କନକ ବ୍ୟୁରୋ : ଭଦ୍ରକ ନରିପୁରର ଯୁବ ଡାକ୍ତର ସୌମିତ୍ର ମହାନ୍ତି । ୨ ବର୍ଷ ତଳେ ପଣ୍ଡିଚେରୀରେ ପ୍ରାଣ ହରାଇଥିଲେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ । ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ମାଆ ସୁଜାତା ଖଟୁଆ, ବାପା ସଞ୍ଜୀବ ମହାନ୍ତି । ଡାକ୍ତର କହିଥିଲେ, ହେଲମେଟ ଟିଏ ଥିଲେ ବଞ୍ଚିଯାଇଥାନ୍ତା ପୁଅର ଜୀବନ । ଡାକ୍ତରଙ୍କ ଏଇ ପଦକ କଥା ଛାତିରେ ଘର କରିଯାଇଥିଲା ସୌମିତ୍ରଙ୍କ ମାଆବାପାଙ୍କ ମନରେ । ତାଙ୍କ ପୁଅ ଭଳି ହେଲମେଟ୍ ନପିନ୍ଧି ଆଉ କାହା ଜୀବନ ନଯାଉ ବୋଲି ହାତକୁ ନେଇଛନ୍ତି ନିଆରା ପ୍ରୟାସ । ସୌମିତ୍ରଙ୍କ ୨୭ତମ ଜନ୍ମବାର୍ଷିକୀରେ ଭଦ୍ରକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଆୟୋଜନ କରିବା ସହ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଲୋକଙ୍କୁ ବାଣ୍ଟିଥିଲେ ହେଲମେଟ୍ ।
ନଜର ପକାନ୍ତୁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ- ଏନସିଆରବି ତଥ୍ୟ ଉପରେ । ୨୦୨୩ରେ ଦେଶରେ ୪ ଲକ୍ଷ ୬୪ ହଜାରରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ, ୧ ଲକ୍ଷ ୭୩ ହଜାର ୮୨୬ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ଦୁର୍ଘଟଣାଗ୍ରସ୍ତ ହୋଇଛି ଦୁଇ ଚକିଆ ଯାନ । ଯାହାକି ବାଇକ ବା ସ୍କୁଟି ଚାଳକଙ୍କ ପାଇଁ ହେଲମେଟ୍ ର ଗୁରୁତ୍ବକୁ ସୂଚାଉଛି । ଏନ୍ସିଆରବି ରିପୋର୍ଟ ଅନୁସାରେ, ୨୦୨୩ରେ ଓଡ଼ିଶାରେ ଘଟିଛି ପ୍ରାୟ ୧୨ ହଜାର ସଡ଼କ ଦୁର୍ଘଟଣା ।