କନକ ବ୍ୟୁରୋ : ଜଣେ ପୁଅ ନିଜ ବାପାକୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି l ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଭାଲୁ ପତର ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ l ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତ ପୁଅକୁ ଗିରଫ କରି ଅଧିକ ପଚାରୁଚୁରା କରୁଛି ପୋଲିସ l
ରାସ୍ତା ଉପରେ ପଡିଛି ବାପାର ମୃତ ଦେହ । ବାପାକୁ ପିଟି ପିଟି ହତ୍ୟା କରିଛି ସୈତାନ ପୁଅ l ରାଉରକେଲା ନିକଟ ଭାଲୁପତର ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ l କୌଣସି ଏକ ଶକ୍ତ ଜିନିଷରେ ନିଜ ବାପାକୁ ପିଟି ପିଟି ପୁଅ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଭାଲୁପତର ଗାଁର ଜେଲ ଫେରନ୍ତା ୫୫ ବର୍ଷୀୟ କ୍ରାନ୍ତି ବର୍ମା । ମାଆ ହତ୍ୟାର ପ୍ରତିଶୋଧରେ ଜଳୁଥିବା ପୁଅ ଏଭଳି କାଣ୍ଡ କରିଥିବା କୁହାଯାଉଛି । ଏହି ହତ୍ୟାକାଣ୍ଡ ବାପା-ପୁଅର ସଂପର୍କରେ କଳଙ୍କ ବୋଳିଦେଇଛି । ଆଖି କାନକୁ ବିଶ୍ୱାସ ହେଉନଥିବା ଏହି ଖବର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଭାଲୁପତର ଗାଁରେ ବୀଭତ୍ସ ହତ୍ୟାର ଖବର ପାଇ ସାଇଣ୍ଟିଫିକ ଟିମ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି l ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନିଜ ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ସଜାକାଟି ଜେଲରୁ ୨୦୨୪ ଡିସେମ୍ବରରେ ବାହାରିଥିଲେ କ୍ରାନ୍ତି ବର୍ମା l ଜେଲରୁ ଫେରିବା ପରେ ବାପାକୁ ଦେଖି ମାଆ ହତ୍ୟାର ପ୍ରତିଶୋଧ ନେବାକୁ ମନେ ମନେ ଯୋଜନା କରିଥିଲା ପୁଅ । ଆଉ ସୁଯୋଗ ମିଳିବା ମାତ୍ରେ ବାପାକୁ ପିଟି ପିଟି ହତ୍ୟା କରିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଭିଯୁକ୍ତ ପୁଅକୁ ଉଠାଇ ନେଇ ପଚରାଉଚରା କରୁଛି ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ l ମାଆ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ନା ହତ୍ୟାକାଣ୍ଡ ପଛରେ ଅନ୍ୟ କାରଣ ରହିଛି ସେ ନେଇ ପୋଲିସ ଖୋଳତାଡ଼ ଚଳାଇଛି l