ହୋଇଛନ୍ତି । ସେ ସୋସିଆଲ ମିଡିଆରେ ମେସେଜ ସେୟାର କରି କହିଛନ୍ତି ‘ପଞ୍ଜାବ ହେଉଛି ମୋର ଆତ୍ମା ଏବଂ ପଞ୍ଜାବର ଲୋକଙ୍କ ପାଇଁ ମତେ ବଳିଦାନ ଦେବାକୁ ପଡ଼ିଲେ ମଧ୍ୟ ମୁଁ ପଛକୁ ହଟିବି ନାହିଁ । ମୁଁ ପଞ୍ଜାବ ସହିତ ଅଛି । ଏହି ବିନାଶକାରୀ ବନ୍ୟାରେ ପ୍ରଭାବିତ କୌଣସି ବ୍ୟକ୍ତି ଏକୁଟିଆ ନୁହଁନ୍ତି । ଆମେ ସମସ୍ତେ ମିଶି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା ହେବାରେ ସାହାଯ୍ୟ କରିବୁ । ଯଦି ଆପଣଙ୍କୁ କୌଣସି ପ୍ରକାର ସାହାଯ୍ୟର ଆବଶ୍ୟକତା ଅଛି, ତେବେ ବିନା ଦ୍ୱିଧାରେ ଆମକୁ ମେସେଜ କରନ୍ତୁ । ଆମେ ଆପଣଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପୂରା ଚେଷ୍ଟା କରିବୁ । ପଞ୍ଜାବ ମୋର ଆତ୍ମା । ଆମେ ପଞ୍ଜାବୀ ଏବଂ ଆମେ ହାର ମାନିବୁ ନାହିଁ ।’
ଭଗବାନ ପଞ୍ଜାବରେ ସମସ୍ତଙ୍କୁ ଭଲରେ ରଖନ୍ତୁ ଏବଂ ସେମାନଙ୍କୁ ରକ୍ଷା କରନ୍ତୁ । ଗାୟକ ମୀକା ସିଂ ମଧ୍ୟ ସାହାଯ୍ୟର ପାଦ ଆଗକୁ ବଢ଼ାଇଛନ୍ତି । ତାଙ୍କ ଟିମ୍ ମଧ୍ୟ ଲୋକଙ୍କ ପାଖରେ ସବୁ ପ୍ରକାର ସାହାଯ୍ୟ ପହଞ୍ଚାଉଛି । ସେ ଭିଡିଓ ପ୍ରସ୍ତୁତ କରି ଦେଶ ବିଦେଶରେ ରହୁଥିବା ସମସ୍ତ ପଞ୍ଜାବୀଙ୍କୁ ଏକଜୁଟ ହୋଇ ପଞ୍ଜାବ ପାଇଁ ଛିଡ଼ା ହେବାକୁ ଅପିଲ କରିଛନ୍ତି ।
ପଞ୍ଜାବୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ମଡେଲ ହିମାଂଶୀ ଖୁରାନା ମଧ୍ୟ ବନ୍ୟା ପୀଡ଼ିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମସ୍ତ ସେଲିବ୍ରିଟିଙ୍କୁ ଆଗେଇ ଆସିବାକୁ ଅପିଲ କରିଛନ୍ତି । ଏହା ସହିତ ସେ କହିଛନ୍ତି, 'ମୁଁ ବନ୍ୟା ପୀଡ଼ିତ ୧୦ ପରିବାରକୁ ସାହାଯ୍ୟ କରିବି ।'
Follow Us