ରିଲ୍ ଲାଇଫରେ ଖଳନାୟକ କିନ୍ତୁ ରିୟଲ୍ ଲାଇଫରେ ଗରିବର ବନ୍ଧୁ , ଶ୍ରମିକଙ୍କ ଭଗବାନ ପାଲଟିଥିବା ଅଭିନେତା ସୋନୁ ସୁଦ୍ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସିକନ୍ଦର ନାମକ ଜଣେ ପପକର୍ଣ୍ଣ ବିକାଳୀଙ୍କ ସହ କଥାବାର୍ତ୍ତା ହେଉଥିବା ବେଳର ସୋନୁଙ୍କ ଭିଡ଼ିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ସିକନ୍ଦରଙ୍କ ପରିଶ୍ରମ ଓ ସଂଘର୍ଷକୁ ଦେଖି ତାଙ୍କ ସାହାଯ୍ୟ କରିବା ପାଇଁ ଆଶ୍ବାସନା ଦେଉଥିବାର ନଜର ଆସୁଛନ୍ତି । ଭାଇରାଲ୍ ଭିଡ଼ିଓରେ ମହମ୍ମଦ ସିକନ୍ଦର ଦିଲ୍ଲୀର ଇଣ୍ଡିଆ ଗେଟ୍ ରେ ନିଜ ସାଇକେଲ୍ ଉପରେ ପପକର୍ଣ୍ଣ , କ୍ୟାଣ୍ଡି ଏବଂ ଜୁସ୍ ବିକୁଥିବାର ନଜର ଆସୁଛନ୍ତି । ଏହି ସମୟରେ ‘ଫତେହ’ ସିନେମାର ସୁଟିଂ ପାଇଁ ପହଂଚିଥିବା ଅଭିନେତା ସୋନୁ ସୁଦ୍ ଙ୍କ ନଜର ତାଙ୍କ ଉପରେ ପଡୁଛି । ସିକନ୍ଦରଙ୍କ ସାଇକେଲ୍ ଏବଂ ତାଙ୍କ ଅବସ୍ଥା ଦେଖି ସୋନୁ ନିଜକୁ ରୋକି ପାରୁନାହାନ୍ତି ଏବଂ ପାଖକୁ ଯାଇ କଥାବାର୍ତ୍ତା କରୁଛନ୍ତି ।
/kanak/media/media_files/2025/02/03/Z4XOti2FE1comSi8d42b.jpg)
ସୋନୁ ପ୍ରଥମେ ସିକନ୍ଦରଙ୍କ ପରିଚୟ ଏବଂ ରୋଜଗାର ଓ ପରିବାର ସଂପର୍କରେ ପଚାରି ବୁଝୁଛନ୍ତି । କଥାବାର୍ତ୍ତା ବେଳେ ସିକନ୍ଦର କହୁଛନ୍ତି , ସେ ନିଜ ପରିବାରଠାରୁ ଦୂରରେ ରହି ଦିଲ୍ଲୀରେ ରୋଜଗାର କରୁଛନ୍ତି । ନିଜ ସ୍ତ୍ରୀ ଓ ୩ ପିଲାଙ୍କ ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ସେ ଦିନରାତି ପରିଶ୍ରମ କରୁଛନ୍ତି । ଏହାପରେ ସୋନୁ ତାଙ୍କୁ କ୍ୟାଣ୍ଡିର ଦାମ୍ ପଚାରି ବୁଝୁଛନ୍ତି । ଗୋଟିଏ କ୍ୟାଣ୍ଡି ୩୦ ଟଙ୍କା ଏବଂ ୨ ଟି ନେଲେ ୫୦ ଟଙ୍କା ବୋଲି ସିକନ୍ଦର କହୁଛନ୍ତି । ସିକନ୍ଦରଙ୍କ କଥା ଶୁଣି ସୋନୁ ହସିଉଠୁଛନ୍ତି ଏବଂ କହୁଛନ୍ତି ଏମିତିରେ କେତେ ଟଙ୍କା ରୋଜଗାର କରିବ କେତେ ଘରକୁ ପଠାଇବ ? କଥାବାର୍ତ୍ତା ବେଳେ ସିକନ୍ଦର କହୁଛନ୍ତି ଯେ ତାଙ୍କ ୩ ପିଲାଙ୍କୁ ସେ ଉଚ୍ଚଶିକ୍ଷା ଦେବାକୁ ଇଚ୍ଛା ରଖିଛନ୍ତି । ଯେତେ ପରିଶ୍ରମ କରିବାକୁ ପଡ଼ିଲେ ବି ସେ କରିବେ କିନ୍ତୁ ପିଲାଙ୍କୁ ଭଲ ଶିକ୍ଷା ଦେବେ । ଏହି କଥାରେ ସୋନୁ ୩ ଜଣ ପିଲାଙ୍କ ନାଁ ପଚାରୁଛନ୍ତି ଏବଂ ମନ ଲଗାଇ ପାଠ ପଢି ବାପାଙ୍କ ନାଁ ରଖିବାକୁ କହୁଛନ୍ତି । ଏହାପରେ ସୋନୁ ସିକନ୍ଦରଙ୍କୁ ଚିନ୍ତା ନ କରିବାକୁ କହି ଆମେ ଅଛୁ ନା’ ବୋଲି ଭରସା ଦେଉଛନ୍ତି । ସୋନୁଙ୍କ ଏଭଳି କଥାକୁ ନେଇ ୟୁଜର୍ସ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।