କନକ ବ୍ୟୁରୋ: ଚିକିତ୍ସା ଅବହେଳାରୁ ପୁଅର ମୃତ୍ୟୁ ହେଲା । ଏଭଳି ଅଭିଯୋଗ ଆଣିଛନ୍ତି କଟକ ତଲେଙ୍ଗା ବଜାର ବୁରୁଜ ବସ୍ତିର ଶୁକଦେବ ଦାସ । ଆଉ ସାହାଯ୍ୟ ପାଇଁ ପରିବାର ଯେତେବେଳେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଏଡିଏମ୍ ତାଙ୍କୁ ତାଚ୍ଛଲ୍ୟ କରିଥିବା ଶୁକଦେବ କହିଛନ୍ତି । ଫଳରେ ମାନସିକ ଚାପରେ ଭାଙ୍ଗି ପଡ଼ିଛି ପୂରା ପରିବାର ।
ଗତ ୧୧ତାରିଖ ଦିନ ତେଲେଙ୍ଗାବଜାର ବୁରୁଜ ବସ୍ତିର ଶୁକଦେବ ଦାସଙ୍କ ପୁଅ ଅନିଲ ଦାସ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅନିଲଙ୍କୁ ଏକ ସାଲାଇନ୍ ଦିଆଯାଇଥିଲା । ପରେ ଅନିଲଙ୍କ ଦେହ ଆହୁରି ବିଗିଡ଼ି ଯିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଚିକିତ୍ସା ଅଭାବରୁ ପୁଅର ମୃତ୍ୟୁ ହୋଇଛି । ଶୁକଦେବ କିଡ୍ନୀ ରୋଗରେ ଆକ୍ରାନ୍ତ ଯୋଗୁଁ ଘରୁ ଉଠିପାରୁନାହାନ୍ତି । ପତ୍ନୀ ସୁକାନ୍ତି ଅନ୍ୟ ଘରେ କାମ କରି ପରିବାର ଚଳାଉଛନ୍ତି । ଅନିଲ ପରିବାର ସମ୍ଭାଳୁଥିଲେ । ପାଠପଢ଼ା ସହ କ୍ୟାଟେରିଂ କାମ କରି ପରିବାର ଚଳାଉଥିଲେ । ଏବେ ତାଙ୍କ ମୃତ୍ୟୁ ପରେ ଅଭାବ ଅନଟନରେ ପରିବାର ।
ପୁଅର ମୃତ୍ୟୁ ପରେ ସାହାଯ୍ୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଶୁକଦେବଙ୍କ ପରିବାର । ଏଡିଏମ୍ଙ୍କୁ ଭେଟି ଦୁଃଖ ଜଣାଇଥିଲେ । ହେଲେ ଏଡିଏମ୍ ସହଯୋଗ ବଦଳରେ ତାଛଲ୍ୟ କରିଥିବା କହିଛନ୍ତି ଶୁକଦେବଙ୍କ ପରିବାର । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏଡିଏମ୍ ।
ପରିବାର ଲୋକଙ୍କ ଅଭିଯୋଗ ଯଦି ସତ ହୁଏ । ତାହାଲେ ଆଗାମୀ ଦିନରେ ଏଡିଏମଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାରି ଉପରେ ନଜର ।