କନକ ବ୍ୟୁରୋ : ଗୋଟିଏ ଦିନରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟଣାରେ ସ୍ତବ୍ଧ ଅଞ୍ଚଳବାସୀ । ଅସୁସ୍ଥ ବାପାଙ୍କୁ ଦେଖିବା ପାଇଁ ସୁରଟରୁ ଘରକୁ ଫେରୁଥିଲେ ପୁଅ । ହେଲେ ବାପାଙ୍କ ପାଖରେ ପଞ୍ଚିବା ପୂର୍ବରୁ ଟ୍ରେନ ଦୁର୍ଘଟଣାରେ ସବୁଦିନ ପାଇଁ ଆଖି ବୁଝି ଦେଇଛି ପୁଅ । ଏକଥା ଶୁଣି ଡାକ୍ତରଖାନା ବେଡ଼ରେ ପ୍ରାଣ ହାରିଛନ୍ତି ବାପା । ଏଭଳି ଦୁଃଖଦ ଖବର ଆସିଛି ଗଞ୍ଜାମ ଜିଲ୍ଲା ଆସିକାରୁ ।
ଦଇବ ଦେଇଛି ଦାରୁଣ ଦୁଃଖ । ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା-ପୁଅ । ବାହୁନି ବାହୁନି କାନ୍ଦୁଛନ୍ତି ମାଆ, କାନ୍ଦୁଛି ଗାଁ । କିଏ କାହାକୁ ଧୈର୍ଯ୍ୟ ଦେବ । କେମିତି ବୁଝେଇବ । କିଛି ବୁଝି ହେଉନି । ସମସ୍ତେ ଖାଲି ଭୋ ଭୋ ହୋଇ କାନ୍ଦୁଛନ୍ତି । ଆସିକା ବ୍ଳକ ଗଙ୍ଗାପୁରଶାସନର ୭୦ ବର୍ଷୀୟ ଅଭିମନ୍ୟୁ ମୁନୀଙ୍କ ୩୦ ବର୍ଷୀୟ ପୁଅ ପ୍ରଶାନ୍ତ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ଡାକ୍ତଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଝି ଦେଇଛନ୍ତି ବାପା ଅଭିମନ୍ୟୁ ।
ପୁଅ, ଝିଅ ଓ ସ୍ତ୍ରୀଙ୍କୁ ନେଇ ଅଭିମନ୍ୟୁଙ୍କ ସଂସାର । ଝିଅ ବିବାହ କରିଥିବା ବେଳେ ପୁଅ ପ୍ରଶାନ୍ତ ସୁରଟରେ ଦାଦନ ଖଟୁଥିଲେ । ବାପାଙ୍କ ଅସୁସ୍ଥ ଖବର ବ୍ରହ୍ମପୁର ଫେରୁଥିଲେ । ହେଲେ ବାପାଙ୍କ ପାଖରେ ପହଞ୍ଚିପାରିଲେ ନାହିଁ । ଗତ ମଙ୍ଗଳବାର ଦିନ ବିଶାଖାପାଟଣା ନିକଟରେ ଟ୍ରେନ ଦୁର୍ଘଟଣାରେ ତାଙ୍କ ମୃତ ହୋଇଛି । ବାପା-ପୁଅ ଦୁହେଁ ଡକାଡକି ହୋଇ ଚାଲିଯିବା ପରେ ବୃଦ୍ଧା ମାଆ ସୁଜନଙ୍କ ଦୁନିଆ ଅନ୍ଧକାର ହୋଇଯାଇଛି ।
ମୃତ ବାପା ପୁଅଙ୍କ ଶୁଦ୍ଧିକ୍ରିୟା କରିବାକୁ ଏବେ ଆଉ କେହି ନାହିଁ । କି ବୁଢି ମାଆ ପାଖରେ ଅର୍ଥ ମଧ୍ୟ ନାହିଁ । ତେଣୁ ଅନାଥ ପରିବାରକୁ ସହଯୋଗର ହାତ ବଢ଼ିଛନ୍ତି ସାହି ଭାଇ ।