୧୮ ଶହ କୋଟିର ପୁଣେ ଜମି ଦୁର୍ନୀତି ମାମଲା, ପାର୍ଥ ପାୱାରଙ୍କ କମ୍ପାନିକୁ ୪୩ କୋଟିର ଷ୍ଟାମ୍ପ ଡ୍ୟୁଟି ନୋଟିସ୍‌

ସେପଟେ ପୁଅକୁ ବଞ୍ଚାଇବାକୁ ଯାଇ ଅଡୁଆରେ ବାପା ଅଜିତ ପାୱାର । ଶରଦ ପାୱାର ରଖିଲେ ପ୍ରତିକ୍ରିୟା ।

ncp leader ajit pawar

ncp leader ajit pawar Photograph: (Google)

କନକ ବ୍ୟୁରୋ:  ପୁଣେ ଜମି କିଣା ସ୍କାମରେ ଫସିଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ପଦ ବଞ୍ଚାଇବାକୁ ଯାଇ ଏହି କିଣାବିକା ରଦ୍ଦ ହୋଇଛି ବୋଲି ସଫେଇ ଦେଇଛନ୍ତି । ମାତ୍ର ଏହି ଜମି କିଣାବିକା ମାମଲାରେ ପାର୍ଥ ପାୱାରଙ୍କ ଫାର୍ମକୁ ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି ବାବଦରେ ୪୩ କୋଟି ଟଙ୍କାର କ୍ଷତିପୂରଣ ନୋଟିସ ଦେବା, ବାପା ଅଜିତ ପାୱାରଙ୍କ ସଫେଇକୁ ମିଛ ପ୍ରମାଣିତ କରିଛି ।

ପୁଅ ପାର୍ଥଙ୍କ ଫାର୍ମ ଦ୍ବାରା ପୁଣେ ଜମି କିଣାରେ ତାଙ୍କର ଭୂମିକା ନଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗତକାଲି ସଫେଇ ରଖିଥିଲେ । ଏଥିରେ ଯେଉଁମାନେ ଜଡ଼ିତ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଅନୁରୋଧ କରିଥିଲେ । ମାତ୍ର ପୁଅ ପାର୍ଥଙ୍କ ଫାର୍ମ ଆମେଡିଆ ଏଣ୍ଟରପ୍ରାଇଜ ଏକ ଲିମିଟେଡ ଲାଏବେଲଟି ଫାର୍ମ । ଯେଉଁଥିରେ ପାର୍ଥଙ୍କ ୯୯% ଓ ତାଙ୍କ ପାର୍ଟନର ଦିଗବିଜୟ ପାଟିଲଙ୍କର ମାତ୍ର ୧% ମାଲିକାନା ଅଛି ।

କହିବାକୁ ଗଲେ ଫାର୍ମର ସର୍ବେସର୍ବା ପାର୍ଥ ହୋଇଥିଲେ ମଧ୍ୟ ରେଜିଷ୍ଟ୍ରେସନରେ ଦିଗବିଜୟ ସ୍ବାକ୍ଷର କରିଥିବାରୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍ ହୋଇଛି । ଏଥିରୁ ବାପା ଅଜିତ ପାୱାରଙ୍କ ସଫେଇ ମିଛ ପ୍ରମାଣିତ ହୋଇଛି ।  ଏହାଛଡା ବାପା ଅଜିତଙ୍କ କହିବା ଅନୁସାରେ ଯଦି ଏହି ଜମି କିଣି ମାମଲାରେ କୌଣସି ନେଣଦେଣ ହୋଇନାହିଁ ତାହେଲେ ରାଜ୍ୟ ଷ୍ଟାମ୍ପ ଡ୍ୟୁଟି ଡିପାଟମେଣ୍ଟ କାହିଁକି ପାର୍ଥଙ୍କ ଫାର୍ମ ବିରୋଧରେ ୪୩କୋଟି ଟଙ୍କାର କ୍ଷତିପୂରଣ ନୋଟିସ ପଠାଇଛି?
 

ପୁଣେର ମୁନ୍ଦୱାର ଅଞ୍ଚଳରେ ଥିବା ପ୍ରାୟ ୧୮ ଶହ କୋଟି ଟଙ୍କାର ୪୦ଏକର ସରକାରୀ ଜମିକୁ ପାର୍ଥଙ୍କ ଫାର୍ମ ମାତ୍ର ୩ଶହ କୋଟି ଟଙ୍କାରେ କିଣିଥିବା ଅଭିଯୋଗ ହୋଇଛି । ଏଥିରେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ପାଇଁ ୫ଶହ ଟଙ୍କା ଖର୍ଚ୍ଚ ହୋଇଛି । ପୁଣେର ଜଣେ ସମାଜସେବୀ ଦିନାକର କୋଟକର ଏହି ଡିଲ ସମ୍ପର୍କରେ ରାଜ୍ୟ ଇନସ୍ପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରାରଙ୍କୁ ଗତ ଜୁନ ମାସରେ ଜଣାଇଥିଲେ ମଧ୍ୟ କୌଣିସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସେଠିକାର ତହସିଲଦାର ଓ ସବ ରେଜିଷ୍ଟ୍ରାରଙ୍କୁ ନିଲମ୍ବିତ କରାଯାଇଛି । ମାତ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସଫେଇ ସତ୍ତ୍ବେ ଆଗାମୀ ପୌର ନିର୍ବାଚନ ପରିପ୍ରେକ୍ଷିରେ ଏହି ପୁଣେ ଜମି କିଣା ସ୍କାମ୍ ଶାସକ ମହାୟୁତିକୁ ଅଡୁଆରେ ପକାଇବା ଆଶଙ୍କା ଅଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe