କନକ ବ୍ୟୁରୋ : ଲୁଟେରାଙ୍କ ଗୁଳିରେ ଆଖି ବୁଜିଲା ଭେଣ୍ଡିଆ ପୁଅ । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଛାରଖାର ହୋଇଯାଇଛି ପରିବାର । ପାଣିକୋଇଲି ସୁନା ଦୋକାନରୁ ଲୁଟ ଓ ଗୁଳିମାଡ଼ ଘଟଣାରେ ପ୍ରାଣ ହରାଇଥିବା ନୀଳମାଧବ ପଣ୍ଡାଙ୍କୁ ଝୁରୁଛନ୍ତି ଆତ୍ମୀୟ ସ୍ୱଜନ । ସାହିପଡିଶା, ସାଙ୍ଗସାଥି ଓ ଗ୍ରାମବାସୀଙ୍କ ମୁହଁରେ ସାହସୀ ପୁଅର କଥା । ସେ ଛାଡ଼ି ଯାଇଥିବା ପରିବାରର ଚିନ୍ତା ।
ସ୍ୱର୍ଗରଥରେ ପହଞ୍ଚିଥିଲା ସାହସୀ ପୁଅର ମୃତଦେହ । ସେତେବେଳେକୁ ଶୋକ ଓ ଲୁହରେ ବୁଡ଼ି ସାରିଥିଏ ଯାଜପୁରର ସୋତୀ ଗାଁ । ମାଆ ଆଖିରେ ଲୁହ, ଗାଁ ଆଖିରେ ଲୁହ। ସମସ୍ତେ ନିର୍ବାକ୍ । କାହାରି ମୁହଁରେ ଶବ୍ଦ ନଥାଏ । ସାହିପଡ଼ିଶା କହୁଥାନ୍ତି, କେମିତି ଏ ଦାରୁଣ ଦୁଃଖକୁ ସହିବ ଏ ପରିବାର । ବାପା-ଜେଜେବାପାଙ୍କ ଦେହାନ୍ତ ପରେ ପରେ ଭେଣ୍ଡିଆ ପୁଅର ମୃତ୍ୟୁ ପରେ ସବୁ କିଛି ଛାରଖାର ହୋଇଯାଇଛି । ଯାଜପୁର ପାଣିକୋଇ ସୁନା ଦୋକାନରୁ ଲୁଟ୍ ଓ ଗୁଳିମାଡ଼ରେ ନୀଳମାଧବ ପଣ୍ଡାଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇଯାଇଛି ସୋତୀ ଗାଁ ।
ବାପା-ଜେଜେବାବାଙ୍କ ପରେ ଘରର ଦାୟିତ୍ୱ ମୁଣ୍ଡାଇଥିଲେ ନୀଳମାଧବ । ପାଣିକୋଇଲିରେ ଥିବା ଟାଟା ପାୱାରା କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଏହାସହ ହେଲ୍ପିଂ ଗ୍ରୁପ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଥିଲେ । ସାହସୀ ଓ ପରପୋକାରୀ ଥିଲେ । ସମସ୍ତଙ୍କ ଦୁଃଖ ସୁଖର ସାଥି ହେଉଥିଲେ । ଗାଁରେ ସମସ୍ତଙ୍କ ପ୍ରିୟପାତ୍ର ଥିଲେ । ସେହି ଗୁଣ ତାଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେଲା । ଲୁଟେରାଙ୍କୁ କାବୁ କରିବାକୁ ଯାଇ ଗୁଳି ମାଡ଼ରେ ତାଙ୍କ ଜୀବନ ଚାଲିଗଲା ।
ନୀଳମାଧବଙ୍କ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇପଡ଼ିଛି । ମାଆ, ଜେଜେ ମାଆ, ଭାଇ ଓ ଭଉଣୀଙ୍କୁ ମିଶାଇ ପରିବାରରେ ୫ପ୍ରାଣୀ କୁଟୁମ୍ବ । ନୀଳମାଧବଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭାଇ ଓ ଭଉଣୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।