କନକ ବ୍ୟୁରୋ: ଋଣଜାଲରେ ବୁଡ଼ି ରହିଥିବା ଜଣେ ଚାଷୀ ଦଶମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ପୁଅକୁ ସ୍ମାର୍ଟଫୋନ୍ ଦେଇପାରିଲେନି । ଫୋନ୍ ନପାଇବା ଦୁଃଖରେ ପୁଅ ଗଛରେ ରଶି ଲଗାଇ ଆତ୍ମହତ୍ୟା କଲା ଏବଂ ପୁଅର ଆତ୍ମହତ୍ୟା ଦେଖି ଅସହାୟ ବାପା ମଧ୍ୟ ସେହି ସମାନ ଗଛରେ ସମାନ ରଶିରେ ଆତ୍ମହତ୍ୟା କରିଛନ୍ତି । ଏହି ହୃଦୟବିଦାରକ ଘଟଣା ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ସ୍ଥିତ ନାନ୍ଦେଡ୍ ଗ୍ରାମକୁ ଶୋକରେ ବୁଡ଼ାଇ ଦେଇଛି।
ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ପାଠପଢ଼ା କାର୍ୟ୍ୟ ପାଇଁ ତାଙ୍କ ବାପାଙ୍କଠାରୁ ସ୍ମାର୍ଟଫୋନ୍ ମାଗିଥିଲେ । ତାଙ୍କ ବାପା ଜଣେ କୃଷକ । ନିଜେ ଋଣଜାଲରେ ବୁଡ଼ି ରହିଥିବାରୁ ସେ ପୁଅର ଇଚ୍ଛା ପୂରଣ କରିପାରିନଥିଲେ । ପୁଅକୁ ଫୋନ୍ ଦେବାକୁ ମନା କରିବାରୁ ଏଥିରେ ଖୁବ୍ ଦୁଃଖ କରି ୧୬ ବର୍ଷୀୟ ପୁଅ ନିଜ କ୍ଷେତରେ ଏକ ଗଛରେ ରଶି ଲଗାଇ ଝୁଲିପଡ଼ିଲେ । ପୁ୍ଅର ଏଭଳି କାର୍ୟ୍ୟ ବାପାକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଲା । ନିଜ ପୁଅ ଯେଉଁ ରଶି ଲଗାଇ ଆତ୍ମହତ୍ୟା କରିଥିଲା ସେ ସେହି ସମାନ ରଶି ଲଗାଇ ଆତ୍ମହତ୍ୟା କରିଦେଲେ।
ଉଭୟ ବାପ-ପୁଅ ସେମାନଙ୍କ କ୍ଷେତରେ ଏକ ଗଛରେ ଝୁଲି ପଡ଼ିଛନ୍ତି । ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାମ ଓମକାର । ତାଙ୍କର ଅନ୍ୟ ୨ ଭାଇ ଅଛନ୍ତି । ସେମାନେ ଲତୁର ଜିଲ୍ଲାର ଉଦଗିରିର ଏକ ହଷ୍ଟେଲ୍ରେ ରହୁଥିଲେ । ତେବେ ମକର ସଂକ୍ରାନ୍ତି ପାଇଁ ସେମାନେ ସମସ୍ତେ ଘରକୁ ଆସିଥିବାବେଳେ ଏହି ଘଟଣା ଘଟିଛି । ଓମକାରଙ୍କ ମା’ଙ୍କ ବୟାନ ଆଧାରରେ ନାଣ୍ଡେଡ୍ ଏସ୍ପି ଅବିନାଶ କୁମାର ଏକ ମାମଲା ରୁଜୁ କରିଛି । ପୁଲିସ ଅନୁଯାୟୀ ଓମ୍କାର ପୂର୍ବରୁ ତାଙ୍କ ବାପାଙ୍କୁ ମୋବାଇଲ୍ ମାଗି ଆସୁଥିଲେ । ବୁଧବାର ସନ୍ଧ୍ୟାରେ ସେ ତାଙ୍କ ବାପାଙ୍କୁ ପୁଣିଥରେ ମୋବାଇଲ୍ ମାଗିଲେ । କିନ୍ତୁ ତାଙ୍କ ବାପା ମନା କରିବାରୁ ଓମକାର ଘର ଛାଡ଼ି ପଳାଇଲେ । ତାଙ୍କ ବାପା ମା’ ଭାବିଲେ ଯେ ସେ ବାହାରେ କ୍ଷେତକୁ ଶୋଇବାକୁ ଯାଇଛନ୍ତି । କିନ୍ତୁ ପରଦିନ ସକାଳ ପର୍ୟ୍ୟନ୍ତ ସେ ନଆସିବାରୁ ଓମ୍କାରଙ୍କ ବାପା ଏବଂ ଅନ୍ୟ ୨ ଭାଇ ତାଙ୍କୁ ଖୋଜିଥିଲେ । ଓମ୍କାରଙ୍କ ବାପା ପ୍ରଥମେ କ୍ଷେତରେ ତାଙ୍କ ଝୁଲନ୍ତା ମୃତଦେହ ପାଇଥିଲେ । ତେଣୁ ସେ ଓମ୍କାରଙ୍କ ମୃତଦେହ ତଳକୁ ଆଣିବାପରେ ନିଜେ ସେହି ସମାନ ରଶିରେ ଝୁଲି ପଡ଼ିଥିଲେ ।
Follow Us